ଚନ୍ଦକା ଜଙ୍ଗଲ ମର୍ଡର୍‌ ପଏଣ୍ଟ

୪ଟି ହତ୍ୟାକାଣ୍ଡର ଏଯାଏ ହୋଇ ପାରିନାହିଁ ପର୍ଦାଫାସ

ଭୁବନେଶ୍ବର/ଖଣ୍ଡଗିରି: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳର ଯୁବତୀ ସସ୍ମିତା ବିଶ୍ବାଳ(୨୫)ଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ପରେ ଏବେ ଚନ୍ଦକା ଜଙ୍ଗଲକୁ ନେଇ ପୁଣି ଥରେ ଚର୍ଚା ଜୋର ଧରିଛି। ଚନ୍ଦକା ଜଙ୍ଗଲ ଯେମିତି ହତ୍ୟାକାରୀଙ୍କ ଅପରାଧର ଆଡ଼ା ପାଲଟି ଯାଇଛି। ପ୍ରମାଣ ନଷ୍ଟ କରିବା ଲକ୍ଷ୍ୟ ନେଇ ହତ୍ୟାକାରୀ ଏଠାକୁ ଆସି ହତ୍ୟାକାଣ୍ଡ ଘଟାଉଛନ୍ତି। ଯାହା ପରବର୍ତୀ ସମୟରେ କମିସନରେଟ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ଯାଉଛି। ଏହି କାରଣରୁ ଏବେ ରାଜଧାନୀ ଉପକଣ୍ଠ ଚନ୍ଦକା ଜଙ୍ଗଲ ବହୁ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ମୂକସାକ୍ଷୀ ପାଲଟି ଯାଇଛି। ଯାହା ସୂଚନା ମିଳିଛି, ୪ବର୍ଷ ମଧ୍ୟରେ ୭ଟି ହତ୍ୟାକାଣ୍ଡ ଘଟିଛି। ସବୁ ଘଟଣାରେ ହତ୍ୟାକାରୀମାନେ ଅନ୍ୟସ୍ଥାନରୁ ଆସି ଏଠାରେ ହତ୍ୟାକାଣ୍ଡ ଭିଆଇଛନ୍ତି, ନଚେତ ଅନ୍ୟସ୍ଥାନରେ ହତ୍ୟା କରି ମୃତଦେହକୁ ନେଇ ସେଠାରେ ଫିଙ୍ଗିଛନ୍ତି। ପୁଲିସ ମାତ୍ର ୩ଟି ହତ୍ୟାକାଣ୍ଡର ଗୁମର ଖୋଲିଥିଲେ ମଧ୍ୟ ଏବେ ମଧ୍ୟ ଆଉ ୪ଟି ହତ୍ୟାକାଣ୍ଡର ପର୍ଦାଫାସ ହୋଇ ପାରିନାହିଁ। ଏମିତିକି ମୃତଦେହକୁ ଚିହ୍ନଟ କରିବା ମଧ୍ୟ ପୁଲିସ ପକ୍ଷେ ସମ୍ଭବ ହୋଇପାରିନାହିଁ। ତେବେ ପ୍ରତିଥର ଲୋମଟାଙ୍କୁରା ହତ୍ୟାକାଣ୍ଡରେ ଥରି ଉଠିଛି ଚନ୍ଦକାର ଛାତି। କେତେକ ହତ୍ୟାକାଣ୍ଡ ଏବେ ବି ସ୍ଥାନୀୟ ଲୋକଙ୍କ ମନରୁ ଲିଭିନାହିଁ। ହସ୍ତୀ ଅଭୟାରଣ୍ୟ ସଂଲଗ୍ନ ସଂରକ୍ଷିତ ଓ ଗ୍ରାମ୍ୟ ଜଙ୍ଗଲ ପାଲଟି ଯାଇଛି ମଣିଷମରା ଜଘନ୍ୟ ଅପରାଧୀଙ୍କ ଅଭୟାରଣ୍ୟ। ଗତ ୨୦ ତାରିଖର ଘଟଣା। ଚନ୍ଦକା ମଳିପଡ଼ା ଓସ୍ତମଡ଼ା ଗ୍ରାମ୍ୟ ଜଙ୍ଗଲ ଭିତରେ ମିଳିଥିଲା ଜଣେ ଯୁବତୀଙ୍କ ମୁଣ୍ଡବିହୀନ ଗଳିତ ମୃତଦେହ। ୬ ଦିନ ପରେ ମିଳିଥିଲା ଏହି ଶବ। ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଚନ୍ଦକାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ତେବେ ଆତ୍ମସମର୍ପଣ କରିଥିବା ଖୋଦ୍ ହତ୍ୟାକାରୀ ହିଁ ପୁଲିସକୁ ଏହି ମୃତଦେହ ଉଦ୍ଧାର କରାଇଥିଲା ଓ ମୁଣ୍ଡକୁ ମଧ୍ୟ ଖୋଜି ବାହାର କରିଥିଲା। ପୁରୀ ସତ୍ୟବାଦୀ ଅଞ୍ଚଳର ଯୁବତୀ ସସ୍ମିତା ବିଶ୍ବାଳ(୨୫)ଙ୍କୁ ଡେଲାଙ୍ଗ ଅଞ୍ଚଳର ଯୁଧିଷ୍ଠିର ସ୍ବାଇଁ(୨୭) ଏଭଳି ନିର୍ମମ ହତ୍ୟା କରିଥିଲା ଏହି ଜଙ୍ଗଲ ଭିତରେ। ବିବାହ କରିବାରୁ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଘରୁ ନେଇ ଆସିବା ପରେ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିଲା ଯୁଧିଷ୍ଠିର। ମୁଣ୍ଡଗଣ୍ଡି ଅଲଗା କରି ଅପହଞ୍ଚ ଜଙ୍ଗଲରେ ଫିଙ୍ଗି ଦେଲେ କଥା ଅଛପା ରହିଯିବ ଭାବି ଯୁଧିଷ୍ଠିର ଏହି ଅଞ୍ଚଳକୁ ବାଛିଥିଲା। କିନ୍ତୁ ପରେ ପୁଲିସ ତଦନ୍ତରୁ ନିଜକୁ ବଞ୍ଚାଇବାର ବାଟ ନପାଇ ଆତ୍ମସମର୍ପଣ କରି ଦେଇଥିଲା। ଏବେ ଯୁଧିଷ୍ଠିରକୁ ଜେଲ୍ ହାଜତକୁ ପଠାଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ଚର୍ଚାରେ ଥିଲା ଗ୍ୟାସ ଏଜେନ୍ସି ମ୍ୟାନେଜରଙ୍କ ହତ୍ୟା
୨୦୧୪ ନଭେମ୍ବର ୮ରେ ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଡେରାସ ଡ୍ୟାମ୍ ନିକଟ ଶିଆଳିଆଗଂଜ ନାଳରୁ ପୁଲିସ ଉଦ୍ଧାର କରିଥିଲା ଜଣେ ଯୁବକଙ୍କ ମୃତଦେହ। ଛାନଭିନ୍ ପରେ ସେ କଟକ ରୋଡ୍‌ କୋଣାର୍କ ଆପାର୍ଟମେଣ୍ଟରେ ରହୁଥିବା (ଗ୍ୟାସ ଏଜେନ୍ସି ମ୍ୟାନେଜର) ପ୍ରମୋଦ ରାଉତରାୟ(୪୪) ବୋଲି ଜଣାପଡ଼ିଥିଲା। ଅଧିକ ଖୋଳତାଡ଼ ପରେ ଏହି ହତ୍ୟାକାଣ୍ଡ ପଛର ସଂଗିନ୍ ଷଡ଼ଯନ୍ତ୍ରର ପର୍ଦଫାସ କରିଥିଲା ଲକ୍ଷ୍ମୀସାଗର ଥାନା ପୁଲିସ। ପ୍ରମୋଦଙ୍କ ସ୍ତ୍ରୀ ତୃପ୍ତି(୨୫) ହିଁ ଥିଲେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ପ୍ରମୋଦଙ୍କ କାମାତୁର ଆଚରଣରେ ଅତିଷ୍ଠ ହୋଇ ତୃପ୍ତି ଏଭଳି ଚରମ ପଦକ୍ଷେପ ନେଇଥିବା ପୁଲିସ ତଦନ୍ତରୁ ସୂଚନା ଦେଇଥିଲା। ପ୍ରୋଟିନ୍ ଜୁସରେ ଏକାଥରକେ ୨୫ଟି ନିଦ ବଟିକା ମିଶାଇ ପିଆଇ ଦେବା ପରେ ପ୍ରମୋଦ ସଂଜ୍ଞାହୀନ ହୋଇପଡ଼ିଥିଲେ ଓ ଏହି ମୌକାରେ ତଣ୍ଟି ଚିପି ତୃପ୍ତି ହତ୍ୟା କରିଥିଲେ। ତେବେ ଖସିଯିବା ପାଇଁ ଶବକୁ ଚନ୍ଦକାରେ ଫିଙ୍ଗି ଦେବାକୁ ଯୋଜନା କରିଥିଲେ। ଜଣେ ସ୍ତ୍ରୀ ସ୍ବାମୀକୁ ହତ୍ୟା କରିବାକୁ ଯାଇ ଏଭଳି ଅବିଶ୍ବସନୀୟ ଷଡ଼ଯନ୍ତ୍ର ରଚିପାରୁଥିବା କଥା ସେତେବେଳେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହିଭଳି ୨୦୧୭ ଜୁଲାଇ ୨୪ରେ ଇନ୍‌ଫୋସିଟି ଥାନା ପୁଲିସ ଭରତପୁର ସଂରକ୍ଷିତ ଜଙ୍ଗଲ ପାର୍ଶ୍ବରୁ ଅଟୋଚାଳକ ଶିବଶଙ୍କର ମହାନ୍ତିଙ୍କ ଶବ ଉଦ୍ଧାର କରିଥିଲା। ତଣ୍ଟିକାଟି ତାଙ୍କୁ ହତ୍ୟା କରାଯାଇଥିଲା। ଅବଶ୍ୟ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ରହସ୍ୟମୟ ହୋଇ ରହିଗଲା କେତେକ ହତ୍ୟାକାଣ୍ଡ
୨୦୧୪ ମସିହାରେ ଦେଉଳିଆ ମୁଣ୍ଡିଆରୁ ମିଳିଥିବା ମହିଳାଙ୍କ ଗଳିତ ଶବ ମିଳିବା ମାମଲାର ପର୍ଦାଫାସ ହୋଇପାରିନାହିଁ। ପାହାଡ଼ ଉପରେ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ମାତ୍ର ମୃତ ମହିଳାଙ୍କୁ ଚିହ୍ନଟ କରିବା ସମ୍ଭବ ନ ହେବାରୁ ଜଟଣୀ ଥାନା ଯାଁଳା ଫାଣ୍ଡି ପୁଲିସ ଅପରାଧୀଙ୍କୁ ଧରିପାରିଲା ନାହିଁ। ସେହିଭଳି ଅନ୍ୟ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଥିଲା ଚନ୍ଦକା ସୁନ୍ଦରପୁର ଜଙ୍ଗଲରେ। ୨୦୧୭ ଜୁଲାଇ ୧୭ରେ ଚନ୍ଦକା ଥାନା ପୁଲିସ ଜଣେ ଯୁବକଙ୍କ ମୃତଦେହ ଏହି ଗ୍ରାମ୍ୟ ଜଙ୍ଗଲରୁ ଠାବ କରିଥିଲା। ଯୁବକଙ୍କ ଦେହରେ ବହୁ କ୍ଷତ ଚିହ୍ନ ଥିବାବେଳେ ତାଙ୍କୁ ଘୋଷାରି ଘୋଷାରି ଏକ ବୁଦାମୂଳେ ଫିଙ୍ଗି ଦିଆଯାଇଥିଲା। ମୃତଦେହ ନିକଟରେ କିଛି ଭଲ ଓ ଭଙ୍ଗା ଚୁଡ଼ି ମିଳିବାରୁ ଏହାକୁ ନେଇ ସନ୍ଦେହ ବଢ଼ିଥିଲା। ଏହି ହତ୍ୟାକାଣ୍ଡରେ ବି ଜଣେ ମହିଳାଙ୍କ ହାତ ଥିବା ଅନୁମାନ କରାଯାଇଥିଲା ଓ ମହିଳା ଜଣଙ୍କ ମୃତକଙ୍କ ସ୍ତ୍ରୀ ବୋଲି ପୁଲିସ ସନ୍ଦେହ କରିଥିଲା। କିନ୍ତୁ ଉକ୍ତ ଯୁବକଙ୍କ ପରିଚୟ ମିଳିନଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ପ୍ରମାଣ ଥିବାରୁ କମିସନରେଟ୍ ପୁଲିସ ପରିଚୟ ପାଇଁ ସବୁ ପ୍ରକାର ଉଦ୍ୟମ କରି ବିଫଳ ହୋଇଥିଲା।

ମାମଲା ଏବେ ବି ତଦନ୍ତାଧୀନ ଅଛି
ଯଦି ମୃତକଙ୍କ ପରିଚୟ ନ ମିଳେ କିମ୍ବା କେହି ଦାବିଦାର ନ ଆସନ୍ତି, ଏ କ୍ଷ୍ରେତରେ ତଦନ୍ତ କରିବା ବା ହତ୍ୟାକାଣ୍ଡର ପର୍ଦାଫାସ କରିବା ପୁଲିସ ପାଇଁ କଷ୍ଟକର। କିନ୍ତୁ ଚନ୍ଦକା ଜଙ୍ଗଲରେ ଘଟିଥିବା ସବୁ ହତ୍ୟାକାଣ୍ଡ ଉପରେ ପୁଲିସର ନଜର ଅଛି। ଯେଉଁ ହତ୍ୟାକାଣ୍ଡର ପର୍ଦାଫାସ ହୋଇପାରିନାହିଁ, ସେହି ସବୁ ମାମଲା ଏବେ ବି ତଦନ୍ତାଧୀନ ଅଛି। ଅଭିଯୁକ୍ତ ନିଶ୍ଚୟ ଧରାପଡ଼ିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର