ଲୁଚକାଳି ଖେଳୁଛନ୍ତି ଚନ୍ଦକା ହାତୀ, ନାକେଦମ୍‌ ନନ୍ଦନକାନନ କର୍ମଚାରୀ

ବାରଙ୍ଗ: ଦୁଇ ଦିନ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଧ‌ସେଇ ପଶିବାକୁ ଉଦ୍ୟମ ଜାରି ରଖିଛନ୍ତି ଚନ୍ଦକା ଅଭୟାରଣ୍ୟରୁ ଆସିଥିବା ହାତୀ ଯୋଡ଼ି। ନନ୍ଦନକାନନ କର୍ମଚାରୀମାନେ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରି ନ‌ାକେଦମ୍‌ ହେଲେଣି। ବାଣ ଫୁଟାଇବା ଦେଖି ପଳାଉଥିବା ଏହି ଦୁଇ ହାତୀ ପୁଣି କିଛି ସମୟ ପରେ ନନ୍ଦନକାନନ ପାଚେରି ପାଖକୁ ମାଡ଼ି ଆସୁଛନ୍ତି। ନନ୍ଦନକାନନ କର୍ମଚାରୀଙ୍କ ସହ ଲୁଚକାଳି ଖେଳୁଥିବା ଏହି ହାତୀ ଯୋଡ଼ି ଏବେ ପ୍ରାଣୀ ଉଦ୍ୟାନ ପ୍ରତି ବଡ଼ ବିପଦ ଭାବେ ମୁଣ୍ଡ ଟେକିଛନ୍ତି।

ଏହି ହାତୀ ଯୋଡ଼ିଙ୍କ ମଧ୍ୟରେ ରହିଛି ଏକ ଦନ୍ତା ଓ ଅନ୍ୟଟି ମାଈ ହାତୀ। ଏମାନେ ଶନିବାର ରାତିରେ ବାଘ ସଫାରି ପଛ ପାଚେରିରୁ ପ୍ରାୟ ଦଶ ଫୁଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ତେବେ ସୌଭାଗ୍ୟକୁ ସେମାନେ ବାଘମାନଙ୍କ ପାଖରେ ପହଞ୍ଚି ପାରି ନଥିଲେ। ନ‌ଚେତ ବଡ଼ଧରଣର କିଛି ଅଘଟଣ ଘଟିବାର ଆଶଙ୍କା ଥିଲା। ରବିବାର ସକାଳେ କର୍ମଚାରୀମାନେ ସେମାନଙ୍କୁ ଦେଖିବା ପରେ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଥିଲେ ଓ ସେମାନଙ୍କୁ ଜଗି ରହିବା ପାଇଁ ବ୍ୟବସ୍ଥା କରିଥିଲେ। ଖବର ପାଇ ଚନ୍ଦକା ଅଭୟାରଣ୍ୟର କର୍ମଚାରୀମାନେ ମଧ୍ୟ ନନ୍ଦନକାନନ କର୍ମଚାରୀଙ୍କ ସହ ଯୋଗ ଦେଇଥିଲେ।

ଫଳରେ ବଣବୁଦା ଭିତରେ ଛପି ରହିଥିବା ହାତୀ ଯୋଡ଼ି ରାତି ହେବା ପରେ ନନ୍ଦନକାନନ ପରିସର ଛାଡ଼ି ଭାଙ୍ଗି ଥିବା ପାଚେରି ବାଟ ଦେଇ ଅଭୟାରଣ୍ୟକୁ ଚାଲି ଯାଇଥିଲେ। ଏହି ହାତୀ ଯୋଡ଼ିରେ ଗୋଟିଏ ମାକନା ଥିଲା ବୋଲି ଅନୁମାନ କରାଯାଉଥିଲା। ତେବେ ସବୁବେ‌ଳେ ଏକୁଟିଆ ବୁଲୁଥିବା ମାକନା ସହ ଅନ୍ୟ ହାତୀଟି ଯୋଡ଼ି ହୋଇଥିବା ଦେଖି କିଛି ସନ୍ଦେହ ମଧ୍ୟ ଥିଲା। ତେବେ ସେମାନେ ଅଭୟାରଣ୍ୟକୁ ଫେରି ଯାଇଥିବାରୁ ଉଭୟ ନନ୍ଦନକାନନ ଓ ଅଭୟାରଣ୍ୟ କର୍ମଚାରୀମାନେ ଆଶ୍ବସ୍ତ ହୋଇଥିଲେ। ହେଲେ ସୋମବାର ସକାଳେ ପୁଣି ସେମାନଙ୍କୁ ଦେଖିବାକୁ ମିଳିଥିଲା। ସେମାନେ ପୁଣି ଅନ୍ୟ ଏକ ସ୍ଥାନରେ ପାଚେରି ଭାଙ୍ଗି ଭିତରେ ପଶିଥିଲେ। ରାତିରେ ଅଭୟାରଣ୍ୟକୁ ନ ଯାଇ ସେମାନେ ପୁଣି ପାହାନ୍ତିଆ ପ୍ରହରରେ ନନ୍ଦନକାନନକୁ ଫେରିଥିବା ଜଣାପଡ଼ିଥିଲା। ତେବେ ସୋମବାର ହାତୀ ଯୋଡ଼ିକୁ ଭଲ ଭାବେ ଦେଖି ହେବା ପରେ ମାକନା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ବିଶାଳ ଦନ୍ତା ସହ ମାଈ ହାତୀ ଏଭଳି କାଣ୍ଡ କରୁଛନ୍ତି ‌ବୋଲି ଜଣାପଡ଼ିଥିଲା। ତେଣୁ ଦିନ ସାରା ଜଗିବା ପରେ ଆଜି ସନ୍ଧ୍ୟା ସାତଟାରୁ ପୁଣି ଆରମ୍ଭ ହୋଇଥିଲା ହାତୀ ଘଉଡ଼ା ଅପରେସନ୍‌। ବାଣ ଫୁଟାଇ କର୍ମଚାରୀମାନେ ହାତୀ ଯୋଡ଼ିଙ୍କୁ ନନ୍ଦନକାନନ ପରିସରରୁ ବାହାର କରିଛନ୍ତି। ଆଜି ରାତି ସାରା ସେମାନଙ୍କୁ ଜଗି ରହିବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର