ଆସୁଛି ଚନ୍ଦନ ଯାତ୍ରା: ଡଙ୍ଗା ମରାମତି ଆରମ୍ଭ

ଦଳ ସଫେଇ କଲା ବିଏମ୍‌ସି

ପୁରୁଣା ଭୁବନେଶ୍ବର: ଆସନ୍ତା ୨୩ତାରିଖରେ ଚନ୍ଦନ ଯାତ୍ରା। ଏହି ଯାତ୍ରାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କ ସହ ୨୨ଦିନ ଧରି ଚାପ ଖେଳିବେ। ହେଲେ ବିନ୍ଦୁସାଗରରେ ଏବେ ଚିଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇ ରହିଛି। ଚନ୍ଦନଯାତ୍ରାକୁ ଦୃଷ୍ଟିରେ ରଖି ବିଏମ୍‌ସି ଆଜିଠୁ ପୁଷ୍କରିଣୀରୁ ଦଳ ସଫା ଆରମ୍ଭ କରିଛି। ହେଲେ ଜଗତିକୁ ଆଲୋକ ବ୍ୟବସ୍ଥା ହୋଇନାହିଁ। ଜଗତକୁ ଥିବା‌ କେବୁଲ୍‌ ଛିଡ଼ି ଯାଇଥିବା ବେଳେ ଏହାକୁ ନୂଆ କରି ଲଗାଇବା ସହ ଜଗତିକୁ ଆଲୋକୀକରଣ କାମ ବାକି ରହିଛି। ମହାପ୍ରଭୁ ସନ୍ଧ୍ୟାରେ ଚାପ ଖେଳି ଜଗତିରେ ଚନ୍ଦନ କୁଣ୍ଡରେ ବିଶ୍ରାମ ନେବେ।

ଏଥିସହ ସେଠାରେ ଠାକୁରଙ୍କ ପାଇଁ ଭୋଗ ରନ୍ଧା ହେବ। ଏଥିପାଇଁ ଜଗତିର ଠାକୁର ଘର, ରୋଷ ଓ ବାହାର ପାଚେରିକୁ ଲିଚୁମାଳାରେ ସଜା ହେବ। ଯାତ୍ରାକୁ ଆଉ ମାତ୍ର ୭ଦିନ ରହିଥିବା ବେଳେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଅପରପକ୍ଷରେ ଚନ୍ଦନ ଯାତ୍ରା ପାଇଁ ପୁଷ୍କରିଣୀରୁ ୨ଟି ଡଙ୍ଗା ବାହର କରାଯାଇଛି। ଦୁଇ ଡଙ୍ଗା ଯୋଡ଼ା ହୋଇ ଚାପ ଖେଳ ହେବ। ପୁଷ୍କରିଣୀ ମଧ୍ୟରେ ଅଷ୍ଟଚଣ୍ଡୀଙ୍କ ନାମରେ ୭ଘେରା ଡଙ୍ଗା ବୁଲିବ। ଏହି ଚାପ ଖେଳ ପାଇଁ ଦୁଇ ଡଙ୍ଗାକୁ ମରାମତି କରାଯାଇ ଆଲକାତରା ବୋଳା ଆରମ୍ଭ ହୋଇଛି। ଆସନ୍ତା ସୋମବାର ରଙ୍ଗ ଓ ଚିତ୍ର କରାଯିବ। ମନ୍ଦିର କର୍ମଚାରୀ ହେମନ୍ତ ମହାପାତ୍ରଙ୍କ ତତ୍ତ୍ବାବଧାନରେ ୫ଜଣ କର୍ମଚାରୀ ରଙ୍ଗ ଓ ମରାମତି କାମ କରୁଛନ୍ତି।

ଏଯାଏ ଚାଲିଲାନି ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌

୨୦୨୨ ମସିହା ଡିସେମ୍ବରରେ ଦେଢ଼ ମାସ ଧରି ବନ୍ଦ ପରେ ବିନ୍ଦୁସାଗରରେ କିଛିଦିନ ଚାଲିଥିଲା ମ୍ୟୁଜିକାଲ ଫାଉଣ୍ଟେନ ଓ ଲେଜର୍‌ ‌ସୋ’। ଏବେ ଏହା ପୁଣି ୪ମାସ ହେଲା ବନ୍ଦ ପଡ଼ିଛି। କେବେ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଓ ଲେଜର୍‌ ସୋ’ ଚାଲିବ ତାହା କାହାକୁ ମାଲୁମ୍‌ ନାହିଁ। ସେତେବେଳେ ମାତ୍ର ୫ ଲକ୍ଷ ଟଙ୍କା ବକେୟା ପୈଠ କରାଯାଇନଥିବା ବେଳ ଏବେ ଏହା ୮ଲକ୍ଷରେ ପହଞ୍ଚିଛି। ସେଥିପାଇଁ ଟିପିସିଓଡିଏଲ ପକ୍ଷରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ଇଡ୍‌କୋ ଓ ପର୍ଯ୍ୟଟନ ବିଭାଗର ସମନ୍ବୟ ଅଭାବରୁ ଏହି ଏହି ସୋ’ ଏବେ ବନ୍ଦ ପଡ଼ିଛି।

ନାହାନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ

ଆଗକୁ ଚନ୍ଦନ ଯାତ୍ରା ଓ ଶୀତଳ ଷଷ୍ଠୀ ଯାତ୍ରା ରହିଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ସମ୍ପାଦନ କରିବାକୁ ତୁରନ୍ତ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତିର ଆବଶ୍ୟକତା ରହିଛି। ପୂର୍ବରୁ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛନ୍ତି। ହେଲେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱ ଅନ୍ୟ କାହାକୁ ଦିଆଯାଇନାହଁ। କାର୍ଯ୍ୟ ସମ୍ପାଦନ ପାଇଁ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଦାୟିତ୍ୱ ସହ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଛନ୍ତି। ହେଲେ ଛୋଟ ମୋଟ କାମ ତୁଲାଇବାକୁ କେହି ନଥିବାରୁ ତୁରନ୍ତ କାର୍ଯ୍ୟନୀର୍ବାହୀ ଅଧିକାରୀ ନିଯୁକ୍ତି ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର