ଭୁବନେଶ୍ବର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପରିବେଶ ପର୍ଯ୍ୟଟନ ବିକାଶ କରିବାକୁ ରାଜ୍ୟ ସରକାର ୨କୋଟି ୪୨ଲକ୍ଷ ୧୩ହଜାର ୨୨୪ ଟଙ୍କା ଖର୍ଚ୍ଚ କରିଛନ୍ତି। କଟେଜ୍‌ଗୁଡ଼ିକର ବିକାଶ, ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ନୂଆ ଗାଡ଼ି କିଣିବା, ପ୍ରଚାର ପ୍ରସାର ପାଇଁ ସାଇନ୍‌ଏଜ୍‌ ଲଗାଇବା, ଜେଟି ଓ ବୋଟ୍‌ କିଣିବା ବାବଦରେ ୨୦୨୦-୨୧ରୁ ୨୦୨୩-୨୪ ଆର୍ଥିକ ବର୍ଷ ଅର୍ଥାତ୍‌ ୪ ବର୍ଷ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହୋଇଛି। କେତେ ବିକାଶ ହୋଇଛି ଏବଂ କେତେ ଆୟ ହୋଇଛି ତାହା ଦୂରର କଥା। ମାତ୍ର ମରାମତିରେ କେବଳ ୬୦ ଲକ୍ଷ ୬୩ ହଜାର ୧୪୦ ଟଙ୍କା ଖର୍ଚ୍ଚ କରାଯାଇଛି। ଦୁଇଟି ଜେଟି ଓ ୧୦ ସିଟ୍‌ ବିଶିଷ୍ଟ ୬ଟି ଏଫ୍‌ଆରପି ବୋଟ୍‌ କିଣିବାରେ ୮୪ ଲକ୍ଷ ୫୫ ହଜାର ଟଙ୍କା ବ୍ୟୟ ହୋଇଛି। ରାଜଧାନୀ ଉପକଣ୍ଠ ହୋଇଥିଲେ ମଧ୍ୟ ଏଠିକାର ପରିବେଶ ପର୍ଯ୍ୟଟନ ପ୍ରତି ସେତେଟା ଆଗ୍ରହ ଦେଖିବାକୁ ମିଳୁ ନାହିଁ। ଚଳିତ ଆର୍ଥିକ ବର୍ଷର ପ୍ରଥମ ୭ ମାସରେ ମାତ୍ର ୨୩ ହଜାର ପର୍ଯ୍ୟଟକ ଭ୍ରମଣ କରିଛନ୍ତି। 

Advertisment

୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ପରିବେଶ ପର୍ଯ୍ୟଟନ ବିକାଶ କରିବାକୁ ୩୧ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ପରିବେଶ-ପର୍ଯ୍ୟଟନ ବିକାଶ ଓ ପରିଚାଳନା ବାବଦରେ ୮ ଲକ୍ଷ ୮୦ ହଜାର, ଆଉଟ୍‌ଡୋର ଏବଂ ଆଡ୍‌ଭେଞ୍ଚର ସ୍ପୋର୍ଟସ ବାବଦରେ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଗୋଟିଏ ଜେଟି ଓ ୪ଟି ୧୦ ସିଟ୍‌ ବିଶିଷ୍ଟ ଏଫ୍‌ଆରପି ବୋଟ୍‌ ବାବଦରେ ୪୫ ଲକ୍ଷ ୫୦ ହଜାର ଟଙ୍କା ଏବଂ ୪ଟି ଶୀତତାପ ନିୟନ୍ତ୍ରିତ ଗାଡ଼ି କ୍ରୟ ବାବଦରେ ୬୨ ଲକ୍ଷ ଟଙ୍କା ମଞ୍ଜୁର ସହ ଖର୍ଚ୍ଚ ହୋଇଥିଲା।  ୨୦୨୧-୨୨ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ୨୪ ଲକ୍ଷ ୩୮ ହଜାର ୨୨୪ ଟଙ୍କା ମଧ୍ୟରୁ ପରିବେଶ-ପର୍ଯ୍ୟଟନ ବିକାଶରେ ୮୦ ହଜାର ୮୦୦, ୧୫ଟି ପରିବେଶ-ପର୍ଯ୍ୟଟନ ସାଇନ୍‌ଏଜ୍‌ ଲଗାଇବାକୁ ୪ ଲକ୍ଷ ୫୦ ହଜାର, ଡେରାସ ଓ ଗୋଡ଼ିବାରିରେ ପରିବେଶ ପର୍ଯ୍ୟଟନ ବିକାଶରେ ୧୧ ଲକ୍ଷ ୬୨ ହଜାର ୩୪୦ ଏବଂ ବିଜ୍ଞାପନ ବାବଦରେ ୧୭ ହଜାର ୮୮୪ ଟଙ୍କା ଖର୍ଚ୍ଚ କରାଯାଇଥିଲା।

 ୮୫ ଲକ୍ଷରେ କିଣାଯାଇଛି ଦୁଇଟି ଜେଟି, ୬ ବୋଟ୍‌
ମରାମତିରେ ଗଲାଣି ୬୧ ଲକ୍ଷ
ଏବର୍ଷ  ମାତ୍ର ୨୩ ହଜାର ଲୋକ 

୨୦୨୨-୨୩ରେ ମଞ୍ଜୁର ହୋଇଥିବା ୩୯ ଲକ୍ଷ ୪୦ ହଜାର ମଧ୍ୟରୁ ଡେରାସ ଓ ଗୋଡ଼ିବାରିରେ ପରିବେଶ ପର୍ଯ୍ୟଟନ ବିକାଶରେ ୧୨ ଲକ୍ଷ ୬୪ ହଜାର, ୧୨ ସିଟ୍‌ ଓ ୮ ସିଟ୍‌ ଗାଡ଼ି ମରାମତି ସହ ନୂଆ ସାଇନ୍‌ଏଜ୍‌ ଲଗାଇବା ବାବଦରେ ୭ଲକ୍ଷ ୭୪ ହଜାର ୬୦୦, ଡେରାସ କଟେଜ୍‌ର ମରାମତି ବାବଦରେ ୯ ଲକ୍ଷ ୫୬ ହଜାର, ଭରତପୁର ପ୍ରକୃତି ସଚେତନତା କେନ୍ଦ୍ରର ମରାମତି ବାବଦରେ ୮ ଲକ୍ଷ ୭୦ ହଜାର ୪୦୦, ଡମପଡ଼ା ପ୍ରକୃତି ସଚେତନତା କେନ୍ଦ୍ର ମରାମତିରେ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୧୦ ସିଟ୍‌ ବିଶିଷ୍ଟ ଦୁଇଟି ଏଫ୍‌ଆରପି ବୋଟ୍‌ ଓ ଗୋଟିଏ ଜେଟି କିଣିବାକୁ ୩୯ ଲକ୍ଷ ୫ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ତାହା ଖର୍ଚ୍ଚ କରାଯାଇଛି।

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ରାତ୍ରିଯାପନ ଓ ପରିଭ୍ରମଣର ସୁଯୋଗ ଦେବାକୁ ଡେରାସ ପ୍ରକୃତି ଶିବିର ଓ ସଫାରି ଯାନର ବ୍ୟବସ୍ଥା ହୋଇଛି। ଭୁବନେଶ୍ବର ଓ ଅଭୟାରଣ୍ୟ ଆଖାପାଖ ରାସ୍ତାପାର୍ଶ୍ବରେ ସୂଚନା ଫଳକ ଲଗାଯାଇଛି। ପର୍ଯ୍ୟଟକଙ୍କ ପାଇଁ ଡେରାସଠାରେ ରାତ୍ରିଯାପନ ପାଇଁ ପ୍ରକୋଷ୍ଠ ସହ ଭୋଜନାଳୟର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ନୌକାବିହାର ପାଇଁ ଡେରାସରେ ୪ଟି ଯାନ୍ତ୍ରିକ ଡଙ୍ଗାର ବ୍ୟବସ୍ଥା ହୋଇଛି। ଅଭୟାରଣ୍ୟ ଭ୍ରମଣ କରିବାକୁ ଗୋଡ଼ିବାରିରେ ୫ଟି ଗାଡ଼ିର ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକମାନେ ଅଭୟାରଣ୍ୟରେ ଭ୍ରମଣ କରିବାକୁ ଭରତପୁର ଜଙ୍ଗଲରେ ଦୁଇଟି ଶୀତତାପ ନିୟନ୍ତ୍ରିତ ଗାଡ଼ି ସହ ଆଉ ଦୁଇଟି ଗାଡ଼ି ରହିଛି। ସନ୍ଧ୍ୟା ଭ୍ରମଣ ନିମନ୍ତେ ମଧ୍ୟ ଜଙ୍ଗଲରେ ବ୍ୟାପକ ସୁବିଧା ସୁଯୋଗ ‌କରାଯାଇଛି। ୪ ବର୍ଷରେ ପର୍ଯ୍ୟଟକ ବଢ଼ୁଥିଲେ ମଧ୍ୟ ୨୦୨୪-୨୫ ଆର୍ଥିକ ବର୍ଷର ଅକ୍ଟୋବର ମାସ ସୁଦ୍ଧା ମାତ୍ର ୨୩ ହଜାର ୫୫୨ ଜଣ ପର୍ଯ୍ୟଟକ ଭ୍ରମଣ କରିଛନ୍ତି। ଅଭୟାରଣ୍ୟର ସ୍ଥିତି ଓ ଯାତାୟତର ସୁବିଧାକୁ ଦେଖିଲେ ଏହି ସଂଖ୍ୟା ଆଦୌ ଉତ୍ସାହଜନକ ନୁହେଁ। ହୁଏତ ସେଇଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏବର୍ଷ ଏପର୍ଯ୍ୟନ୍ତ ଟଙ୍କାଟିଏ ପ୍ରଦାନ କରିନାହାନ୍ତି। ତେଣୁ ଏଠାକାର ପରିବେଶ ପର୍ଯ୍ୟଟନର ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।