ଚକେଇସିଆଣି ଦୁର୍ଗାପୂଜା : ବିରାଜିବେ ମହାମାୟା, ଝଲସିବ ନେପାଳ ରାଜପ୍ରାସାଦ

ଭୁବନେଶ୍ବର: ଚକେଇସିଆଣିରେ ଝଲସିବ ନେପାଳ ରାଜପ୍ରାସାଦ। ଚକେଇସିଆଣି ଦୁର୍ଗାପୂଜା ସମିତି ପକ୍ଷରୁ ଏଥର ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତୁତ ହେଉଛି ଚୂଡ଼ି, ଲିଚୁରେ ୮୦ ଫୁଟ ଉଚ୍ଚ ଓ ୬୦ ଫୁଟ ଦୀର୍ଘ ବିଶିଷ୍ଟ ଏହି ତୋରଣ। ଚଳିତବର୍ଷ ପୂଜା ୧୯ ବର୍ଷରେ ପଦାର୍ପଣ କରିଥିବା ବେଳେ ପୂଜା ବଜେଟ୍‌ ୨୨ ଲକ୍ଷ ଟଙ୍କା ରହିଛି। କେବଳ ତୋରଣ ନିର୍ମାଣରେ ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ ହେଉଛି। ଏଥିପାଇଁ ୪୦କାରିଗର ନିୟୋଜିତ ହୋଇଛନ୍ତି। ଏଥିସହ ସାଢ଼େ ୫ କିଲୋମିଟର ଅଞ୍ଚଳକୁ ୫ଟି ବୃହତ୍‌ ଆଲୁଅ ତୋରଣ ସହ ଆଲୁଅ ଷ୍ଟ୍ରକ୍ଚର୍‌ରେ ସଜାଯିବ। ୧୫ ଫୁଟର ମୃଣ୍ମୟୀ ମୂର୍ତି ସହ ୨୦ ଫୁଟର‌ ମେଢ଼ ଶୋଭା ପାଇବ। ମା’ ଓ ପାର୍ଶ୍ବ ଦେବଦେବୀ ଚାନ୍ଦି ଅଳଙ୍କାରରେ ଶୋଭା ପାଇବେ। ଚାନ୍ଦି ମୁକୁଟଠୁ ଆରମ୍ଭ କରି ଚାନ୍ଦି ତ୍ରିଶୂଳ ଓ ଝରା ଆଦି ଅଳଙ୍କାରରେ ମା’ ସଜେଇ ହେବେ। ଚଳିତ ବର୍ଷ ‘ଫନି’ କ୍ଷତିଗ୍ରସ୍ତ ରାଜଧାନୀବାସୀଙ୍କୁ ତାଙ୍କର ଉତ୍ତରଦାୟିତ୍ବ ବାବଦରେ ସଚେତନ କରାଯିବ। ସବୁଜିମା ଭରଣା ପାଇଁ ପୂଜା ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ପ୍ରାୟ ୩୦ ହଜାର ଚାରା ବଣ୍ଟାଯିବ। ପୂଜାକୁ ଶିଶୁ ଅନୁକୂଳ କରିବା ଉଦ୍ଦେଶ୍ୟରେ ପାଣି ମଧ୍ୟରେ ହଂସ, ହାତୀ, ବାଘ ଆଦିକୁ ଆଲୁଅମାଳାରେ ଉପସ୍ଥାପନ କରାଯିବ। ସଭାପତି, ଉପସଭାପତିଙ୍କ ସମେତ ପିଣ୍ଟୁ ରାଉତ, ନଟବର ସ୍ବାଇଁ, ସଂଜୟ ଦାସ, ଶତ୍ରୁଘ୍ନ ବେହେରା ଓ ପ୍ରଦୀପ ସ୍ବାଇଁଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିବେ।

ମହିଳାଙ୍କ ପାଇଁ ରହିବେ ସ୍ବତନ୍ତ୍ର ସ୍ବେଚ୍ଛାସେବୀ
ସୁରକ୍ଷାକୁ ଗୁରୁତ୍ବାରୋପ ପୂର୍ବକ ମହିଳା ଓ ପୁରୁଷମାନଙ୍କ ନିମନ୍ତେ ଭିନ୍ନଭିନ୍ନ ପ୍ରବେଶପଥ ବ୍ୟବସ୍ଥା ହେବ। ଚଳିତ ବର୍ଷ ୧୦୦ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ମହିଳା ସ୍ବେଚ୍ଛାସେବୀ ମଧ୍ୟ ରହିବେ। ଭିନ୍ନକ୍ଷମଙ୍କ ପାଇଁ ହ୍ବିଲ୍‌ ଚେୟାରର ବ୍ୟବସ୍ଥା କରାଯାଇଥିବା ବେଳେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବନ୍ଦୋବସ୍ତ କରାଯିବ।
ଚୈତନ୍ୟ ଦାସ(ସଭାପତି)

ଦୁଲୁକାଇବେ ୧୦୦ ଘଣ୍ଟୁଆ
ଭସାଣିରେ ଏଥର ଡିଜେ ବଜାଇବା ଉପରେ ରୋକ୍‌ ଲଗାଯିବା ପରେ ୨୦୦ ପାରମ୍ପରିକ କଳାକାରଙ୍କୁ ସାମିଲ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୧୦୦ ଘଣ୍ଟୁଆ ଆକର୍ଷଣ ସାଜିବେ। ଏଥିସହ ମାଦଳ, ତୁରୀ, ପଞ୍ଜାବୀ, ଢୋଲ ବାଜା ସହ ହାତୀ, ଘୋଡ଼ା ଆଦି ଆକର୍ଷଣ ସାଜିବେ। ସପ୍ତମୀରୁ ୯ମୀ ପର୍ଯ୍ୟନ୍ତ ମେଲୋଡ଼ି ପରିବେଷଣ କରାଯିବ। ୧୦ମୀରେ ଭଜନ ସମାରୋହ ଅନୁଷ୍ଠିତ ହେବ।
ଦିଲ୍ଲୀପ ସ୍ବାଇଁ (ଉପସଭାପତି)

ସମ୍ବନ୍ଧିତ ଖବର