ରୀଜଧାନୀରେ ଚେନ୍‌ ଲୁଟେରାଙ୍କ ଆତଙ୍କରାଜ, ଶୈଳଶ୍ରୀବିହାରରେ ପତିପତ୍ନୀଙ୍କୁ ହାଣିଦେଲେ

ଭୁବନେଶ୍ବର/ଚନ୍ଦ୍ରଶେଖରପୁର/ବାରଙ୍ଗ: ମାଳମାଳ ପିସିଆର୍‌ ଭ୍ୟାନ୍‌, ସ୍ପିଡ୍ ବାଇକ ଓ ପୁଲିସର ପାଟ୍ରୋଲିଂ। ଏ ସବୁ ସତ୍ତ୍ବେ ପୁଲିସକୁ ଲୁଟେରାଙ୍କ ଖାତିର ନାହିଁ। ସକାଳୁ ଆରମ୍ଭ କରି ପୂର୍ବାହ୍ନ ପର୍ଯ୍ୟନ୍ତ ଆଜି ଲୁଟେରାମାନେ ସରିଜ୍‌ ଲୁଟ୍‌ କରିଛନ୍ତି। ଏକାଧିକ ସ୍ଥାନରେ ପ୍ରାଣାନ୍ତକ ଆକ୍ରମଣ କରି ଆତଙ୍କ ଖେଳାଇଛନ୍ତି। ଚେନ୍‌ ଲୁଟେରାଙ୍କ ଏଭଳି ଆତଙ୍କରେ ଭୟଭୀତ ହୋଇ ପଡ଼ିଛନ୍ତି ରାଜଧାନୀବାସୀ। ଆଜି ସକାଳୁ ସକାଳୁ ନନ୍ଦନକାନନ, ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର, ସହିଦନଗର ଥାନା ଅଞ୍ଚଳରେ ଏଭଳି ଆତଙ୍କ ଖେଳାଇଥିଲେ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ପତିପତ୍ନୀଙ୍କୁ ଚାପଡ଼ରେ ହାଣି ଗୁରୁତର କରିଥିବାବେଳେ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଅଞ୍ଚଳରେ ମହିଳାଙ୍କ ବେକରେ କଟୁରି ଲଗାଇ ଚେନ୍‌ ଝାମ୍ପି ନେଇଥିଲେ। ଜୟଦେବ ବିହାର ଛକରେ ମଧ୍ୟ ସମାନ ଧରଣର ଲୁଟ୍‌ ହୋଇଛି। ମିଳିଥିବା ସୂଚନା ମୁତାବକ, ସକାଳୁ ସକାଳୁ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଫେଜ୍ ୭ ଏଚ୍‌ଆଇଜି କଲୋନି ପାଲଟିଥିଲା ରଣକ୍ଷେତ୍ର। ଏଠାରେ ରହୁଥିବା ଦମ୍ପତି ଗାୟତ୍ରୀ ମୁଦୁଲି ଓ ଭାବଗ୍ରାହୀ ବେଉରା ଆଜି ସକାଳ ପ୍ରାୟ ସାଢ଼େ ପାଞ୍ଚଟା ବେଳେ ଯୋଗ କ୍ଲାସ୍ ଯିବାପାଇଁ ପ୍ରସ୍ତୁତ ହୋଇ ଘର ଫାଟକ ନିକଟରେ ପହଞ୍ଚିଲା ବେଳେକୁ ଦୁଇଟି ପଲସର୍‌ରେ ୬ଜଣ ଦୁର୍ବୃତ୍ତ ହାତରେ ମରଣାସ୍ତ୍ର ଧରି ଉଭୟଙ୍କୁ ଘେରି ଯାଇଥିଲେ। ନିକଟସ୍ଥ କଲୋନି ପାର୍କ କାନ୍ଥ କଡ଼ରେ ଠିଆକରି ସେମାନେ ପିନ୍ଧିଥିବା ଅଳଙ୍କାରକୁ ଲୁଟିନେଲେ। ବିରୋଧକରିବାରୁ ଚାପଡ଼ରେ ଉଭୟଙ୍କ ହାତକୁ ହାଣି ପକାଇଥିଲେ। ଏହାଦେଖି କିଛି ପଡ଼ୋଶୀ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ପୋଡ଼ୋଶୀ ସୁବାସ ଦାସ ମଧ୍ୟ ଭୁଜାଲି ଚୋଟର ଶିକାର ହୋଇଥିଲେ। ଘଟଣାର ମାତ୍ର ୧୦ ମିନିଟ୍‌ ମଧ୍ୟରେ ସ୍ଥାନୀୟ ଥାନାକୁ ସୂଚନା ଦିଆଯାଇଥିଲା। ତେବେ ଘଟଣା ଘଟିବାରେ ୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲା। ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ବାରଙ୍ଗ ଓ ଜୟଦେବ ବିହାର ଛକରେ ବି ଲୁଟିଲେ
୨ଟି ବାଇକରେ ୬ ଲୁଟେରା ଖେଳାଇଲେ ଆତଙ୍କ

ଅନ୍ୟପକ୍ଷରେ ପୁଲିସର ଦୁର୍ବଳ ପାଟ୍ରୋଲିଂକୁ ନେଇ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ଉକ୍ତ ସ୍ଥାନରେ ଦୁଇ ଥର ଚେନ୍ ଲୁଟ୍ ଘଟଣା ଘଟିଥିବା ବେଳେ ଆଜିର ଘଟଣା ସମସ୍ତଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି। ଏ ନେଇ ବରିଷ୍ଠ ନାଗରିକମାନେ ପୁଲିସ କମିସନରଙ୍କୁ ଭେଟିବେ ବୋଲି କହିଛନ୍ତି। ପୁଲିସ ସ୍ଥାନୀୟ ଅଞ୍ଚଳରରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଲୁଟେରାଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରିଛି।

ବେକରେ ଭୁଜାଲି ଲଗାଇ ଲୁଟ୍‌
ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗ୍ରାମ ବୁଢ଼ା ନାଳ ପୋଲ ତଳ ରାସ୍ତାରେ ସକାଳ ୫ଟା ବେଳେ ପ୍ରାତଃ ଭ୍ରମଣ କରୁଥିବା ଦମ୍ପତିଙ୍କଠାରୁ ଭୁଜାଲି ମୁନରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ରଘୁନାଥପୁର ଗ୍ରାମରେ ଭଡ଼ାରେ ରହୁଥିବା ଶରତ ରାୟ ଓ ତାଙ୍କ ପତ୍ନୀ ପ୍ରାତଃ ଭ୍ରମଣ କରୁଥିବା ବେଳେ ଦୁଇଟି ବାଇକ୍‌ରେ ୬ ଜଣ ଯୁବକ ଦମ୍ପତିଙ୍କ ଆଗରେ ବାଇକ୍ ରଖି ଅଟକାଇଥିଲେ। ପଛରେ ବସିଥିବା ୪ ଜଣ ଯୁବକ ଅତର୍କିତ ଭାବେ ଶରତଙ୍କୁ ଧକ୍‌କା ମାରି ତଳେ ପକାଇ ମାଡ଼ ମାରିଥିଲେ। ଅନ୍ୟ ଦୁଇ ଜଣ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିବା ସହ ସୁନା ଚେନ୍, କାନଫୁଲ ଓ ସୁନା ଚୁଡ଼ି ଝାମ୍ପି ନେଇଥିଲେ। ଅଭିଯୋଗ ପାଇବା ପରେ ନନ୍ଦନକାନନ ଥାନା ପୁଲିସ୍‌ ତନାଘନା କରୁଥିବା ବେଳେ ଲୁଟେରାଙ୍କ ଟେର୍ ମିଳି ନାହିଁ।
ଜୟଦେବ ବିହାର ଛକରେ ବି ଲୁଟ୍‌ ପୂର୍ବାହ୍ନ ପ୍ରାୟ ୧୧ଟାରେ ଜୟଦେବ ବିହାର ଅଞ୍ଚଳରୁ ଜଣେ ମହିଳାଙ୍କ ଠାରୁ ସୁନାହାର ଲୁଟ୍‌ ହୋଇଛି। ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ କଟକ ତୁଳସୀପୁର ଅଞ୍ଚଳର ଭାରତୀ ପାତ୍ର। ଏ ନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ପଟିଆରୁ କାମସାରି ଜୟଦେବ ବିହାର ଆସିଥିଲେ। ସେଠାରୁ କଟକ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଦ୍ରୁତଗତିରେ ବାଇକ୍‌ରେ ଆସି ହଠାତ୍‌ ତାଙ୍କ ହାରକୁ ଝାମ୍ପି ନେଇଥିଲେ। ସେ କିଛି ବୁଝିବା ପୂର୍ବରୁ ଆଖି ପିଛୁଳାକେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର