ଭୁବନେଶ୍ବର: ରୁକୁଣା ରଥଯାତ୍ରା ପରେ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପୁଣିଥରେ ଏକାମ୍ରକ୍ଷେତ୍ରକୁ ଚଳଚଞ୍ଚଳ କରିଛି। ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାନବୀୟ ଲୀଳାଖେଳାର ଅଂଶସ୍ବରୂପ ୨୨ଦିନିଆ ଚନ୍ଦନ ଯାତ୍ରା ଆଜି ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି। ପ୍ରଭୁ ବିନ୍ଦୁସାଗରରେ ଚାପ ଖେଳିଛନ୍ତି ଓ ମଧ୍ୟଭାଗରେ ଥିବା ଜଗତି ଉପରେ ଚନ୍ଦନଜଳରେ ସ୍ନାନକରି ଅସହ୍ୟ ଗରମକୁ ଆଶ୍ବସ୍ତି ଅନୁଭବ କରିଛନ୍ତି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏହି ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା, ଚାପଖେଳ ଓ ଚନ୍ଦନ ସ୍ନାନର ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ବିନ୍ଦୁସାଗର କୂଳରେ ଆଜି ପ୍ରବଳ ସମାଗମ ହୋଇଥିଲା। ଘଣ୍ଟାଘଣ୍ଟା ଧରି ବିନ୍ଦୁସାଗର କୂଳ ଚାରିପାଖରେ ଛିଡ଼ାହୋଇ ଲୋକେ ଠାକୁରଙ୍କ ଏହି ମାନବୀୟ ଲୀଳାକୁ ଦେଖିଥଲେ।

Advertisment

ଆଜି ଦେଉଳରେ ଭୋଗମଣ୍ଡପ ନୀତି କରାଯିାଇ ଶ୍ରୀଜିଉଙ୍କୁ ପଙ୍ଖାଲାଗି କରାଯାଇଥିଲା। ଏହାପରେ ଠାକୁରଙ୍କ ମହାସ୍ନାନ କରାଯାଇ ଅଙ୍ଗରେ ଚନ୍ଦନ ପ୍ରଲେପ କରାଯିବା ପରେ ବେଶ କରାଯାଇଥିଲା। ପଣାଭୋଗ ପରେ ବଲ୍ଲଭ ଭୋଗ ଯାତ୍ରାପୂଜା ହୋଇ ଚଳନ୍ତି ପ୍ରତିମାଙ୍କୁ ନୌବିହାର ଉଦ୍ଦେଶ୍ୟରେ ବିଜେ କରାଯାଇଥିଲା। ପ୍ରଭୁଶ୍ରୀ ଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ପ୍ରଭୁ ବାସୁଦେବ ବିମାନ ଓ ପାଲିଙ୍କିରେ ନାଟ ମନ୍ଦିରରେ ଅବସ୍ଥାନ କରିଥିଲେ। ଏହି ସମୟରେ ଦ୍ବିପ୍ରହର ଧୂପ ଓ ପହୁଡ଼ କରାଯାଇଥିଲା। ଏହାପରେ ସୁସଜ୍ଜିତ ପାଲିଙ୍କି ଓ ବିମାନରେ ଦିଅଁଙ୍କୁ ବିରାଟ ପଟୁଆରେ ବିନ୍ଦୁସାଗର ଅଭିମୁଖେ ନିଆଯାଇଥିଲା। ସେବାୟତମାନଙ୍କ ଡମ୍ବୁର ବାଦନ, ଘଣ୍ଟ, ଘଣ୍ଟା, କାହାଳୀ, ଦୁନ୍ଦୁଭି ନାଦ ସହ ଓମ୍‌ ନମଃ ଶିବାୟ ଧ୍ବନି ପୂରା ପରିବେଶକୁ ଶିବମୟ କରିଥିଲା। ବିମାନ ଆଗରେ ଛତ୍ରି ଓ ତ୍ରାସ ଧରି ସେବାୟତମାନେ ଯେମିତି ପ୍ରଭୁଙ୍କୁ ବାଟ କଢ଼ାଇ ନେଉଥିଲେ।

publive-image

ସନ୍ଧ୍ୟା ପ୍ରାୟ ୭ଟାରେ ବିନ୍ଦୁସାଗର ବ୍ରହ୍ମାଘାଟ କୂଳରେ ପହଞ୍ଚିଥିଲେ ଦିଅଁ। ଚାପଡ଼ଙ୍ଗାରେ ପୂଜାପଣ୍ଡା ସେବାୟତ ଛେରାପହଁରା କରିବା ପରେ ପାଳିଆ ବଡୁ ସେବାୟତ ଠାକୁରଙ୍କୁ ଚାପଡ଼ଙ୍ଗାରେ ଥିବା ସିଂହାସନକୁ ନେଇଥିଲେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ମା’ ଦୁର୍ଗା ବସିଥିବା ବେଳେ ପାର୍ଶ୍ବ ସିଂହାସନରେ ପ୍ରଭୁ ବାସୁଦେବ ବସି ଯାତ୍ରା କରିଥିଲେ।  ଠାକୁରଙ୍କୁ ପ୍ରଥମେ ମହନୀଘାଟରେ ଭୋଗଲାଗି କରାଯାଇଥିଲା। ତା’ପରେ ଦିଅଁମାନେ ମଠଘାଟରେ ଭୋଗଖାଇ କିଛି ସମୟ ଚାପ ଖେଳିଥିଲେ। ଏହାପରେ ବିନ୍ଦୁସାଗର ମଝିରେ ଥିବା ଜଗତି ଉପରକୁ ଠାକୁରଙ୍କୁ ନିଆଯାଇ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା। ଚନ୍ଦନ, ଅଗୁରୁ, କର୍ପୁର, ମଲ୍ଲୀ ଫୁଲ, ଚମ୍ପାଫୁଲ ପଡ଼ିଥିବା ସୁବାସିତ ଜଳଭର୍ତ୍ତି କୁଣ୍ଡରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ମା’ ଦୁର୍ଗା ଅବସ୍ଥାନ କଲାବେଳେ ବାସୁଦେବ ଅନ୍ୟ ସ୍ୱତନ୍ତ୍ର କୁଣ୍ଡରେ ବି‌ଜେ ହୋଇଥିଲେ। ଠାକୁରଙ୍କ ଚନ୍ଦନସ୍ନାନ ପରେ ପୁଣି ଚାପଡ଼ଙ୍ଗାରେ ବସାଇ ଭଉଁରି ଖେଳ ହୋଇଥିଲା ଓ ଠାକୁରଙ୍କୁ ମନ୍ଦିର ଅଭିମୁଖେ ଫେରାଇ ଅଣାଯାଇଥିଲା। ଫେରିବା ବେଳେ ବାଟରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗଠାରେ ଠାକୁରଙ୍କୁ ଭୋଗଲାଗି କରାଯାଇଥିଲା। ମନ୍ଦିର ଭିତରେ ଠାକୁରଙ୍କୁ ବା’ଖିଆ ମଣ୍ଡପରେ ବସାଇ ମୁଆଁଭୋଗ ଦିଆଯାଇଥିଲା। ପରେ ଭିତରକୁ ନେଇ ପୀଠାଧୀଶଙ୍କ ନିକଟରେ ଭେଟ ଆଳତୀ କରାଯିବା ପରେ ପ୍ରତିମା‌ମାନେ ସ୍ବସ୍ଥାନରେ ବିଜେ କରିଥିଲେ।