ଚନ୍ଦକା ଜଙ୍ଗଲ କର୍ମଚାରୀଙ୍କର ନାହିଁ ଇଏସ୍‌ଆଇ

ସ୍ବର ଉଠାଇଲା ଆଇଏଚ୍‌ଆର୍‌ସି

ଭୁବନେଶ୍ବର: ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ ଅଧୀନ ଚନ୍ଦକା ରେଞ୍ଜରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀ ବିପଦସଂକୁଳ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଇଏସ୍‌ଇ ଅନ୍ତର୍ଭୁକ୍ତ କରାଯାଉନାହିଁ। ଏନେଇ ଇଣ୍ଟରନ୍ୟାସନାଲ ହ୍ୟୁମାନ୍‌ ରାଇଟ୍ସ କମିସନ(ଆଇଏଚ୍‌ଆରସି)ର ଓଡ଼ିଶା ଶାଖା ମୁଖ୍ୟ ଶିବସୁନ୍ଦର ସ୍ୱାଇଁ, ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ଶଶାଙ୍କ ଶେଖର ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନାରାୟଣ ସାହୁ ପ୍ରମୁଖ ଆଜି ଇଏସ୍‌ଆଇ ଓଡ଼ିଶା ଶାଖା ମୁଖ୍ୟଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ସଙ୍ଗଠନ ପକ୍ଷରୁ ଦର୍ଶାଯାଇଛି ଯେ ବହୁ ବର୍ଷ ହେଲା ଚନ୍ଦକା ବନ୍ୟପ୍ରାଣୀ ଡିଭିଜନରେ ୩୦ରୁ ଅଧିକ କର୍ମଚାରୀ ଅସ୍ଥାୟୀ ଭାବେ କାମ କରୁଛନ୍ତି।

ମାତ୍ର ସେମାନଙ୍କୁ ଇଏସ୍‌ଆଇ ଅନ୍ତର୍ଭୁକ୍ତ କରାଯାଉନାହିଁ। ୧୦ରୁ କମ୍‌ ବ୍ୟକ୍ତି କାମ କରୁଥିବା, ୨୧ ହଜାରରୁ ଅଧିକ ଦରମା ଥିବା ଏବଂ ଯଦି କୌଣସି ବିପଦ ପରିବେଶ ନଥିବ ତାହାଲେ ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ଇଏସ୍‌ଆଇରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ। ମାତ୍ର ଏଠାରେ ଉକ୍ତ ତିନୋଟି ମଧ୍ୟରୁ କୌଣସି ଗୋଟିଏ ବି ସୁବିଧା ଉପଲବ୍ଧ ହେଉ ନ ଥିବା ବେଳେ କେଉଁ କାରଣରୁ ସେମାନଙ୍କୁ ଇଏସ୍‌ଆଇ ଅନ୍ତର୍ଭୁକ୍ତ କରାଯାଉନାହିଁ ବୋଲି ପ୍ରଶ୍ନ ଉଠୁଛି।

ଚନ୍ଦକା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ହାତୀ ମାହୁନ୍ତ, ହେଲ୍‌ପର, ଡେରାସ ଡ୍ୟାମ୍‌ରେ ଚଲାଉଥିବା ବୋଟ୍‌ ଡ୍ରାଇଭର ନିଯୁକ୍ତି ପାଇଛନ୍ତି। ଯେଉଁମାନଙ୍କ ଦରମା ଦୈନିକ ଶ୍ରମିକଙ୍କ ଅନୁସାରେ ଦିଆଯାଉଛି। ଚନ୍ଦକା ରେଞ୍ଜ ଅଧୀନରେ କାମ କରୁଥିବା ୧୦ଜଣରୁ ଅଧିକ କର୍ମଚାରୀ ପ୍ରତିଦିନ ନିଜ ଜୀବନକୁ ବାଜିରେ ଲଗେଇ ଜଙ୍ଗଲ ଭିତରେ କାମ କରୁଛନ୍ତି। କୁମାରଖୁଣ୍ଟି ଠାରେ ଥିବା ‘ଶଙ୍କର’ ହାତୀ ଟିକରପଡ଼ା ଓ କୁମାରଖୁଣ୍ଟିରେ ଜଣେ ଲେଖାଏ ମାହୁନ୍ତ, ତେଲକୋଇଠାରେ ଜଣେ ସାଧାରଣ ଲୋକଙ୍କୁ ମାରିଛି। ସେହିପରି ମାଈ ହାତୀ ‘ଯଶୋଧା’ ଅନୁଗୁଳ ବାଘ ଧରିବାକୁ ଯିବା ବେଳେ ଜଣେ ବ୍ୟକ୍ତିଙ୍କୁ ମାରିଛି।

ତାକୁ ସେବା ଦେବାକୁ କୁମାରଖୁଣ୍ଟିଠାରେ ୩ଟି ମାହୁନ୍ତ ଓ ୬ଟି ଚାରା କଟର ଅଛନ୍ତି। ଯେଉଁମାନେ କି ୨୪ ଘଣ୍ଟା କାମ କରନ୍ତି। ଡେରାସ ଡ୍ୟାମ୍‌ରେ କୁମ୍ଭୀର ଅଛନ୍ତି। ତା’ପରେ ବି ସେଠାରେ ନିଜ ଜୀବନକୁ ବାଜି ଲଗେଇ ୪ଜଣ ବୋଟ୍‌ ଡ୍ରାଇଭର କାମ କରୁଛନ୍ତି। ହାତୀ ଅଭୟାରଣ୍ୟରେ ୬ଜଣ ସଫାରି ଗାଡି ଡ୍ରାଇଭର କାମ କରୁଛନ୍ତି। ଶିକାର ଜଗିବାକୁ ୨୦ଜଣ ପ୍ରତିଦିନ ବନ୍ୟ ଜୀବଜନ୍ତୁକୁ ସାମ୍ନା କରି ସେବା ଯୋଗାଉଛନ୍ତି। ମାତ୍ର ଏହି କର୍ମଚାରୀ ଓ ସେମାନଙ୍କ ପରିବାର ମେଡିକାଲ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଯଦି କୌଣସି ଅଘଟଣ ହେବ ଏଥିପାଇଁ କିଏ ଦାୟୀ ରହିବ ବୋଲି ସଙ୍ଗଠନ ପ୍ରଶ୍ନ ଉଠାଇଛି।

ସମ୍ବନ୍ଧିତ ଖବର