ବାରଙ୍ଗ: ଚନ୍ଦକା ଅଭୟାରଣ୍ୟରେ ରହୁଥିବା ଏକ ମାକନା ହାତୀ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ବାରମ୍ବାର ଘଉଡ଼ାଇବା ପରେ ମଧ୍ୟ ଏହି ମାକନା ପ୍ରତିବର୍ଷ ନନ୍ଦନକାନନ ପାଚେରି ଭାଙ୍ଗି ହାତୀଶାଳ ଭିତରକୁ ପଶି ଆସୁଛି। ଆଜି ମଧ୍ୟ ଉକ୍ତ ମାକନା ଏକ ଛୋଟ ସାଥୀ ହାତୀ ସହ ନନ୍ଦନକାନନ ଭିତରେ ଅନୁପ୍ରବେଶ କରିଛି। ଆଜି ସକାଳେ ନନ୍ଦନକାନନ ହାତୀ ସଫାରିରେ ନିୟୋଜିତ ମାହୁନ୍ତମାନେ ହାତୀଶାଳ ପାଖ ଓ ଧଳା ବାଘ ସଫାରି ପଛ ଜଙ୍ଗଲରେ ହାତୀ ଦୁଇଟି ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ସେମାନେ ଏ ସଂପର୍କରେ କାର୍ଯ୍ୟାଳୟକୁ ସୂଚନା ଦେବା ପରେ ଜନ୍ତୁ ବିଭାଗ ଅଧିକାର ଓ କର୍ମଚାରୀମାନେ ଅନୁସନ୍ଧାନ କରିଥିଲେ। ସାଥୀ ଛୋଟ ହାତୀ ସହ ମାକନାଟି ପାହାନ୍ତିଆ ପହରରେ ବାଘ ସଫାରି ପଛପାଖ ପଥର ପାଚେରିକୁ ପ୍ରାୟ ଦଶଫୁଟ୍ ଲମ୍ବରେ ଭାଙ୍ଗି ପ୍ରବେଶ କରିଛି। ଏଥରକୁ ମିଶାଇ ମୋଟ ୫ଥର ଏହି କାମନା ଏପରି ପାଚେରି ଭାଙ୍ଗୁ ଅନୁପ୍ରବେଶ କରିସାରିଲାଣି।
ବଡ଼ କଥା ହେଉଛି, ଏହାଦ୍ବାରା ନନ୍ଦନକାନନ ହାତୀମାନଙ୍କ ସହ ତା'ର ସଂଘର୍ଷର ଆଶଙ୍କା ଦେଖାଦେଉଛି। ବିଶେଷକରି ନନ୍ଦନକାନନ ହାତୀଗୁଡ଼ିକ ଶିକୁଳିରେ ବନ୍ଧା ହୋଇଥିବାରୁ ସେମାନଙ୍କ ଜୀବନ ପ୍ରତି ବେଶି ବିପଦ ସୃଷ୍ଟି ହେଉଛି। ଗତ ୨୦୧୮ ମସିହାରେ ମଧ୍ୟ ଏହି ମାକନାଟି ଅନୁପ୍ରବେଶ କରି ହାତୀ ବାସନ୍ତୀ ଓ ଚନ୍ଦନ ସହିତ ସଂଘର୍ଷ କରି ସେମାନଙ୍କୁ ଆହତ କରିଥିଲା। ତେବେ ଏଥର ସେ ଏକା ନ ଆସି ଆଉ ଏକ ଛୋଟ ପ୍ରାୟ (୮ ବର୍ଷ ବୟସର ମାଈ) ସାଥୀ ସହିତ ପ୍ରବେଶ କରିଛି। ଯଦିଓ ଏଥର ପରିସର ଭିତରେ କିଛି କ୍ଷୟକ୍ଷତି କରିନାହିଁ, ସାଥୀ ସହିତ ନୂଆ କରି ଆସିବା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଗକୁ ଯଦି ଅଧିକ ସାଥୀଙ୍କ ସହ ଅନୁପ୍ରବେଶ କରେ, ତେବେ ଭୟଙ୍କର ବିପଦର ଆଶଙ୍କା ରହିଥିବା କୁହାଯାଉଛି।
ଅନୁପ୍ରବେଶ କରିଥିବା ମାକନା ଓ ତା' ସାଥୀ ଉପରେ ନନ୍ଦନକାନନ ଓ ଚନ୍ଦକା ଅଭୟାରଣ୍ୟର କର୍ମଚାରୀ ନଜର ରଖିଛନ୍ତି। କିଭଳି ସେମାନେ ରାତି ଭିତରେ ଚନ୍ଦକା ଅଭୟାରଣ୍ୟକୁ କୌଣସି କ୍ଷତି ନକରି ସୁରକ୍ଷିତ ଭାବେ ବାହୁଡ଼ିବେ, ସେଥିଲାଗି ଲାଇଟ୍ ଜଳାଇ କଡ଼ା ପାଟ୍ରୋଲିଂ କରୁଛନ୍ତି।
ସୂଚନାଯୋଗ୍ୟ, ୨୦୧୫ ମସିହାରେ ଏହି ମାକନାଟି ପ୍ରଥମଥର ନନ୍ଦନକାନନରେ ଅନୁପ୍ରବେଶ କରି ଧରାପଡ଼ିଥିଲା। ସେତେବେଳେ କର୍ତ୍ତୃପକ୍ଷ ତାକୁ ନନ୍ଦନକାନନର ହାତୀ ନନ୍ଦ ଓ ଯଶୋଦାଙ୍କ ସହାୟତାରେ ଟ୍ରାଙ୍କୁଲାଇଜ୍ କରି କାବୁ କରିବା ପରେ ଗୋଡ଼ରେ ବେଡ଼ି ପକାଇ ଏକ ଟ୍ରକ୍ରେ ଲଦି ଚନ୍ଦକାର କୁମାରଖୁଣ୍ଟି ଜଙ୍ଗଲରେ ଛାଡ଼ି ଦେଇଥିଲେ। ଏହା ପରଠାରୁ ପ୍ରତିବର୍ଷ ସେ ନନ୍ଦନକାନନରେ ଅନୁପ୍ରବେଶ କରୁଛି। ତେବେ ଅପମାନର ପ୍ରତିଶୋଧ ନେବା ପାଇଁ ସେ ଏପରି କରୁଥାଇପାରେ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/elephant-baragarh.jpg)