ଚନ୍ଦ୍ରଶେଖରପୁର : ରାଜ୍ୟର ସିଭିଲ ସର୍ଭିସ୍ ଆଶାୟୀଙ୍କୁ ଉପଯୁକ୍ତ ପ୍ରସ୍ତୁତି ନିମନ୍ତେ ସମସ୍ତ ସହାୟତା ଯୋଗାଇଦେବା ନିମନ୍ତେ ଜାତୀୟ ସ୍ତରର ଜଣାଶୁଣା ଚାଣକ୍ୟ ଆଇଏଏସ୍ ଏକାଡେମି ଭୁବନେଶ୍ୱରର ନୟାପଲ୍ଲୀରେ ଏହାର ଏକ ଶାଖା ଖୋଲିବାକୁ ଯାଉଛି। ଗତବର୍ଷ ଦେଶରେ ସିଭିଲ୍ ସର୍ଭିସ୍ ନିମନ୍ତେ ଉଦ୍ଦିଷ୍ଟ ମୋଟ୍ ୧୦୯୨ରୁ ୪୩୫ ଜଣ ଏହି ଅନୁଷ୍ଠାନରେ ତାଲିମ୍ ନେଉଥିଲେ। ଏହି ଅଦ୍ଭୁତ ସଫଳତା ପରେ ଚାଣକ୍ୟ ଆଇଏଏସ୍ ଏକାଡେମି ଭୁବନେଶ୍ୱରରେ ଏହାର ଏକ ଶାଖା ଉଦ୍ଘାଟନ କରିବାକୁ ଯାଉଛି। ଆସନ୍ତାକାଲି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ନିଶୁଳ୍କ ସେମିନାର ମାଧ୍ୟମରେ ରାଜ୍ୟରେ ଏହାର ଶାଖା ଖୋଲାଯିବ। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଏ କେ ମିଶ୍ର ଏ ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି।
ଏକଦା ଓଡ଼ିଶା ସମଗ୍ର ଦେଶକୁ ପ୍ରତିବର୍ଷ ଅନେକ ଆଇଏଏସ୍ ଦେଉଥିଲା। କ୍ରମଶଃ ଏହି ଧାରାରେ ଅବନତି ଦେଖାଦେଇଛି। ତେଣୁ ଏଠାକାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ କୌଶଳ ସହାୟତା ଯୋଗାଇଦେଇ ପୁଣିଥରେ ରାଜ୍ୟର ଗୌରବ ଫେରାଇ ଆଣିବାକୁ ଚାଣକ୍ୟ ଭୁବନେଶ୍ୱରରେ ଏହାର ଏକ ଶାଖା ଖୋଲିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଗତଥର ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ନବମ ସ୍ଥାନ ଲାଭ କରିଥିବା ସୁମନ ସୌରଭ ମହାନ୍ତି ମଧ୍ୟ ଚାଣକ୍ୟରେ ପ୍ରସ୍ତୁତ ହେଉଥିଲେ। ସେହିପରି ରାଜ୍ୟରୁ ସିଭିଲ୍ ସର୍ଭିସ୍ ସଫଳତା ପାଇଥିବା ଆହୁରି ଚାରିଜଣ ମଧ୍ୟ ଚାଣକ୍ୟ ଅନୁଷ୍ଠାନରେ ପ୍ରସ୍ତୁତ ହୋଇଥିଲେ। ୧୯୯୩ରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନର ୧୫ଟି ରାଜ୍ୟରେ ୨୦ଟି ଶାଖା ରହିଛି। ଓଡ଼ିଶାରେ ଏହି ଶାଖା ପକ୍ଷରୁ ମୋଟ୍ ୧୦୮ଜଣ ଛାତ୍ରଛାତ୍ରୀଙ୍କୁ ନିଆଯିବ।
ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ଏକ ମେଧା ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ଏହି ପରୀକ୍ଷାରେ ଶ୍ରେଷ୍ଠ ୩ ପ୍ରାର୍ଥୀଙ୍କୁ ଶତ ପ୍ରତିଶତ ସ୍କଲାର୍ସିପ୍ ଦିଆଯିବ। ତାପର ଶ୍ରେଷ୍ଠ ୧୦ ଜଣଙ୍କୁ ୫୦ ପ୍ରତିଶତ ଓ ବାକି ସମସ୍ତଙ୍କୁ ୨୫ପ୍ରତିଶତ ରିହାତି ଯୋଗାଇ ଦିଆଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ସେହିଭଳି ଛାତ୍ରୀମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ। ଏହି ଅନୁଷ୍ଠାନରେ ପାଠ ପଢ଼ାଉଥିବା ସମସ୍ତ ଅଧ୍ୟାପକ ମଣ୍ଡଳୀ ଦିଲ୍ଲୀରୁ ଆସିବେ। ସେମାନେ ସମସ୍ତେ ସ୍ୱତନ୍ତ୍ର ଭାବରେ ପ୍ରଶିକ୍ଷିତ। ଏହି ଅନୁଷ୍ଠାନ ରାଜ୍ୟରେ ଖୋଲିବା ପରେ ଏଠାକାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଉ ଦିଲ୍ଲୀ ଯିବାର ଆବଶ୍ୟକତା ପଡ଼ିବ ନାହିଁ। ଚାଣକ୍ୟ ଆଇଏଏସ୍ ଏକାଡେମି ଏଠାରେ ସମସ୍ତ ସୁବିଧା ଯୋଗାଇ ଦେବ ବୋଲି ପ୍ରତିଷ୍ଠାତା ଶ୍ରୀ ଏ କେ ମିଶ୍ର ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/chanakya1.jpg)