ଓଡ଼ିଶାରେ ନବନିଯୁକ୍ତ ସେନା ଉପମୁଖ୍ୟ ଚଣ୍ଡୀପ୍ରସାଦ ମହାନ୍ତି ‘ଜନ୍ମମାଟିରେ ପହଞ୍ଚୁ ପହଞ୍ଚୁ ଖୁସି ଖବର ପାଇଲି’

ଆର୍ମିରେ ଯୋଗଦେବା ପାଇଁ ଯୁବତୀଙ୍କୁ ଦେଲେ ଆହ୍ବାନ, ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜନ୍ମମାଟିରେ ପାଦ ଦେଉଦେଉ ଖୁସି ଖବର ପାଇଲି। ସେନା ଉପମୁଖ୍ୟ ପଦ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ଏହା ଏବେ ମୁଖ୍ୟ ଦାୟିତ୍ବ ଭାବେ ତୁଲାଇବାକୁ ପଡ଼ିବ ବୋଲି କହିଛନ୍ତି ନବନିଯୁକ୍ତ ସେନା ଉପମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍‌ କରି ଶ୍ରୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି।
ସୋମବାର ଗୋପାଳପୁର ଆର୍ମି ଡିଫେନ୍ସ କଲେଜରେ ପହଞ୍ଚିଥିବା ଚଣ୍ଡୀପ୍ରସାଦ ଆଜି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରୁ ବାହାରି ସେ ସେନା ଉପମୁଖ୍ୟ ଭାବେ ନିଜର ନୂତନ ନିଯୁକ୍ତି ନେଇ ଖୁସି ବ୍ୟକ୍ତ କରିବା ସହିତ ଓଡ଼ିଶାରୁ ଅଧିକ ଯୁବତୀମାନେ ଆର୍ମି ଅଫିସର ଭାବେ ଯୋଗ ଦେବା ପାଇଁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ ପୂର୍ବ ଅପେକ୍ଷା ଏବେ ଅନେକ ସୁବିଧା ସୁଯୋଗ ରହିଛି। କୋର ମିଲିଟାରି ପୁଲିସରେ ମଧ୍ୟ ଯଥେଷ୍ଟ ସୁଯୋଗ ରହିଛି। ତେଣୁ ଯୁବତୀମାନଙ୍କୁ ଆଗେଇ ଆସି ସେନାରେ ଯୋଗ ଦିଅନ୍ତୁ। ସେହିପରି କେବଳ ସ୍ଥଳସେନା ନୁହେଁ; ବାୟୁସେନା ଏବଂ ନୌସେନାରେ ଅଧିକରୁ ଅଧିକ ଯୁବପିଢି ଯୋଗଦେବା ଉଚିତ ବୋଲି କହିଥିଲେ। ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାନ୍ତି କହିଥିଲେ; ବିଭିନ୍ନ ସମୟରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କର ସମସ୍ୟା ରହି ଆସିଛି। ଏ ସମ୍ପର୍କରେ ଅନେକ ବାର ଜିଲ୍ଲା ସୈନିକ ବୋର୍ଡ ସହ କଥା ହୋଇଛି। ଯାହା କିଛି ମୋ ଦ୍ବାରା ସମ୍ଭବ ହୋଇଛି ତାହା କରିଛି। ପୂର୍ବରୁ ଦିଲ୍ଲୀ ଜରିଆରେ ଏ ସବୁ କାମ ହେଉଥିବାବେଳେ ଏବେ ଯାହା ମୋ ଦ୍ବାରା ଯାହା କରିହେବ ପାରୁପର୍ଯ୍ୟନ୍ତ କରିବି।

ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ ପ୍ରସଙ୍ଗରେ ସେ କହିଥିଲେ ଯେ ଏବେ ଏହା ଉପରେ କହିବା କିଛି ଠିକ୍ ହେବ ନାହିଁ। ଭାରତ ସ୍ବାଧୀନତା ପରଠୁ ଆଜି ପର୍ଯ୍ୟନ୍ତ ଗୋଟିଏ ରେଜିମେଣ୍ଟ ହୋଇଛି। ନାଗା ରେଜିମେଣ୍ଟ ଓ ଏହା ଅଧୀନରେ ଦୁଇଟି ବାଟାଲିଅନ୍ କାମ କରୁଛି। ଭୁବନେଶ୍ବର ବିମାନବନ୍ଦରରୁ ଶ୍ରୀ ମହାନ୍ତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା ୧୨୦ ବାଟାଲିଅନ ପରିସରକୁ ଯାଇଥିଲେ। ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ତାଙ୍କର ସୈନିକ ସ୍କୁଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଜଗତସିଂହପୁର ଜିଲ୍ଲା ଜୟବଡ଼ ଗ୍ରାମର ଜିତେନ୍ଦ୍ର କୁମାର ମହାନ୍ତି ଓ ସ୍ବର୍ଗତା ଡ. ଶାରଦା ମହାନ୍ତିଙ୍କର ମଝିଆ ପୁଅ ହେଉଛନ୍ତି ଚଣ୍ଡୀପ୍ରସାଦ। ରାଷ୍ଟ୍ରୀୟ ମିଲିଟାରି କଲେଜରେ ପାଠ ପଢିବା ସହ ନ୍ୟାସନାଲ ଡିଫେନ୍ସ ଏକାଡେମିରେ ତାଲିମ ନେଇଥିଲେ। ୧୯୮୨ରେ ସେ ରାଜପୁତ ରେଜିମେଣ୍ଟରେ ଚାକିରି ଆରମ୍ଭ କରିଥିଲେ। ଜମ୍ମୁ କଶ୍ମୀରରେ ଆତଙ୍କବାଦ ନିରୋଧୀ କାର୍ଯ୍ୟକ୍ରମରେ ସେ ଜଣେ କମ୍ପାନି କମାଣ୍ଡର ଏବଂ ନିୟନ୍ତ୍ରଣ ରେଖାର ଜଣେ ବାଟାଲିଅନ୍ କମାଣ୍ଡର ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଆସାମରେ ଶାନ୍ତି ଫେରାଇ ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉଲ୍‌ଫା ଆତଙ୍କବାଦୀଙ୍କୁ ନିପାତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ମହାନ୍ତି ଅତି ବିଶିଷ୍ଟ ସେବା ସମ୍ମାନ ପାଇଥିଲେ। ଏବେ ସେ ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଭାବେ ଅବସ୍ଥାପିତ ଅଛନ୍ତି। ଆସନ୍ତା ୩୧ ତାରିଖରେ ସେ ସେନା ଉପମୁଖ୍ୟ ଭାବେ ଦାୟିତ୍ବ ନେବେ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଚଣ୍ଡୀପ୍ରସାଦଙ୍କ ମା ସ୍ବର୍ଗତା ଶାରଦା ମହାନ୍ତି ପ୍ରଥମ ମହିଳା ଭାବେ ପିଏଚ୍‌ଡି ଲାଭ କରିଥିଲେ। ସେହିପରି ତାଙ୍କ ବଡ଼ଭାଇ କେ.ପି ମହାନ୍ତି ହରିୟାଣା ପାନିପତସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନରେ ଜେନେରାଲ ମ୍ୟାନେଜର ଓ ସାନଭାଇ ଦେବୀପ୍ରସାଦ ମହାନ୍ତି ପେସାରେ ଜଣେ ଆଇନଜୀବୀ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର