ଭୁବନେଶ୍ୱର: ଦୀପାବଳି ଅବସରରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ ଏକ ଭିନ୍ନଧରଣର କାର୍ଯ୍ୟକ୍ରମ ‘ଚାଲ ଖୁସି ବାଂଟିବା’ ପାଳନ କରାଯାଇଛି । ତମାଣ୍ଡୋ ନିକଟସ୍ଥ ଡି.ଏନ୍. ରିଗାଲିଆ ମଲରେ ଥିବା ବାର୍ବିକ୍ୟୁ ନେସନ୍ ରେଷ୍ଟୁରାଣ୍ଟଠାରେ ଆୟୋଜନ କରାଯାଇଥିଲା। ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ୭୦ ଜଣ ଦୃଷ୍ଟିବାଧିତ ପିଲାମାନଙ୍କୁ ଏକ ବସ୍ ଯୋଗେ ଆଣି ବାର୍ବିକ୍ୟୁ ନେସନ୍ ରେଷ୍ଟୁରାଣ୍ଟରେ ଦିନ ତମାମ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସେଠାରେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ତଥା ଜଣାଶୁଣା ଅଭିନେତା ଆକାଶ ଦାସନାୟକ, ଅଭିନେତା ସମରେଶ ରାଉତରାୟ, ବୁଲୁ ଦାସ, ଦେବାଶିଷ ପାତ୍ର ଓ ଅଭିନେତ୍ରୀ ପୁନମ ମିଶ୍ର ଉପସ୍ଥିତ ରହିଥିଲେ । ସଙ୍ଗୀତକାର ବିଷ୍ଣୁ ମୋହନ କବିଙ୍କର ଓ.ଡି. ୦୧ ପପ୍ ଗ୍ରୁପ୍ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ପିଲାମାନେ ସେମାନଙ୍କ ସହିତ ନାଚଗୀତରେ ନିଜକୁ ହଜାଇଦେଇ ଖୁସି ମନାଇଥିଲେ ଏବଂ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଉତ୍ତରୋତ୍ତର କାମନା କରିଥିଲେ।
ଏହି ଅବସରରେ ଶ୍ରୀ ଦାସନାୟକ କହିଥିଲେ ଖୁସି ବାଂଟିଲେ ଖୁସି ବଢେ। ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଅନେକ ସମୟରେ ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅନେକ ପର୍ବପର୍ବାଣିରେ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଦେବୀ ପ୍ରସାଦ ମଙ୍ଗରାଜ, ସତ୍ୟ ସୁମନ, ଅସିତ୍ ସାହୁ, ପବନ ପାତ୍ରୋ, କିଶୋର ଦାସ, ଭାଗ୍ୟଧର ସାମଲ ଏବଂ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।