ମେଣ୍ଢାଶାଳ: ରାଜଧାନୀର ପ୍ରଥମ ଥାନା ଚନ୍ଦକାରେ ଆରମ୍ଭ ହୋଇଥିଲା। ୧୫୬ ବର୍ଷ ତଳୁ ୧୮୬୮ ମସିହାରେ ବ୍ରିଟିଶ ସରକାର ଏହାକୁ ପ୍ରତିଷ୍ଠା କରିଥିଲେ। ୧୮୫୭ ମସିହାରେ ହୋଇଥିବା ସିପାହୀ ବିଦ୍ରୋହକୁ ଦମନ କରିବା ଓ ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ଉପରେ ବ୍ରିଟିଶ ସେନା ନଜର ରଖିବା ଉଦ୍ଦେଶ୍ୟରେ ଚନ୍ଦକା ଥାନା ପ୍ରତିଷ୍ଠା ହୋଇଥିଲା। ଏବେ ପର୍ଯ୍ୟାୟକ୍ରମେ ଥାନାର ପରିସୀମା ବଢ଼ିବାରେ ଲାଗିଛି। ଏବେ ଦୁଇଟି ଫାଣ୍ଡି ମେଣ୍ଢାଶାଳ ଓ ଗୋଠପାଟଣାରେ ରହିଥିବା ବେଳେ ବହୁ ବଡ଼ବଡ଼ କଲେଜ, ଶିଳ୍ପାନୁଷ୍ଠାନ ଏହି ଥାନା ଅଞ୍ଚଳରେ ଗଢ଼ି ଉଠିଛି। ପୁରୁଣା ଆଜ୍ବେଷ୍ଟସ୍ ଘରେ ଚନ୍ଦକା ଥାନା ଚାଲୁଥିବା ବେଳେ ୨୦୨୨ ଜୁଲାଇ ମାସରେ ନୂତନ କୋଠାରେ ଏହା କାର୍ଯ୍ୟକ୍ଷମ ହୋଇଥିଲା।
ଭୁବନେଶ୍ୱର ଉପକଣ୍ଠରେ ଥିବା ଏହି ଥାନାରେ ଜମିବାଡ଼ି ଗଣ୍ଡଗୋଳ ଓ ଅପମୃତ୍ୟୁ ମାମଲା ଅଧିକ ହୋଇଥାଏ । ୨୦୨୧ ମସିହାରେ ୨୯୯, ୨୦୨୩ ରେ ୩୪୫, ୨୦୨୪ରେ ୪୧୫ ମାମଲା ରୁଜୁ ହୋଇଥିବା ବେଳେ ୨୦୨୪ ମସିହା ଶେଷ ସୁଧା ୪୨୫ ମାମଲା ରୁଜୁ ହୋଇଛି। ଗତବର୍ଷ ୩୦୮ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହାବାଦ୍ ୪ ହତ୍ୟା ମାମଲା, ୭ ଚୋରି, ୨୪ ସିନ୍ଧିଚୋରି, ୫ ଦୁଷ୍କର୍ମ, ୨୦ ଦୁର୍ଘଟଣା ମାମଲା ରହିଛି। ଚଳିତବର୍ଷ ମେଣ୍ଢାଶାଳ ଫାଣ୍ଡି ଅଧିନରେ ଗୋଟିଏ ହତ୍ୟାକାଣ୍ଡ ହୋଇଥିଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ଜଣକ ଭୁଜାଲି ଚୋଟରେ ଶଳାର ଗଳା କାଟି ହତ୍ୟା କରିବା ସହିତ ନିଜର ପୁଅ ଓ ୨ ପୁତୁରାକୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ୨୦୨୫ ବର୍ଷରେ ଚନ୍ଦକା ଥାନା ଅଞ୍ଚଳ ଶାନ୍ତିପୂର୍ଣ୍ଣ ଭାବେ ରହୁ। ଏଥିସହିତ ଚୋରି ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣକୁ ଆଣିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଚନ୍ଦକା ଥାନା ଆଇଆଇସି ପ୍ରଦୀପ କୁମାର ଜେନା କହିଛନ୍ତି।