ପୁରୁଣା ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆସନ୍ତାକାଲି (ରବିବାର)ଠାରୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଅସହ୍ୟ ଗରମ, ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବଙ୍କ ସହ ଶ୍ରୀଲିଙ୍ଗରାଜ ବିନ୍ଦୁସାଗରରେ ଚାପ ଖେଳିବେ। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାଖେଳା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ଶ୍ରୀଲିଙ୍ଗରାଜ ମନ୍ଦିରରେ ସମସ୍ତ ନୀତିକାନ୍ତି ସମାପନ ପରେ ସଂଧ୍ୟା ୫ଟାରେ ଦେବଦେବୀମାନେ ମନ୍ଦିରରୁ ବାହାରି ବିନ୍ଦୁସାଗର ବ୍ରହ୍ମାଘାଟ କୂଳକୁ ଯିବେ। ସେଠାରେ ଚାପଡଙ୍ଗାରେ ପୂଜାପଣ୍ଡା ସେବାୟତ ଛେରା ପହଁରା କରିବା ପରେ ପାଳିଆବଡ଼ୁ ସେବାୟତ ଠାକୁରଙ୍କୁ ମଣେଇବେ। ପରେ ଦେବଦେବୀ ଚାପ ଡଙ୍ଗାର ସିହାଂସନରେ ବସିବେ।

Advertisment

ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ମା’ ଦୁର୍ଗା ବସିବେ। ସେହିପରି ଦୁଇକଡ଼ରେ ଥିବା ସିଂହାସନରେ ବାସୁଦେବ ବସି ଯାତ୍ରା କରିବେ। ପୁଷ୍କରିଣୀରେ ଚାପ ଖେଳି ୨୨ଦିନ ଧରି ମଠ ଘାଟରେ ଭୋଗ ଖାଇବେ। ଆସନ୍ତାକାଲି ଦେବଦେବୀ ମହନୀ ଘାଟରେ ଭୋଗ ଖାଇବେ। ଏହାପରେ ୮ଘେରା ଭଉଁରି ଖେଳି ଜଗତିକୁ ଯିବେ। ସେଠାରେ ନିତିପୂଜା କରାଯାଇ ଚନ୍ଦନ ପାଣିରେ ବୁଡ଼ିବେ। ପୁଣି ଜଗତିରୁ ବାହାରି ଜଗତି ଚାରିପଟେ ଡଙ୍ଗାରେ ଭଉଁରି ଖେଳି ପ୍ରତ୍ୟାବର୍ତ୍ତନ କରିବେ। ତେବେ ଚାପ‌ଖେଳରେ ମହାପ୍ରଭୁ କପିଳନାଥ ଯାତ୍ରା କରିବାର ବିଧି ରହିଥିଲେ ହେଁ ସେବାୟତଙ୍କ ବିବାଦ ଯୋଗୁଁ ଦୀର୍ଘ ୮ ବର୍ଷ ହେଲା କପିଳନାଥ ମହାପ୍ରଭୁ ବିନ୍ଦୁସାଗରକୁ ଆସୁନାହାନ୍ତି।

ଚନ୍ଦନ ପାଣିରେ ବୁଡ଼ିବେ ଠାକୁର

ଦେବଦେବୀମାନେ ଚାପ ଖେଳି ଜଗତିକୁ ଯିବା ପରେ ସେଠାରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ସୁଗନ୍ଧିତ ଚନ୍ଦନ କୁଣ୍ଡରେ ବୁଡ଼ିବେ। ଚନ୍ଦନ, ଅଗୁରୁ, କର୍ପୂର, ମଲ୍ଲୀ ଫୁଲ, ଚମ୍ପା ଫୁଲ ପକାଯାଇଥିବା କୁଣ୍ଡରେ ଦେବଦେବୀମାନେ ବେକ ପର୍ଯ୍ୟନ୍ତ ବୁଡ଼ି ରହିବେ। ଗୋଟିଏ କୁଣ୍ଡରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବୁଡ଼ିବା ବିଧି ରହିଥିବା ବେଳେ ବାସୁଦେବ ଗୋଟିଏ ସ୍ବତନ୍ତ୍ର କୁଣ୍ଡରେ ବୁଡ଼ିବେ।

ରଥଦାଣ୍ଡରେ ଆମିଷ ବାରଣ

୨୨ ଦିନ ଧରି ଚାଲିବାକୁ ଥିବା ଏହି ଚନ୍ଦନଯାତ୍ରା ପାଇଁ ରଥଦାଣ୍ଡରେ ଆମିଷ ବିକ୍ରିକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ମହାପ୍ରଭୁ ଏହି ରଥଦାଣ୍ଡ ଦେଇ ବିନ୍ଦୁସାଗରରୁ ପ୍ରତ୍ୟାବର୍ତ୍ତନ କରିବାକୁ ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ଏ ସଂପର୍କ‌ରେ ମାଇକ୍‌ ଯୋଗେ ସ୍ଥାନୀୟ ଅଞ୍ଚଳରେ ପ୍ରଚାର କରାଯାଇଛି।