୭ରୁ ଚନ୍ଦନ ଯାତ୍ରା

ପୁରୁଣା ଭୁବନେଶ୍ବର: ୭ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଏହାକୁ ଦୃଷ୍ଟିରେ ରଖି ବୁଧବାର ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ୨୨ଦିନ ଧରି ହେବାକୁ ଥିବା ଚାପ ଅପରାହ୍‌ଣ ସାଢ଼େ ୫ଟାରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୨ ଦିନ ଯାକ ମଧ୍ୟାହ୍ନ ୧୨ଟାରୁ ମନ୍ଦିରରେ ସାହାଣ ମେଲା ଦର୍ଶନ ବନ୍ଦ ରହିବ। ଅପରାହ୍‌ଣ ସାଢ଼େ ୪ଟା ସୁଦ୍ଧା ପାଲିଙ୍କି ଓ ବିମାନ ପ୍ରସ୍ତୁତି କରାଯିବ। ସାଢ଼େ ୫ଟା ଭିତରେ ଦ୍ବିପ୍ରହର ଧୂପ ଶେଷ କରାଯିବ। ଏହାପରେ ଦେବଦେବୀ ବିନ୍ଦୁସାଗର କୂଳକୁ ଯିବେ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କହିଛନ୍ତି। ଯାତ୍ରା ପୂର୍ବରୁ ଦଳ ସଫେଇ ପାଇଁ ବିଏମ୍‌ସିକୁ ଚିଠି ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଠାକୁରଙ୍କ ଯାତାୟାତ ସ୍ଥାନରେ ଆମିଷ ବିକ୍ରି ବାରଣ କରାଯାଇଛି। ଯାତ୍ରା ବେଳେ ଦମକଳ ବାହିନୀ ବିନ୍ଦୁସାଗର କୂଳରେ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ହୋଇଛି। ଆସନ୍ତା ୧୬ ତାରିଖ ପୂର୍ବରୁ ଚାପ ଡଙ୍ଗା ପ୍ରସ୍ତୁତ କରିବାକୁ ମହାରଣା ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪ପ୍ରମୁଖ ନିଯୋଗର ପ୍ରତିନିଧି ସମେତ ଆପଟିଆ, ମହାରଣା ଓ ନାଉରିଆ ସେବାୟତମାନେ ଯୋଗ ଦେଇଥିଲେ।

ଚନ୍ଦନ ଯାତ୍ରାରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀଙ୍କ ସହ କପିଳନାଥ ଯାତ୍ରା କରିବାର ନିୟମ ରହିଛି। ତେବେ ଚଳିତ ବର୍ଷ ଚନ୍ଦନ ଯାତ୍ରା ବୈଠକରେ କପିଳେଶ୍ୱର ମନ୍ଦିର ମ୍ୟାନେଜିଂ କମିଟିକୁ ମନ୍ଦିର ପ୍ରଶାସନ ପକ୍ଷରୁ ଡକାଯାଇଥିଲା। ମାତ୍ର କମିଟିରୁ କେହି ଏହି ବୈଠକରେ ଯୋଗ ଦେଇନଥିଲେ। ପୁଣି ଚନ୍ଦନ ଯାତ୍ରା ପରମ୍ପରା ଭଙ୍ଗ ହୋଇପାରେ ବୋଲି ସେବାୟତମାନେ ଆଶଙ୍କା କରିଛନ୍ତି।

ସମ୍ବନ୍ଧିତ ଖବର