ଭୁବନେଶ୍ବର: କରୋନା କଟକଣା ଯେତିକି କୋହଳ ହେଉଛି ରାଜଧାନୀରେ ଛିନ୍ତାଇ ଘଟଣା ବଢ଼ିବାରେ ଲାଗିଛି। ଆଜି ସକାଳେ ରାଜଧାନୀର ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ମହିଳା ଛିନ୍ତାଇର ଶିକାର ହୋଇଛନ୍ତି। ମହିଳା ଜଣକ ବସ୍ଷ୍ଟାଣ୍ଡକୁ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଛନ୍ତି। ଲୁଟ୍ର ଶିକାର ହୋଇଥିବା ମହିଳା ହେଲେ ନୂଆପଲ୍ଲୀ ଆର୍ବିଆଇ କଲୋନିର ଏଲିନା ପାଟ୍ଟଯୋଶୀ। ଦୁର୍ବୃତ୍ତମାନେ ତାଙ୍କ ବେକରୁ ପ୍ରାୟ ୧୦/୧୨ ଗ୍ରାମ୍ ଓଜନର ସୁନାଚେନ୍ ଝାମ୍ପି ନେଇଛନ୍ତି। ନୂଆପଲ୍ଲୀ ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଏହି ଅଘଟଣ ଘଟିଛି। ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ କଏଦ୍ ହୋଇଛି। ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ୍ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି।
ଏଲିନା ଜଣେ ବ୍ୟାଙ୍କ କର୍ମଚାରୀ। ସବୁଦିନ ଭଳି ଆଜି ସେ ଘରୁ ବାହାରି ବ୍ୟାଙ୍କ ଯିବା ପାଇଁ ଚାଲି ଚାଲି ନିକଟସ୍ଥ ବସ୍ଷ୍ଟାଣ୍ଡକୁ ଯାଉଥିଲେ। ସେ ନୂଆପଲ୍ଲୀ ମାର୍କେଟ୍ସ୍ଥିତ ମିଓ ଆମୋର୍ ନାମକ ଏକ ଦୋକାନ ସମ୍ମୁଖରେ ପହଞ୍ଚିବା ବେଳେ ପଛରୁ ଏକ ବାଇକ୍ରେ ଥିବା ଦୁଇ ଦୁର୍ବୃତ୍ତ ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିଲେ। ଦୁର୍ବୃତ୍ତଦ୍ବୟ ଏକ ନୀଳ ରଙ୍ଗର ଆର୍-୧୫ ଗାଡ଼ିରେ ଥିଲେ ଓ ଚେନ୍ ଟାଣିନେବା ପରେ ଦ୍ରୁତ ଗତିରେ ଉଭାନ୍ ହୋଇଯାଇଥିଲେ।
ସେହିଭଳି ଏହି ଘଟଣାରୁ କିଛି ସମୟ ପୂର୍ବରୁ ଆଉ ଏକ ଅନୁରୂପ ଘଟଣା ଘଟିଛି। ସତ୍ୟନଗର କାଳିମନ୍ଦୀର ନିକଟରୁ ସୁସ୍ମିତା ପ୍ରିୟଦର୍ଶିନୀ ଆଚାର୍ଯ୍ୟଙ୍କ ବେକରୁ ଦୁର୍ବୃତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି। ଆଜି ସକାଳ ୭ଟା ବେଳେ ସୁସ୍ମିତା ୪ ନମ୍ବର ପରିବା ମାର୍କେଟ୍ରୁ ସ୍କୁଟି ଯୋଗେ ଫେରୁଥିଲେ। ମୁଖ୍ୟ ରାସ୍ତାରୁ କାଳିମନ୍ଦିର ଗଳି ଭିତରକୁ ତାଙ୍କଘର ଆଡ଼କୁ ଯିବା ବେଳେ ଦୁଇଜଣ ଯୁବକ ଏକ ନମ୍ବର ବିହୀନ ବାଇକ୍ରେ ଆସି ତାଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲେ। ଚେନ୍ର ଓଜନ ୭ରୁ ୮ ଗ୍ରାମ୍ ହେବ। ସେ ପାଟି କରିବାରୁ କିଛି ଲୋକ ଲୁଟେରାଙ୍କୁ ଗୋଡାଇ ଥିଲେ। ହେଲେ ସେମାନେ କ୍ଷୀପ୍ର ଗତିରେ ଉଭାନ୍ ହୋଇ ଯାଇଥିଲେ। ଏ ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।
ଲୁଟ୍ ବେଳେ ପଡ଼ିଗଲା ଦୁର୍ବୃତ୍ତ
ଭୁବନେଶ୍ବର: ଆଜି ସନ୍ଧ୍ୟା ପ୍ରାୟ ୭ଟା ୪୫ ବେଳେ ୟୁନିଟ୍-୮ ଡିଏଭି ସ୍କୁଲ ପାଖ ମସ୍ଜିଦ୍ ନିକଟରେ ଜଣେ ଲୁଟେରା ଜଣେ ଯୁବକଙ୍କ ମୋବାଇଲ୍ ଲୁଟ୍ କରିବାକୁ ଉଦ୍ୟମ କରି ବିଫଳ ହୋଇଛି। ମୋବାଇଲ୍ ଝାମ୍ପି ନେଉ ନେଉ ଭାରସାମ୍ୟ ହରାଇ ପଡ଼ିଯିବାରୁ ସେ ଘଟଣାସ୍ଥଳରେ ଏକ ସ୍କୁଟି ଛାଡ଼ି ପଳାଇଛି। ପୁଲିସ ଉକ୍ତ ସ୍କୁଟି ଓ ମୋବାଇଲ୍ ଫୋନ୍କୁ ଜବତ କରିଛି। କିନ୍ତୁ ଲୁଟେରାର ଟେର୍ ମିଳିନାହିଁ। ଦୁର୍ବୃତ୍ତ ଛାଡ଼ି ଯାଇଥିବା ସ୍କୁଟି(ଓଡି ୦୨ଜି-୩୯୪୩)ଟି ଏକ ଚୋରା ଗାଡ଼ି ବୋଲି ପୁଲିସ ଅନୁମାନ କରୁଛି। ଜବତ ମୋବାଇଲ୍କୁ ପୁଲିସ ଉକ୍ତ ଯୁବକଙ୍କୁ ଫେରାଇ ଦେଇଥିବାବେଳେ ସ୍କୁଟିରୁ ଲୁଟେରା ବାବଦରେ ଜାଣିବାକୁ ଚେଷ୍ଟା ଚଳାଇଛି। ସୂଚନା ମୁତାବକ ଲୁଟେରା ଜଣକ ଯୁବକଙ୍କ ହାତରୁ ମୋବାଇଲ୍ ଛଡ଼ାଇ ପଳାଇବାକୁ ବସିଥିବାବେଳେ ଅନ୍ୟ ଜଣେ ବୁଲେଟ୍ ଚାଳକ ତାଙ୍କୁ ପିଛା କରିଥିଲେ। ଆଉ ମାତ୍ର କେଇ ଗଜ ପରେ ବୁଲେଟ୍ ଚାଳକ ଲୁଟେରାକୁ ଧରି ପକାଇଥାଆନ୍ତେ। ମାତ୍ର ଲୁଟେରା ଜଣକ ହଡ଼ବଡ଼େଇ ଯାଇ ଭାରସାମ୍ୟ ହରାଇଥିଲେ ଓ ସ୍କୁଟି ସହ ରାସ୍ତାରେ ପଡ଼ି ଯାଇଥିଲେ। ବୁଲେଟ୍ ଚାଳକ ତାକୁ ଧରିବା ପାଇଁ ଗାଡ଼ି ଅଟକାଇବା ପୂର୍ବରୁ ସେ ବିକଳରେ ଉଠି ଧାଇଁଥିଲା ଓ ଅନ୍ଧାର ଭିତରେ ଛପି ଯାଇଥିଲା।