ଚନ୍ଦକାରେ ନିଆଁ ଲଗାଉଛି କିଏ? ଜଳିଗଲାଣି ଏକର ଏକର ଜଙ୍ଗଲ, ଜଙ୍ଗଲ ଜଗିଥିବା ବନ କର୍ମଚାରୀ ବେପରୱା

ମୁହଁ ଖୋଲୁନାହାନ୍ତି ବନ ଅଧିକାରୀ, ପିସିସିଏଫ୍‌ ଅଫିସ୍‌ କହିଲା ନଜରକୁ ଆସିନି

ଭୁବନେଶ୍ବର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନିଆଁ ଲଗାଉଛି କିଏ? ସାଧାରଣ ଲୋକେ ନା ଖୋଦ୍ ବନ କର୍ମଚାରୀ? ନା ଏହା ଭିତରେ ଭୋଜିଭାତ କରିବାକୁ ଆସୁଥିବା ପର୍ଯ୍ୟଟକ? ସାଧାରଣ ଲୋକେ ଯଦି ଜଙ୍ଗଲରେ ନିଆଁ ଲଗାଉଛନ୍ତି ତେବେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ କ’ଣ କରୁଛନ୍ତି? ଜଙ୍ଗଲ ଜଗୁଛନ୍ତି ନା ଦିନ ଦିପହରରେ ଶୋଇ ପଡ଼ୁଛନ୍ତି? ୩୫ ଦିନ ଭିତରେ ଅଭୟାରଣ୍ୟର ୫୦ଟି ସ୍ଥାନରେ ନିଆଁ ଲାଗିବା ନେଇ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ତଥ୍ୟ ଦେବା ପରେ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଏଭଳି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଯଦି ରାଜଧାନୀ ଉପକଣ୍ଠ ଜଙ୍ଗଲକୁ ରାଜ୍ୟ ସରକାର ସୁରକ୍ଷା ଦେଇପାରୁ ନାହାନ୍ତି ତେବେ ଅନ୍ୟ ଜଙ୍ଗଲରେ ଲାଗୁଥିବା ନିଆଁକୁ କିଭଳି ଆୟତ୍ତକୁ ‌ଆଣିବେ ସେନେଇ ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି।

ଗତ ୭ ତାରିଖରେ ଚନ୍ଦକାର ୧୩ଟି ସ୍ଥାନରେ ନିଆଁ ଲାଗିଥିଲା। ଏଥିରେ ଏକର ଏକର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଇଛି। ବିଶେଷକରି ବାଉଁଶ ବୁଦା ଅଧିକ ପ୍ରଭାବିତ ହୋଇଛି। ହଜାର ହଜାର ବାଉଁଶ ଗଛ ଜଳିଯାଇଛି। ତେବେ ଏ ସମ୍ପର୍କରେ ଚନ୍ଦକା-ଡମପଡ଼ା ଡିଏଫ୍‌ଓ କେଦାରନାଥ ସ୍ବାଇଁ କୌଣସି ଉତ୍ତର ଦେଉ ନ ଥିବା ବେଳେ କର୍ମଚାରୀମାନେ ବି ଚୁପ୍‌ ବସିଛନ୍ତି। କିଭଳି ଓ କାହିଁକି ନିଆଁ ଲାଗିଲା ସେନେଇ କାହା ପାଖରେ ଖବର ନାହିଁ। କେତେ ଏକର ଜଙ୍ଗଲ ଜଳିଲା, କେମିତି ନିଆଁକୁ ନିୟନ୍ତ୍ରଣ କରାଗଲା ସେ ଉତ୍ତର ବି କେହି ଦେଉନାହାନ୍ତି। ଏହାରି ଭିତରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରର କିଛି ନିଛକ ଚିତ୍ର ‘ସମ୍ବାଦ’ର ହସ୍ତଗତ ହୋଇଛି। ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଜଙ୍ଗଲ ନିଆଁରେ କିଭଳି ଅଭୟାରଣ୍ୟର ଜୈବ ବିବିଧତା ନଷ୍ଟ ହୋଇଛି। ଅନେକ ସ୍ଥାନରେ ଥିବା ଛୋଟ ଛୋଟ ଗୁଳ୍ମଲତା ଆଉ ଦେଖାଯାଉନି। ପାଖାପାଖି ୪୦ ଏକର ଜଙ୍ଗଲ ଏକପ୍ରକାର ମଶାଣି ହୋଇଯାଇଛି। ଯୁଆଡ଼େ ଅନାଇଲେ କେବଳ ପାଉଁଶ ହିଁ ପାଉଁଶ ଦେଖିବାକୁ ମିଳୁଛି। ନିଆଁର ଆଁ ଭିତରକୁ ବଡ଼ ଗଛଗୁଡ଼ିକର ଡାଳ ଓ ପତ୍ର ବି ଚାଲି ଆସିଛି। ଏତେ ସଂଖ୍ୟକ ଜଙ୍ଗଲ ପୋଡ଼ି ଯାଇଥିଲେ ମଧ୍ୟ ବନ ବିଭାଗ ଅଧିକାରୀମାନେ କିଭଳି ଜାଣିପାରିଲେ ନାହିଁ ତାହାକୁ ନେଇ ସନ୍ଦେହ ଉପୁଜିଛି।

ଗତ ୭ ତାରିଖରେ କେତେଜଣ ଯୁବକ ଅଭୟାରଣ୍ୟର କୋର୍‌ ଅଞ୍ଚଳରେ ଟ୍ରେକିଂ କରିବା ସମୟରେ କିଛି ବେପରୱା ବନ କର୍ମଚାରୀଙ୍କ କାରନାମାକୁ କ୍ୟାମେରାରେ କଏଦ କରିଥିଲେ। ଡେରାସ ଡ୍ୟାମ୍‌ରୁ ଡମପଡ଼ା ରାସ୍ତାରେ ଯିବା ସମୟରେ ଏହି ବନ କର୍ମଚାରୀମାନେ ସେମାନଙ୍କୁ ରୋକିଥିଲେ। ଆଗକୁ ନ ଯିବାକୁ ପରାମର୍ଶ ‌ଦେଇଥିଲେ। କାହିଁକି ଭିତରକୁ ଯିବାକୁ ମନା କରୁଛ ବୋଲି ଯୁବକମାନେ ପଚାରିବାରୁ ବନ କର୍ମଚାରୀମାନେ ସେମାନଙ୍କୁ ଧମକ ଦେଇ ଚାଲିଯିବାକୁ କହିଥିଲେ। ତେବେ ଉକ୍ତ ଯୁବକମାନେ ଅନୁଧ୍ୟାନ କରିବାରୁ ଜାଣିବାକୁ ପାଇଥିଲେ ଯେ ୫ରୁ ୬ ଜଣ ଲୋକ ସାଇକେଲ୍‌ରେ ଆସି ରାସ୍ତାପାର୍ଶ୍ବରେ ପଡ଼ିଥିବା ଶୁଖିଲା ଡାଳପତ୍ରରେ ନିଆଁ ଲଗାଉଛନ୍ତି। ଯୁବକମାନେ ସେମାନଙ୍କ ନିଆଁ ଲଗାଇବା ବେଳର ଦୃଶ୍ୟକୁ କ୍ୟାମେରାରେ କଏଦ କରିବା ସହ ନିଆଁ ଲଗାଇବା କାରଣ ସେମାନଙ୍କଠାରୁ ଜାଣିବାକୁ ଚାହିଁଥିଲେ। ନିଆଁ ଲଗାଉଥିବା ବ୍ୟକ୍ତିମାନେ ଯେଉଁ ଉତ୍ତର ଦେଇଥିଲେ ତାହା ଥିଲା ବିସ୍ମୟକର। ସେମାନେ କହିଥିଲେ ଯେ ବହୁ ପରିମାଣର ଶୁଖିଲା ପତ୍ର ରାସ୍ତାରେ ପଡ଼ିଥିବାରୁ ତାହାକୁ ସଫା କରିବାକୁ ବନ ଅଧିକାରୀମାନେ ଆମକୁ କହିଛନ୍ତି। ତେଣୁ ଆମେ ସଫା କରୁଛୁ। ଝାଡ଼ୁମାରି ସଫା କରିବା ପରିବର୍ତ୍ତେ ନିଆଁ ଲଗାଇ ପୋଡ଼ି ଦେଉଛୁ। ଏହାଦ୍ବାରା କମ୍‌ ସମୟରେ ବହୁ ଅଞ୍ଚଳ ସଫେଇ ହୋଇଯାଉଛି। ‌ଅଧିକ କଷ୍ଟ କରିବାକୁ ପଡ଼ୁନି। ଏହିସବୁ ଫଟୋରୁ ଭଲ ଭାବେ ଜଣାପଡ଼ୁଛି ଯେ ସଫେଇ ପାଇଁ ଶୁଖିଲା ଡାଳପତ୍ରରେ ଲଗାଯାଉଥିବା ନିଆଁ କେମିତି କ୍ରମଶଃ ଚରିଯାଇ ଜଂଗଲର ଗଛପତ୍ର ପୋଡ଼ି ପକାଉଛି। ଏବେ ପ୍ରଶ୍ନ ଉଠୁଛି ଏହି ଲୋକମାନଙ୍କୁ ନିଆଁ ଲଗାଇବାକୁ କିଏ କହିଥିଲା? ଜଙ୍ଗଲ ଭିତରେ ବାହାର ଲୋକ ପ୍ରବେଶ କରି ନିଆଁ ଲଗାଉଥିଲେ ମଧ୍ୟ ବନ କର୍ମଚାରୀ କ’ଣ କରୁଛନ୍ତି? ଜଙ୍ଗଲ ଭିତରେ ବନ କର୍ମଚାରୀ ବୁଲୁନାହାନ୍ତି କି? ଯେଉଁମାନେ ସଫେଇ କରିବା ନାଁରେ ନିଆଁ ଲଗାଉଛନ୍ତି ସେମାନଙ୍କୁ ଦୈନିକ ମଜୁରୀ କିଏ ଦେଉଛି? ଚନ୍ଦକା-ଡମପଡ଼ା ଡିଏଫ୍‌ଓ ଶ୍ରୀ ସ୍ବାଇଁ ସବୁ ଜାଣି ଚୁପ୍ ବସିନାହାନ୍ତି ତ? ଯଦି ଗୋଟିଏ ଅଞ୍ଚଳରୁ ଏତେ ତଥ୍ୟ ପଦାକୁ ଆସୁଛି ତେବେ ପୂରା ଅଭୟାରଣ୍ୟ ଭିତରେ କ’ଣ ଚାଲିଥିବ ତାହା ଏଥିରୁ ସ୍ପଷ୍ଟ ଅନୁମ‌‌ା‌ନ କରାଯାଇପାରେ।

ନିଆଁ ଲାଗିବା ସମ୍ପର୍କରେ ଚନ୍ଦକା ଡିଏଫ୍‌ଓ କେଦାର ସ୍ବାଇଁଙ୍କୁ ଯୋଗ‌ାଯୋଗ କରିବାକୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ସେପଟେ ପିସିସିଏଫ୍‌ (ସାଧାରଣ)ଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ ଉତ୍ତର ମିଳିଥିଲା ‌ଯେ ସେଭଳି କୌଣସି ଅଭିଯୋଗ ଏ ପର୍ଯ୍ୟନ୍ତ ନଜରକୁ ଆସିନି।

ସମ୍ବନ୍ଧିତ ଖବର