ଜଟଣୀ: ଜଟଣୀ ପୌରାଞ୍ଚଳସ୍ଥିତ ବାଛରା ଶ୍ରୀଜଗନ୍ନାଥ ମନ୍ଦିର ବିବାଦ ସମାଧାନ ହୋଇଛି। ଆଜି ମନ୍ଦିରର ତାଲା ଭଙ୍ଗାଯାଇ ଠାକୁରଙ୍କ ପୂଜାର୍ଚ୍ଚନା ହୋଇଛି। କିଛି ଦିନ ହେଲା ବିବାଦ ଲାଗି ରହିଥିଲା। ଯାହାକୁ ନେଇ ଗତ ୩ ତାରିଖରୁ ମନ୍ଦିରରେ ତାଲା ପଡ଼ି ରହିଥିଲା। ଦୁଇପକ୍ଷଙ୍କ ବିବାଦ ଫଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ୨୬ ଦିନ ଧରି ଠାକୁର ଅପୂଜା ହୋଇ ରହିଥିଲେ। ଏ ନେଇ ‘ସମ୍ବାଦ’ରେ ବାରମ୍ୱାର ଖବର ପ୍ରକାଶ ପରେ ଆଜି ଟ୍ରଷ୍ଟର ସଦସ୍ୟ, ପୌରାଧ୍ୟକ୍ଷ ଓ ଗ୍ରାମବାସୀମାନେ ଏକଜୁଟ୍ ହୋଇ ମନ୍ଦିର ତାଲାକୁ ଭାଙ୍ଗିଥିଲେ। ଏହାପରେ ମହାପ୍ରଭୁଙ୍କ ନୀତି ସ୍ବାଭାବିକ ହୋଇଛି। ମହାପ୍ରଭୁଙ୍କ ମାଘସ୍ନାନ କରାଯାଇ ନୀତି କରାଯାଇଥିଲା। ଠାକୁର ପ୍ରତିଷ୍ଠା ପରେ ହୋମଯଜ୍ଞ କରାଯାଇ ଅନ୍ନ ଭୋଗ ଲାଗି ହୋଇଥିଲା। ତେବେ ଆଗକୁ ଯେପରି କିଛି ବିଭ୍ରାଟ ନହୋଇ ନୀତିନିୟମ ଅନୁସାରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
ଘଟଣାନୁଯାୟୀ, ଦୀର୍ଘ ବର୍ଷ ହେଲା ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ମହିଳା ସଂଘ ଦାୟିତ୍ୱ ତୁଲାଇ ଆସୁଛନ୍ତି। କିନ୍ତୁ ଗତ କିଛି ମାସ ପୂର୍ବରୁ ୫-ଟି ଅଧୀନରେ ମନ୍ଦିରର ଉନ୍ନତୀକରଣ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାକୁ କେନ୍ଦ୍ର କରି ଉଭୟ ସଂଘ ଓ ଟ୍ରଷ୍ଟର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଯାହାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ଫେବ୍ରୁଆରି ୩ରେ ମନ୍ଦିରରେ ତାଲା ପକାଇ ଦେଇଥିଲେ। ପରେ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ମଧ୍ୟ ଆଉ ଗୋଟିଏ ତାଲା ପକାଯାଇଥିଲା। ଫଳରେ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଥିଲା।