‘ଫନି’ ମାଡ଼ରେ ଉଜୁଡ଼ି ଗଲା ଚନ୍ଦକା ବାଉଁଶ, ଶୁଖିଲା ବୁଦାକୁ ନିଆଁ ଭୟ

ଡେରାସ ପ୍ରକୃତି ପର୍ଯ୍ୟଟନ ପ୍ରଭାବିତ,

ଭୁବନେଶ୍ବର : ଯୁଆଡ଼େ ଚାହିଁଲେ ଶୁଖିଲା ବାଉଁଶ। ଭରତପୁରରୁ ଆରମ୍ଭ କରି କୁମାରଖୁଣ୍ଟି ପର୍ଯ୍ୟନ୍ତ ମାଇଲ ମାଇଲ୍‌ ଅଞ୍ଚଳରେ ମାଟିରେ ଲୋଟି ପଡ଼ିଛି ବାଉଁଶ ବୁଦା‌। ଦିନେ ପର୍ଯ୍ୟଟକଙ୍କ ଲାଗି ଆକର୍ଷଣ ପାଲଟିଥିବା ସବୁଜିମାଭରା ପରିବେଶ ଭୁବନେଶ୍ୱର ଉପକଣ୍ଠରେ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ବାଉଁଶ ବଣ ଏବେ ଆଉ ନାହିଁ। ବାତ୍ୟା ‘ଫନି’ ମାଡ଼ରେ ଛାରଖାର ହୋଇଯାଇଛି ସବୁ କିଛି। ୫୦ ବର୍ଷର ପ୍ରାକୃତିକ ଶୋଭାଭରା ଏହି ଅଭୟାରଣ୍ୟ ଏବେ ଧୂସରିଆ ବର୍ଣ୍ଣ ଧାରଣ କରିଛି।

ଜଙ୍ଗଲ ଭିତରେ ବା‌ଉଁଶ ବୁଦା ଉପୁଡ଼ି ପଡ଼ିଛି। ଆଉ କେଉଁଠି ଅଭୟାରଣ୍ୟ ପାଚେରି ଉପରେ ପଡ଼ିଛି ଶୁଖିଲା ବାଉଁଶ। ଜଙ୍ଗଲର ସବୁ ଆଡ଼େ ଶୁଖିଲା ବାଉଁଶ ପଡ଼ି ରହିଥିବାରୁ ‌ଏବେ ପାଦେ ପାଦେ ବିପଦ ସୃଷ୍ଟି ହୋଇଛି। ଯେକୌଣସି ସମୟରେ ଜଙ୍ଗଲ ମଧ୍ୟର ଏହି ବାଉଁଶ ବଣରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ରହିଛି। ଯେଉଁଥିପାଇଁ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିଦ ବି ହଜିଗଲାଣି। ବାତ୍ୟା ଦିନଠାରୁ ଜଙ୍ଗଲକୁ ସୁରକ୍ଷିତ ରଖିବା ଏବେ ଅଧିକାରୀଙ୍କ ଲାଗି ବଡ଼ ଆହ୍ବାନ ସୃଷ୍ଟି କରିଛି। ଥରେ ଯଦି ବାଉଁଶ ଜଙ୍ଗଲରେ ନିଆଁ ଲାଗିବ, ତାହାକୁ ନିୟନ୍ତ୍ରଣ କରିବା ସହଜ ହେବ ନାହିଁ। କେବଳ ଯେ ଜଙ୍ଗଲ ଧ୍ୱଂସ ହେବ, ତାହା ନୁହେଁ। ଅଭୟାରଣ୍ୟରେ ଥିବା ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁଙ୍କ ମୃତ୍ୟୁ ହେବ। ଏପରିକି ଭୁବନେଶ୍ବରକୁ ବି ନିଆଁ ମାଡ଼ି ଆସିବାର ବିପଦକୁ ଟାଳି ଦେଇହେବ ନାହିଁ।

୧୯୩ ବର୍ଗ କିମି ପରିବ୍ୟପ୍ତ ଏହି ଅଭୟାରଣ୍ୟରେ ପ୍ରାୟ ୨୦ବର୍ଗ କିମି ଅଞ୍ଚଳରେ ବାଉଁଶ ବଣ ରହିଛି। ଯେଉଁଠାରେ ୪୦ହଜାରରୁ ଅଧିକ ବାଉଁଶ ବୁଦା ରହିଛି। ବାତ୍ୟା ମାଡ଼ରେ ପ୍ରାୟ ୧୮ରୁ ୨୦ ହଜାର ବାଉଁଶ ବୁଦା ଉପୁଡ଼ି ପଡ଼ିଛି। ୧୪ ଦିନ ହେଲା ବାଉଁଶ ବୁଦାଗୁଡ଼ିକ ମାଟିରେ ଲୋଟିଥିବାରୁ ସେଗୁଡ଼ିକ ଶୁଖି ଯାଇଛି। ଏଥିସହ ବର୍ତମାନ ସମୟରେ ବାଉଁଶ ଫୁଲ ଓ ମଞ୍ଜି ଧରିଥିବାରୁ ସେଗୁଡ଼ିକ ଶୁଖି ମରିବା ଅବସ୍ଥାକୁ ଆସିଗଲାଣି। ଯଦି କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗିବ, ତେବେ ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।

ପରିବେଶବିତ୍‌ଙ୍କ କହିବା କଥା ହେଉଛି ଯେ ବାଉଁଶ ବଣରେ ନିଆଁ ଲାଗିଲେ ତାହା ଆଖି ପିଛୁଳାକେ ସାରା ଜଙ୍ଗଲକୁ ବ୍ୟାପିଯିବ। ଜଙ୍ଗଲ ଆଖପାଖ‌ରେ ଥିବା ଜନବସତି ମଧ୍ୟ ନିଆଁ ଧାସରେ ପ୍ରଭାବିତ ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ଏବେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ୫ଟି ଗାଁ ଲୋକ ବାସ କରୁଛନ୍ତି। ସେମାନଙ୍କ ଲାଗି ବିପଦ ସୃଷ୍ଟି ହୋଇପାରେ। ବା‌ତ୍ୟାରେ ଅନେକ ବାଉଁଶ ବୁଦା ଉପୁଡ଼ି ପଡ଼ିଥିବାରୁ ତାହାକୁ ସଫା କରିବା କିମ୍ବା କାଟିବା ସମ୍ଭବପର ନୁହେଁ। ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଜଙ୍ଗଲକୁ ରକ୍ଷା କରାଯାଇପାରିବ।

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) କେଦାରନାଥ ସ୍ୱାଇଁ କହିଛନ୍ତି, ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଲୋକଙ୍କୁ ସଚେତନ କରାଯାଉଛି। ୱାଚ୍‌ ଟାୱାରରୁ ଜଙ୍ଗଲ ଉପରେ କଡ଼ା ନଜର ରଖାଯାଇଛି। କର୍ମଚାରୀମାନେ ୨୪ଘଣ୍ଟିଆ ନଜର ରଖିଛନ୍ତି। ‌ନିଆଁ ଲିଭାଇବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳର ବି ପ୍ରୟୋଗ କରାଯିବ। ଏଥିପାଇଁ ଆମେ ପ୍ରସ୍ତୁତ ରହିଛୁ।

ଡେରାସ ପ୍ରକୃତି ପର୍ଯ୍ୟଟନ ପ୍ରଭାବିତ

ଅଭୟାରଣ୍ୟ ଭିତରେ ଥିବା‌ ଡେରାସ ଓ ଗୋଡ଼ିବାରି ପ୍ରକୃତି ପର୍ଯ୍ୟଟନ କମ୍ପ୍ଲେକ୍ସ ପ୍ରଭାବିତ ହୋଇଛି। ଗୋଡ଼ିବାରି ତୁଳନାରେ ଡେରାସ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡେରାସରେ ହୋଇଥିବା ବାଉଁଶ କଟେଜ୍‌ଗୁଡ଼ିକ ଭାଙ୍ଗି ଯାଇଛି। ନୂଆ କରି ତିଆରି ହୋଇଥିବା ୫ଟି କଟେଜ୍‌ ବି ଭାଙ୍ଗିଯାଇଛି। ସିଲିଂ ଉଡ଼ି ଯାଇଛି। ତେବେ ଗୋଡ଼ିବାରିରେ ନିର୍ମାଣ ହୋଇଥିବା କଟେଜ୍‌ଗୁଡ଼ିକ ଛାତ ଘର ହୋଇଥିବାରୁ ରକ୍ଷା ପାଇଯାଇଛି। ପ୍ରକୃତି ପର୍ଯ୍ୟଟନରେ ମୋଟ ୧୦ ଲକ୍ଷ ଟଙ୍କାର କ୍ଷତି ହୋଇଛି।

୨ କୋଟିର କ୍ଷୟକ୍ଷତି

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଦୁଇ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଏନେଇ ଅଭୟାରଣ୍ୟ କର୍ତୃପକ୍ଷ ଆଜି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ଅଭୟାରଣ୍ୟରେ ଥିବା ମୋଟ ୨୦ଟି ଭିଏଚ୍‌ଏଫ୍‌(ଭେରି ହାଇ ଫ୍ରିକ୍ୟୁଏନ୍ସି) ତଥା ୱାରଲେସ୍‌ ଟାୱାର ମଧ୍ୟରୁ ୧୨ଟି ନଷ୍ଟ ହୋଇଛି। ଯାହାର ଆନୁମାନିକ କ୍ଷତି ୫ ଲକ୍ଷ ଟଙ୍କା ହେବ। ସେହିପରି ଜଙ୍ଗଲର ବିଭିନ୍ନ ସ୍ଥାନରେ ଥିବା ୱାଚ୍‌ ଟାୱାର ସମେତ ବିଭିନ୍ନ ଭିତ୍ତିଭୂମିର ୫୪ ଲକ୍ଷ ଟଙ୍କା କ୍ଷତି ହୋଇଛି। ହାତୀ ଅଭୟାରଣ୍ୟ ହୋଇଥିବାରୁ ଜଙ୍ଗଲର ବିଭିନ୍ନ ପାର୍ଶ୍ବରେ ହାତୀଙ୍କୁ ରୋକିବା ଲାଗି ଟ୍ରେଞ୍ଚ, ତାର ଜାଲି, ପଥର ପାଚେରି ନିର୍ମାଣ ହୋଇଥିଲା। ସେଥିମଧ୍ୟରୁ ବାତ୍ୟାରେ ଅଧିକାଂଶ ଭାଙ୍ଗି ଯାଇଛି। ଯାହାର କ୍ଷତି ପରିମାଣ ପ୍ରାୟ ୯୦ଲକ୍ଷ ଟଙ୍କା ହେବ। ଏଥିସହ ବର୍ଷା ଯୋଗୁଁ ୬କିମି ରାସ୍ତା ଧସି ଯାଇଥିବା ଦେଖିବାକୁ ମିଳିଛି। ପରିବେଶ ପର୍ଯ୍ୟଟନରେ ୧୦ଲକ୍ଷ କ୍ଷତି ହୋଇଥିବା ବେଳେ ୨୦ ଲକ୍ଷ ଟଙ୍କାର ସାଇନ୍‌ଏଜ୍‌, ୧୨ ଲକ୍ଷ ଟଙ୍କାର ବୃକ୍ଷ ନଷ୍ଟ ହୋଇଛି।

ଜଙ୍ଗଲକୁ ଗଡ଼ିଲା ସଫାରି

ପର୍ଯ୍ୟଟକଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟର ମନୋରମ ଦୃଶ୍ୟର ମଜା ଦେବା ପାଇଁ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଆରମ୍ଭ ହୋଇଥିବା ଜଙ୍ଗଲ ସଫାରି ‘ଫନି’ ମାଡ଼ରେ ପ୍ରଭାବିତ ହୋଇଥିଲା। ବଡ଼ ବଡ଼ ଗଛ ରାସ୍ତାରେ ପଡ଼ିବା ଦ୍ବାରା ସଫାରି ଚାଲିବା ସମ୍ଭବପର ହୋଇ ନଥିଲା। ୧୨୧ କିମି ଜଙ୍ଗଲ ରାସ୍ତାରେ ବାଉଁଶ ପଡ଼ି ରହିଥିଲା। ଏବେ ତାହାକୁ ସଫା କରାଯାଇଛି। ସଫାରି ଚାଲିବାକୁ ଥିବା ରାସ୍ତା ସୁଗମ ହେବା ପରେ ଆଜିଠାରୁ ସଫାରି ‌ସ୍ବାଭାବିକ ହୋଇଛି। ପ୍ରଥମ ଦିନ ପର୍ଯ୍ୟଟକଙ୍କ ଆଗମନ ହୋଇ ନଥିଲେ ମଧ୍ୟ ସେବା ଯୋଗାଇବା ଲାଗି ୯ଟି ସଫାରି ପ୍ରସ୍ତୁତ ହୋଇରହିଛି। ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ୮ ସିଟ୍‌ ବିଶିଷ୍ଟ ୫ଟି ଓ ୧୨ ସିଟ୍‌ ବିଶିଷ୍ଟ ୪ଟି ସଫାରି ରହିଛି। ପର୍ଯ୍ୟଟକମାନେ ସକାଳ ୬ଟାରୁ ୧୦ଟା ଓ ସନ୍ଧ୍ୟା ୪ଟାରୁ ୬ଟା ଯାଏଁ ଏହି ସଫାରିର ସୁବିଧା ନେଇ ପାରିବେ। ବିସ୍ତୀର୍ଣ୍ଣ ଜଙ୍ଗଲ ଭିତରେ ବୁଲିବା ବେଳେ ପର୍ଯ୍ୟଟକମାନେ ବିଭିନ୍ନ ବନ୍ୟଜନ୍ତୁଙ୍କୁ ଏହି ଅଭୟାରଣ୍ୟ ଭିତରେ ଦେଖିବାକୁ ପାଇବେ।

ସମ୍ବନ୍ଧିତ ଖବର