ଆଜି ଚନ୍ଦକା ଆର୍‌ଆଇ ଅଫିସ ଘେରାଉ 

ଖଣ୍ଡଗିରି : ସରକାରଙ୍କ ନିକଟରେ ଓଡ଼ିଶା ଆଦିବାସୀ ଓ ଦଳିତମାନଙ୍କ ବିଭିନ୍ନ ଦାବି ଉପସ୍ଥାପନ ପାଇଁ ଆସନ୍ତାକାଲି (ଶୁକ୍ରବାର) ୪ଟି ସଂଘ ମିଳିତ ଭାବେ ଭୁବନେଶ୍ୱର ଚନ୍ଦକା ରାଜସ୍ୱ କାର୍ଯ୍ୟାଳୟ ଘେରାଉ କରିବେ। ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ, ଓଡ଼ିଶା ଦଳିତ ଶୋଷଣମୁକ୍ତି ମଞ୍ଚ, ଓଡ଼ିଶା କୃଷକ ସଭା ଓ ଓଡ଼ିଶା କ୍ଷେତ ମଜଦୁର ୟୁନିଅନ୍‌ ପକ୍ଷରୁ ଏହି ଡାକରା ଦିଆଯାଇଛି। ଶତାଧିକ ଆଦିବାସୀ ଓ ଦଳିତ ଲୋକ ଏକ ଶୋଭାଯାତ୍ରାରେ ଗୋଡ଼ିବାରୀଠାରୁ ବାହାରି ଶେଷରେ ଚନ୍ଦକା ରାଜସ୍ୱ କାର୍ଯ୍ୟାଳୟଠାରେ ପ୍ରତିବାଦ ସଭା କରିବା ସହ ସରକାରଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେବେ। ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ନିକଟକୁ ଏହି ଦାବିପତ୍ର ଦିଆଯିବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

ସୂଚନାନୁସାରେ, ମିଳିତ ମଞ୍ଚ ପକ୍ଷରୁ କେତୋଟି ସଂଗିନ୍‌ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ମୂଳରୁ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ସତ୍ତ୍ୱେ ‘ସଅର’ମାନଙ୍କୁ ସରକାର ଆଦିବାସୀ ମାନ୍ୟତା ଦେଉନାହାନ୍ତି। ଫଳରେ ସେମାନଙ୍କ ପିଲା ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଓ ସେମାନଙ୍କ ଜମି ହଡ଼ପ କରିବାକୁ ସୁବିଧା ହେଉଛି। ତେଣୁ ସଅରମାନଙ୍କୁ ତୁରନ୍ତ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ଜାତି ସାର୍ଟିଫିକେଟ୍‌ ଯୋଗାଇ ଦେବାକୁ ଦାବି କରାଯିବ। ସେହିଭଳି ବର୍ଷ ବର୍ଷ ଧରି ଜଙ୍ଗଲ ଜମିରେ ରହି ଆସୁଥିବା ଭୂମିହୀନ ଆଦିବାସୀମାନଙ୍କୁ ପଟ୍ଟା ମିଳୁ ନଥିବାରୁ ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ସୁଫଳ ପାଇ ପାରୁନାହାନ୍ତି। ଏହି ଗରିବ ଶ୍ରେଣୀର ଲୋକେ ଗାଁ ଗାଁରେ ଭାଗଚାଷ କରୁଥିଲେ ବି ସେମାନଙ୍କୁ ଭାଗଚାଷୀର ମାନ୍ୟତା ଦିଆଯାଉନାହିଁ। ତେଣୁ ଏଭଳି କିଛି ଗୁରୁତ୍ୱପୂର୍ଣ ପ୍ରସଙ୍ଗକୁ ନେଇ ମିଳିତ ମଞ୍ଚ ଚନ୍ଦକା ଆର୍‌ଆଇ ଅଫିସ ଘେରାଉ କରିବା ସହ ଉପଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପଠାଇବ ବୋଲି ଜଣାଇଛି। କଣ୍ଟାବାଡ଼, ଅନ୍ଧାରୁଆ, ଚନ୍ଦକା, ଦାରୁଠେଙ୍ଗ ଆଦି ପଞ୍ଚାୟତର ଶହ ଶହ ଆଦିବାସୀ ଓ ଦଳିତ ଲୋକେ ଏହି ଘେରାଉରେ ସାମିଲ୍‌ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର