ଭୁବନେଶ୍ୱର: ରେଡିଓ ଚକ୍ଲେଟ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଚକ୍ ଧୁମ୍ ନୃତ୍ୟ ପ୍ରତିଯୋଗିତା ଆଜି ଉତ୍କଳ କନିକା ଗ୍ୟାଲେରିଆ ମଲ୍ ପରିସରରେ ଉଦ୍ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିକି ଡ୍ୟାନ୍ସ ଗ୍ରୁପ୍ ବିଜେତା ହୋଇଛି। ନୃତ୍ୟାୟନ ଡ୍ୟାନ୍ସ ଗ୍ରୁପ୍ ପ୍ରଥମ ଓ ଡିଭାଇନ ଡ୍ୟାନ୍ସ ଆଣ୍ଡ୍ ମ୍ୟୁଜିକ୍ ଏକାଡେମି ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି। ପ୍ରାୟ ଏକ ମାସ ହେବ ଚାଲିଥିବା ଏହି ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ନୃତ୍ୟ ଗ୍ରୁପ୍ ରେଡିଓ ଚକ୍ଲେଟକୁ ସେମାନଙ୍କ ପ୍ରଦର୍ଶନ ପଠାଇଥିଲେ।
ସେଥିମଧ୍ୟରୁ ୧୦ଟି ଗ୍ରୁପ୍ ଫାଇନାଲ ପର୍ଯ୍ୟାୟରେ ନୃତ୍ୟ ପରିବେଷଣ କରିଥିଲେ। ବିଚାରକ ଭାବେ ବାବୁ ସାର୍, ରାଜାସ୍ମିତା କର, ଚିତ୍ତରଞ୍ଜନ ସାହାଣୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଡ୍କିସନ୍ ଫ୍ୟାସନ୍ ମ୍ୟାନେଜ୍ମେଣ୍ଟ ପକ୍ଷରୁ ଏକ ଫ୍ୟାସନ୍ ସୋ’ ଆୟୋଜିତ ହୋଇଥିଲା। ଅତିଥି ଭାବେ ଉତ୍କଳ କନିକା ଗ୍ୟାଲେରିଆର ମାର୍କେଟିଂ ମୁଖ୍ୟ ଦୁଲାଲ ସାହୁ, ସମ୍ବାଦ ଗ୍ରୁପ୍ ଫାଇନାନ୍ସ ମୁଖ୍ୟ ପ୍ରଣୟ ଆଚାର୍ଯ୍ୟ, ରେଡିଓ ଚକ୍ଲେଟ ପ୍ରୋଗ୍ରାମିଂ ମୁଖ୍ୟ ଆର୍ଜେ ସଂଗ୍ରାମ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଗ୍ରୁପ୍ମାନଙ୍କୁ ଯଥାକ୍ରମେ ୩୦ ହଜାର, ୨୦ ହଜାର ଓ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଚେଲ୍ସି ସଙ୍ଗୀତ ପରିବେଷଣ କରିଥିବା ବେଳେ ଆର୍ ଜେ ଅନିଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।