ପୁରୁଣା ଭୁବନେଶ୍ୱର: ମା’ ପାର୍ବତୀ ଓ ଅନ୍ୟ ଦେବଦେବୀଙ୍କ ସହ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା ଏବଂ ଚାପଖେଳର ମନୋରମ ଦୃଶ୍ୟ, ପ୍ରତି ଅପରାହ୍ଣରେ ବହୁ ଭକ୍ତଙ୍କୁ ବିନ୍ଦୁସାଗର କୂଳକୁ ଟାଣି ଆଣୁଛି। ଦେବଦେବୀଙ୍କ ଚାପଖେଳ ସାଙ୍ଗକୁ ମ୍ୟୁଜିକାଲ୍ ଫାଉଣ୍ଟେନ୍ ଓ ଲେଜର୍ ସୋ’ ଦେଖିବାକୁ ଅପରାହ୍ଣ ୫ଟାରୁ ରାତି ପାଖାପାଖି ସାଢ଼େ ୯ଟା ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଜମୁଛି। ପୂର୍ବଘାଟ, ଉତ୍ତରେଶ୍ବର ଘାଟ, ଦ୍ବାରବାସିନୀ ଘାଟରେ ଯୁବପିଢ଼ି ଘଣ୍ଟାଘଣ୍ଟା ଧରି ବସି ରହୁଛନ୍ତି।
/sambad/media/post_attachments/wp-content/uploads/2023/05/53.jpg)
ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାନବୀୟ ଲୀଳାଖେଳାର ଅଂଶସ୍ବରୂପ ୨୨ଦିନିଆ ଚନ୍ଦନ ଯାତ୍ରା ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଯାଇଛି। ପ୍ରତିଦିନ ଅପରାହ୍ଣ ପ୍ରାୟ ୫ଟାରେ ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବଙ୍କ ସହ ଶ୍ରୀଲିଙ୍ଗରାଜ ବିନ୍ଦୁସାଗରରେ ଚାପ ଖେଳିବାକୁ ମନ୍ଦିରରୁ ବାହାରୁଛନ୍ତି। ଦେବଦେବୀମାନେ ସେବାୟତଙ୍କ ଗହଣରେ ବିମାନରେ ରଥଦାଣ୍ଡରେ ଯିବା ବେଳେ ଝାଞ୍ଜ, ଡମ୍ବରୁ ନାଦ ପୂରା ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଉଛି। ଦେବଦେବୀମାନେ ବ୍ରହ୍ମାଘାଟ କୂଳରେ ପହଞ୍ଚିବା ପରେ ବିଧି ମୁତାବକ ଚାପଖେଳ ଆରମ୍ଭ ହେଉଛି। ସେହିପରି ସଂଧ୍ୟା ହୋଇ ଆସିବା କ୍ଷଣି ଆରମ୍ଭ ହୋଇଯାଉଛି ମ୍ୟୁଜିକାଲ ଫାଉଣ୍ଟେନ୍ ଓ ଲେଜର୍ ସୋ’। ରଙ୍ଗିନ୍ ଆଲୁଅର ସ୍ପର୍ଶ ପାଇ ଇନ୍ଦ୍ରଧନୁର ଚିତ୍ର ଆଙ୍କୁଛି ଜଳଫୁଆରା। ଶିବ ପଞ୍ଚାକ୍ଷରୀର ତାଳେତାଳେ ନାଚୁଛି ଜଳ ଆଉ ଆଲୋକମାଳା। ଏହି ଦୃଶ୍ୟ ଦେଖିବାକୁ ବିନ୍ଦୁସାଗର କୂଳରେ ପ୍ରତି ସଂଧ୍ୟାରେ ଭିଡ଼ ଜମୁଛି।
/sambad/media/post_attachments/wp-content/uploads/2023/05/54.jpg)
ମନ ମୋହୁଛି ଗୋଟିପୁଅ ନୃତ୍ୟ
ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୨୩ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସମ୍ମୁଖରେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରୁଛନ୍ତି କୁନିକୁନି କଳାକାରମାନେ। ୨୨ ଦିନର ଚନ୍ଦନ ଯାତ୍ରାରେ ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରିବା ବେଳେ ଏମାନେ ଭକ୍ତିମୟ ନୃତ୍ୟ ପରିବେଷଣ କରିଥା’ନ୍ତି। ଚାପ ଖେଳ ସାରି ମହାପ୍ରଭୁ ଫେରିବା ବେଳେ ବାଟରେ ତିନି ନିଯୋଗରେ ଭୋଗ ଖାଇଥା’ନ୍ତି। ଏହି ସମୟରେ ଠାକୁରଙ୍କ ସମ୍ମୁଖରେ ଗୋଟିପୁଅ ନୃତ୍ୟ କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଥାଆନ୍ତି। ଏହା ପରେ ଠାକୁର ମନ୍ଦିରରେ ପ୍ରବେଶ କରିବା ପରେ ବାହଖିଆ ମଣ୍ଡପରେ ମଧ୍ୟ ନୃତ୍ୟ ପରିବେଷଣ କରିଥା’ନ୍ତି। ରଥଦାଣ୍ଡରେ ଏହି ନୃତ୍ୟ ଦେଖିବାକୁ ବହୁ ପଥଚାରୀ ଘଡ଼ିଏ ଅଟକି ଯାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/52.jpg)