ଭୁବନେଶ୍ବର: ଉତ୍କଳ ସମେତ ଉତ୍ତର ଓଡ଼ିଶା, ଫକୀର ମୋହନ, ଖଲ୍ଲିକୋଟ, ଗଙ୍ଗାଧର ମେହେର ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଚୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ନୂଆ କୁଳପତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରତି ବିଶ୍ବବିଦ୍ୟାଳୟ ପାଇଁ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ଙ୍କ ନିକଟକୁ ୩ଟି ଲେଖାଏ ନାଁ ପଠାଯାଇଛି। ଯେଉଁମାନେ ଏହି ତାଲିକାରେ ରହିଛନ୍ତି ସେମାନଙ୍କ ସାକ୍ଷାତକାର ନଭେମ୍ବର ୨୩ ତଥା ସୋମବାର ନିଆଯିବ। କୁଳାଧିପତି ପ୍ରଫେସର ଲାଲ୍ ଜଣ ଜଣ କରି ଆଶାୟୀ ପ୍ରଫେସରଙ୍କ ସାକ୍ଷାତକାର ନେବେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯିବ।
ସବୁଠାରୁ ବଡ଼ କଥା ହେଉଛି ଯେ ଗୋଟିଏ ଦିନରେ ୬ଟି ବିଶ୍ବବିଦ୍ୟାଳୟ କୁଳପତି ପଦ ଲାଗି ଆଶାୟୀ ଥିବା ପ୍ରଫେସରମାନଙ୍କୁ ଡକାଯାଇଛି। ପୂର୍ବରୁ ଦେଖିବାକୁ ମିଳିଛି ଯେ ଗୋଟିଏ ଦିନରେ ଅତି ବେଶିରେ ଦୁଇଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ହୋଇଛନ୍ତି। ନ ହେଲେ ସାଧାରଣତଃ ଗୋଟିଏ ଦିନରେ ଗୋଟିଏ ବିଶ୍ବବିଦ୍ୟାଳୟ କୁଳପତି ପଦ ଲାଗି କୁଳାଧିପତି ସାକ୍ଷାତକାର ନେଇଥାନ୍ତି। ତେବେ ଏଥର ବିରଳ ରେକର୍ଡ ସୃଷ୍ଟି ହେବାକୁ ଯାଉଛି। କାରଣ ଗୋଟିଏ ଦିନରେ ୬ଟି ବିଶ୍ବବିଦ୍ୟାଳୟ କୁଳପତି ଲାଗି ସାକ୍ଷାତକାର ନିଆଯିବା ଲାଗି ପ୍ରଫେସରମାନଙ୍କୁ ଡକାଯାଇଛି। ଆଉ ଗୋଟିଏ ସମୟ ପୂର୍ବାହ୍ନ ୧୧ଟାରେ ହିଁ ରାଜଭବନରେ ପହଞ୍ଚିବାକୁ ସମସ୍ତ ପ୍ରଫେସରଙ୍କୁ ନିମନ୍ତ୍ରଣ କରାଯାଇଛି। ତେଣୁ କିଭଳି ଓ କେମିତି ସାକ୍ଷାତକାର ନିଆଯିବ ତାହାକୁ ନେଇ ପ୍ରଫେସରମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୬ ବିଶ୍ବବିଦ୍ୟାଳୟ ଲାଗି ତାଲିକାରେ ଥିବା ୧୮ ଜଣଙ୍କ ମଧ୍ୟରେ ରାଜ୍ୟ ବାହାରର ୬ ଜଣ ପ୍ରଫେସର ରହିଛନ୍ତି। ଗୁରୁତ୍ବ ବହନ କରୁଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଲାଗି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ରହିଥିବା ବେଳେ ବିଶ୍ବବିଦ୍ୟାଳୟର ପୂର୍ବତନ ପିଜି କାଉନସିଲ୍ ଅଧ୍ୟକ୍ଷ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ତିନି ଜଣିଆ ତାଲିକାରେ ଥିବା ଆଲୋଚନା ହେଉଛି। ରମାଦେବୀ ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ଓଡ଼ିଶା ଭିତରୁ ୩ ଜଣ ମହିଳା ପ୍ରଫେସରଙ୍କ ନାଁ ଥିବା ଜଣାପଡ଼ିଛି। ଉତ୍ତର ଓଡ଼ିଶା ଓ ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ର ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜ୍ୟ ବାହାରର ପ୍ରଫେସର ରହିଥିବା ସୂଚନା ମିଳିଛି। ତେବେ ଆସନ୍ତାକାଲି ସାକ୍ଷାତକାର ପରେ ପ୍ରଫେସରମାନଙ୍କ ନାମ ପଦାକୁ ଆସିବାର ସମ୍ଭାବନା ରହିଛି।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ପୂର୍ବାହ୍ନରୁ ପ୍ରଫେସରମାନଙ୍କ ସାକ୍ଷାତକାର ନିଆଯିବ। ଏଥିପାଇଁ ରାଜଭବନ ଅଭିଷେକ ହଲ୍ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ୧୮ ଜଣ ଯାକ ପ୍ରଫେସରଙ୍କୁ ଏକାଠି ବସାଇ ରାଜ୍ୟପାଳ ଆଲୋଚନା କରିବେ। ବିଶ୍ବବିଦ୍ୟାଳୟ କୁଳପତି ହେବା ପରେ ଭିତ୍ତିଭୂମି ବିକାଶ ଲାଗି କ’ଣ କରିବେ? ଗୁଣାତ୍ମକ ଶିକ୍ଷା ଦିଗରେ କ’ଣ ପଦକ୍ଷେପ ନେବେ? ଗବେଷଣାକୁ କିଭଳି ଗୁରୁତ୍ବ ଦେବେ? ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ସମ୍ପର୍କରେ କିଭଳି ଅଭିଜ୍ଞତା ରହିଛି। ଆଦି ବିଷୟରେ କୁଳାଧିପତି ପ୍ରଶ୍ନ କରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ କୁଳପତି ଚୟନର ପ୍ରଥମ ପର୍ଯ୍ୟାୟରେ ପାଖାପାଖି ଶହେ ପ୍ରଫେସରଙ୍କ ସାକ୍ଷାତକାର ନିଆଯାଇଥିଲା। ନଭେମ୍ବର ୯ ସୁଦ୍ଧା ୬ଟି ବିଶ୍ବବିଦ୍ୟାଳୟ ଲାଗି ଗଠିତ ସର୍ଚ୍ଚ କମିଟିର ସଦସ୍ୟମାନେ ପ୍ରଫେସରଙ୍କ ସାକ୍ଷାତକାର ନେଇଥିଲେ। ସମସ୍ତ ସର୍ଚ୍ଚ କମିଟିର ସଦସ୍ୟମାନେ ୩ ଜଣ ଲେଖାଏଁ ପ୍ରଫେସରଙ୍କ ନାଁ ରାଜଭବନକୁ ପଠାଇଥିଲେ।