ସସ୍ମିତା ସାହୁ
ଭୁବନେଶ୍ବର: ସାଦା ଅନ୍ନ, କାନିକା ଓ ଓରିଆ ଏମିତିକା ଭିନ୍ନ ଭିନ୍ନ ତିନି ପ୍ରକାରର ଅନ୍ନ ପ୍ରସାଦ ଏହାର ମୁଖ୍ୟ ଆକର୍ଷଣ। ସହରର ଅତି ସମ୍ବେଦନଶୀଳ ଅଞ୍ଚଳ ଲୋକସେବା ଭବନ ପଛ ପାଖରୁ ନିଇତି ଭାସିଆସେ ଅବଢ଼ାର ମହମହ ମହକ। ଶହ ଶହ ଭକ୍ତଙ୍କ ସମାଗମ ବି ଦେଖିବାକୁ ମିଳେ ଖାସ୍ ଏହି ଅବଢ଼ା ପାଇଁ। ତିନି ପ୍ରକାରର ଅନ୍ନ ପ୍ରସାଦ ସହ ଥାଏ ଡାଲି, ବେସର, ମହୁର, ଶାଗମୁଗ, ଖଟା, କ୍ଷୀରି, ପୋଟଳ ଓ ପନିର ବ୍ୟଞ୍ଜନ। ସେ ପୁଣି ମାତ୍ର ୧୦୦ ଟଙ୍କାରେ। ମନ୍ଦିର ବେଢ଼ାରେ କଦଳୀପତ୍ର ବିଛାଇ ପୂଜକମାନେ ଅତି ଶ୍ରଦ୍ଧାରେ ଶ୍ରଦ୍ଧାଳୁଙ୍କ ପାଇଁ ବାଢ଼ି ଦିଅନ୍ତି ଏହି ଦିବ୍ୟପ୍ରସାଦ। ଠିକଣା ହେଉଛି ୟୁନିଟ୍-୫ ତଥା ଏଜି କାର୍ଯ୍ୟାଳୟ ପଛରେ ଥିବା ଚଣ୍ଡେଶ୍ବର ଜଗନ୍ନାଥ ମନ୍ଦିର। ମନ୍ଦିରର ଅବଢ଼ାର ମାହାତ୍ମ୍ୟ ଯେମିତି ମନ୍ଦିର ପ୍ରତିଷ୍ଠା ପଛର ବି କାହାଣୀ ଠିକ୍ ସେମିତି ରୋଚକ।
ମନ୍ଦିରର ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସ୍ବାଇଁ କହିଛନ୍ତି, ଆମେ ଜନସ୍ବାସ୍ଥ୍ୟ(ପିଏଚ୍ଇଡି) ବିଭାଗରେ ଚାକିରି କରୁଥିବା ବେଳେ ଦେଖିଥିଲୁ ଏହି ଅଞ୍ଚଳର ଏକ ପଣସ ଗଛ ମୂଳେ ମା’ ହରଚଣ୍ଡୀ ପୂଜା ପାଉଥିଲେ। ସେ ସମୟରେ ଏହି ଅଞ୍ଚଳର ପାଖାପାଖି ବେଶୀ ମନ୍ଦିର ନଥିବାରୁ ବହୁ ଆଡ଼ୁ ଲୋକ ମା’ଙ୍କୁ ଦର୍ଶନ କରିବାକୁ ଏଠାକୁ ଆସୁଥିଲେ। ଏଣୁ ଆମେ ସମସ୍ତ ସହଯୋଗୀ ମିଶି ସେଠାରେ ମନ୍ଦିର ପ୍ରତିଷ୍ଠା କରିବାକୁ ସ୍ଥିର କରିଥିଲୁ। ୧୯୯୭ ମସିହାରେ ଆମେ ସେଠାରେ ମା’ ହରଚଣ୍ଡୀଙ୍କ ମନ୍ଦିରଟିଏ କରି ମା’ଙ୍କୁ ପ୍ରତିଷ୍ଠା କରିଥିଲୁ। ପରେ ମା’ ହରଚଣ୍ଡୀଙ୍କ ନାଁରେ ଚଣ୍ଡେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏହା ପରେ ମା’ ତାରିଣୀଙ୍କ ମନ୍ଦିରଟିଏ ବି ପ୍ରତିଷ୍ଠା ହେଲା। ୨ ବର୍ଷ ପରେ ୧୯୯୯ ମସିହାରେ ସେଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ସମସ୍ତେ ନିଷ୍ପତ୍ତି ନେଇଥିଲେ। ୨୦୦୧ ମସିହାରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସ୍ଥାପିତ କରାଯିବା ସହ ସେହି ବର୍ଷ ହିଁ ମା’ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ମା’ ଲକ୍ଷ୍ମୀଙ୍କ ଆଗମନ ସହ ମନ୍ଦିରରେ ଅବଢ଼ା ଭୋଗ ଲାଗି ଆରମ୍ଭ ହୋଇଥିଲା। ଧୀରେଧୀରେ ଏହି ଅବଢ଼ା ଭୁବନେଶ୍ବରରେ ଅତି ଲୋକପ୍ରିୟ ଓ ଚର୍ଚ୍ଚିତ ହୋଇଥିଲା। ମନ୍ଦିର ଅବଢ଼ାର ମୁଖ୍ୟ ଆକର୍ଷଣ ହେଉଛି ୩ ପ୍ରକାର ଅନ୍ନ ସହ ଏହା ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଅବଢ଼ା ଶୈଳୀରେ ପ୍ରସ୍ତୁତ ହୁଏ। ଖାଣ୍ଟି ଗୁଆଘିଅରେ ପ୍ରସ୍ତୁତ ହେଉଥିବା ଏହି ପ୍ରସାଦର କୌଣସି ବ୍ୟଞ୍ଜନରେ ଆଳୁ, ଟମୋଟେ ଆଦି ବ୍ୟବହୃତ ହୁଏ ନାହିଁ।
ଶ୍ରୀ ଶ୍ରୀ ହରଚଣ୍ଡୀ ଚଣ୍ଡେଶ୍ବର ଆଣ୍ଡ୍ ଜଗନ୍ନାଥ ଟେମ୍ପୁଲ ମ୍ୟାନେଜମେଣ୍ଟ୍ ଟ୍ରଷ୍ଟ୍ର ମ୍ୟାନେଜିଂ ଟ୍ରଷ୍ଟି ବିଜୟ ନନ୍ଦ କହିଛନ୍ତି, ଦିନ ସାଢ଼େ ୧୦ଟାରୁ ପ୍ରସାଦ ପାଇଁ ଲୋକେ ଟିକେଟ କାଟିବା ଆରମ୍ଭ କରି ଦିଅନ୍ତି। ପୁଣି ଖରାବେଳେ ମନ୍ଦିର ଖୋଲା ଥିବାରୁ ଗେଟ୍ରେ ପ୍ରବେଶ କରିବା ମାତ୍ରେ ଜଗନ୍ନାଥଙ୍କ ଦର୍ଶନ ମିଳିଯାଏ। ଏଠାରେ ଦୁଇ ପ୍ରକାର ପ୍ରସାଦ ମିଳେ ଯଥା ସାଦା ପ୍ରସାଦ ଓ କୋଠ ଭୋଗ। କୋଠ ଭୋଗ ହିଁ ମନ୍ଦିରର ମୁଖ୍ୟ ଆକର୍ଷଣ। ଏହି ଦୁଇ ପ୍ରକାର ପ୍ରସାଦ ଅଲଗା ଅଲଗା ରୋଷେଇ ହେଲା ପରେ ଭୋଗ ଲଗାଯାଏ। ପ୍ରସାଦକୁ ୪ ଜଣ ବ୍ରାହ୍ମଣ ପ୍ରସ୍ତୁତ କରନ୍ତି। ସେହିଭଳି ବାହାଘର, ନିର୍ବନ୍ଧ, ବ୍ରତଘର ଆଦିରେ ଚାହିଦା ଅନୁସାରେ ପ୍ରସାଦ ମଧ୍ୟ ପ୍ରସ୍ତୁତ ହୁଏ। ମନ୍ଦିରଟି ଜନସ୍ବାସ୍ଥ୍ୟ, ରାଜୀବ ଭବନ ତଥା ନ’ତାଲାରେ କାର୍ଯ୍ୟରତ ବହୁ କର୍ମଚାରୀଙ୍କ ଉଦ୍ୟମରେ ସମ୍ପୂର୍ଣ୍ଣ ହୋଇପାରିଛି। ବର୍ତ୍ତମାନ ଏଠାରେ ପୁରୀ ଶ୍ରୀମନ୍ଦିର ଅନୁକରଣରେ ମହାପ୍ରଭୁ ଜଗନ୍ନାଥଙ୍କର ସବୁ ନୀତିକାନ୍ତି ଓ ରଥଯାତ୍ରା ଆଦି ଅନୁଷ୍ଠିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/09/dgdadgd-2025-09-09-03-36-15.jpg)