ଗାନ୍ଧୀ ଜୟନ୍ତୀରେ ଖୋଲିବ ଚନ୍ଦକା ହସ୍ତୀ ଅଭୟାରଣ୍ୟ

ବାରଙ୍ଗ/ମେଣ୍ଢାଶାଳ: ମହାମାରୀ କରୋନା କଟକଣା ପାଇଁ ମାର୍ଚ୍ଚ ୨୭ ତାରିଖରୁ ଦର୍ଶକଙ୍କ ପାଇଁ ବନ୍ଦ ରହିଥିବା ଚନ୍ଦକା‌-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୨ ତାରିଖରେ ପୁଣି ଖୋଲିବ। ଗାନ୍ଧୀ ଜୟନ୍ତୀ ଅବସରରେ କରୋନା କଟକଣା ନିୟମାନୁସାରେ ଏହି ଅଭୟାରଣ୍ୟ ଦର୍ଶକମାନଙ୍କ ପାଇଁ ଖୋଲା ରହିବ। ତେଣୁ ଚନ୍ଦକା ଗୋଡ଼ିବାରୀ ମୁଖ୍ୟ ଫାଟକ ଦେଇ ଦର୍ଶକମାନେ ଅଭୟାରଣ୍ୟ ଭିତରକୁ ଯାଇ ପୁଣି ପ୍ରାକୃତିକ ଜଙ୍ଗଲର ମନୋରମ ଦୃଶ୍ୟ ଦେଖିବାର ସୁଯୋଗ ଲାଭ କରିବେ।

ଚନ୍ଦକା ଡିଏଫ୍ଓ କେଦାରନାଥ ସ୍ବାଇଁଙ୍କ ସୂଚନାନୁସାରେ ଦର୍ଶକମାନେ କୋଭିଡ୍‌ କଟକଣାରେ ଅଭୟାରଣ୍ୟ ଭିତରକୁ ଯିବେ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ। ଏଥିପାଇଁ ସୁରକ୍ଷାକର୍ମୀମାନେ ଜଗି ରହିବେ ବୋଲି ସେ ସୂଚନା ଦେଇଛନ୍ତି। ଦର୍ଶକମାନଙ୍କ ପାଇଁ ରହଣିଠାରୁ ଆରମ୍ଭ କରି ଖାଦ୍ୟ ପାନୀୟ ଯୋଗାଇବାର ବ୍ୟବସ୍ଥା ରହିଛି ବୋଲି ଡିଏଫ୍ଓ କହିଛନ୍ତି। ସୂଚନାଯୋଗ୍ୟ, ଏହି ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କୁ ଦେଖିବା ପାଇଁ ୱାଚ୍‌ ଟାୱାର ରହିଛି। ଭରତପୁର, ଅମ୍ବିଲ, କୁମାରଖୁଣ୍ଟି ଓ ମାଣ୍ଟୁ ଭଳି ସ୍ଥାନରେ ନିର୍ମାଣ ହୋଇଥିବା ୱାଚ୍‌ ଟାୱାର, ବାଉଁଶବେରଣାର ଜଳଭଣ୍ଡାର, ଐତିହାସିକ ଚୂଡ଼ଙ୍ଗଗଡ଼ ଦୁର୍ଗ ଓ ବୁଆଳିଗଡ଼ର ଭଗ୍ନ ଦୁର୍ଗ, ଆମ୍ବଖଳି ଠାକୁରାଣୀ, ଡେରାସର ବାଉଁଶ ଘର ଆଦି ଦେଖିବାକୁ ମିଳିବ। ସେହିପରି ପିତାଗାଡ଼ିଆ, ନଅରଥଳି, କୁମାରଖୁଣ୍ଟି, ଚୂଡ଼ଙ୍ଗଗଡ, ଶାଳବାରି, ପିଠାଖିଆ, ମାଣ୍ଟୁ, ଡାହାଣୀଗାଡ଼ିଆ, ବେହେଣ୍ଟାସାହି, ନୂଆକୂଅ, ଢୋ‌ଲକାଠ, ସୁଳାଖଣି, ଝୁମୁକା, ଡେରାସ, ଝଲରା, ଅମ୍ବିଲୋ ଓ ମାଡ଼ୁଆ ଭଳି ପର୍ଯ୍ୟଟନସ୍ଥଳୀ ରହିଛି।

ସମ୍ବନ୍ଧିତ ଖବର