୧୮ରେ କୁଳପତି ସମ୍ମିଳନୀ: ୬ କୁଳପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା, ତାରକା ହୋଟେଲରେ ୪୦ ଜଣଙ୍କ ପାଇଁ ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତା ୧୮ ତାରିଖରେ ଭୁବନେଶ୍ବରର ଏକ ତାରକା ହୋଟେଲରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀକୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ଟି ବିଶ୍ବବିଦ୍ୟାଳୟ କୁଳପତିଙ୍କ ସମେତ ଦୁଇଟି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିମନ୍ତ୍ରିତ କରାଯାଇଛି। ସନ୍ଧ୍ୟା ପ୍ରାୟ ୭ଟାରେ ହେବାକୁ ଥିବା ସମ୍ମିଳନୀରେ ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରାଯିବ। ଏଥିସହ ଉଚ୍ଚଶିକ୍ଷା ସହ ଜଡ଼ିତ ଆଉ କିଛି ବିଷୟ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର କହିଛନ୍ତି। ସମ୍ମିଳନୀରେ ମୋଟ ୪୦ ଜଣ ଯୋଗଦେବେ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ କୁଳପତିମାନଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ‌ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ଟିଫିନ୍‌, ଚା’ ସହ ରାତ୍ରିଭୋଜନ ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ଆଜି ବିଏମ୍‌ସି କମିସନରଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ତେବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୩୦ସୁଦ୍ଧା ରାଜ୍ୟର ୬ ସରକାରୀ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବ। ତିନିଥର କାର୍ଯ୍ୟକାଳ ବୃଦ୍ଧି ପରେ ଶେଷରେ ସେମାନେ ଆସନ୍ତା‌ ୩୦ ତାରିଖ ଭିତରେ ବିଦାୟ ନେବାର ସମ୍ଭାବନା ରହିଛି। ନୂତନ କୁଳପତି ଚୟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଉଚ୍ଚଶିକ୍ଷା ବିଭା‌ଗ ପକ୍ଷରୁ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି। ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ସମୟ ଓଡ଼ିଶାର ଉଚ୍ଚଶିକ୍ଷାକୁ କିଭଳି ଆଗକୁ ନେଇ ହେବ, ସେନେଇ ବିଦାୟ କୁଳପତିମାନେ କିଛି ମତ ରଖିବେ। ଏଥିସହ କୁଳପତି ଭାବେ କାର୍ଯ୍ୟ କରିବା ସମୟ‌ରେ ସେମାନଙ୍କ ଅନୁଭୂତି କିଭଳି ରହିଥିଲା, ସେନେଇ କହିବେ। ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ଉତ୍ତରଓଡ଼ିଶା, ଫକୀର ମୋହନ, ଖଲ୍ଲିକୋଟ, ଗଙ୍ଗାଧର ମେହେର ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହୋଇଗଲାଣି। ତେବେ ନୂତନ କୁଳପତି ଚୟନ ହୋଇପାରୁ ନଥିବାରୁ ଏମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର