ଚନ୍ଦକା ଜଙ୍ଗଲରେ ନିଆଁ: ଅପରାହ୍ଣ ସୁଦ୍ଧା ୪ଟି ନିଆଁ ନିୟନ୍ତ୍ରଣାଧୀନ

ଡମପଡ଼ା ରେଞ୍ଜର ପିଠାଖିଆ ଅଧିକ ପ୍ରଭାବିତ, ଭରତପୁର ଜଙ୍ଗଲ ନିକଟରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଭୁବନେଶ୍ବର: ତିନି ଦିନ ହେଲା ୪୦ ଡିଗ୍ରି ଉପରେ ଭୁବନେଶ୍ବରର ତାତି। ସକାଳ ୮ଟାରୁ ଡହଡହ ଖରାରେ ସିଝୁଛି ରାଜଧାନୀ। ପୂର୍ବାହ୍ନ ବେଳକୁ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି। ଏଭଳି ସମୟରେ ଆଜି ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ୩ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ପକ୍ଷରୁ ସୂଚନା ଦିଆଯାଇଥିଲା। ମଧ୍ୟାହ୍ନରେ ସାଟେଲାଇଟ୍‌ରୁ ସଂଗୃହୀତ ତଥ୍ୟ ଆଧାରରେ ଡମପଡ଼ା ରେଞ୍ଜର ପିଠାଖିଆ ବିଟ୍‌ରେ ବଡ଼ଧରଣର ନିଆଁ ସାମ୍ନାକୁ ଆସିବା କ୍ଷଣି ବନ କର୍ମଚାରୀମାନେ ଲିଭାଇବା ଦିଗରେ ପଦକ୍ଷେପ ନେଇଥିଲେ। କର୍ମଚାରୀମାନେ ସମସ୍ତ ଅତ୍ୟାଧୁନିକ ସାମଗ୍ରୀ ସହ ଘଟଣାସ୍ଥଳରେ ପହଞ୍ଚି ବନାଗ୍ନିକୁ ଆୟତ୍ତ କରିଥିଲେ। ଏହାବ୍ୟତୀତ ଡମପଡ଼ା ରେଞ୍ଜର ପିଠାଖିଆର ଦୁଇଟି ଓ ଚନ୍ଦକା ରେଞ୍ଜର ଗୋଟିଏ ସ୍ଥାନରେ ଛୋଟଧରଣର ନିଆଁ ଲାଗିଥିବା ନେଇ ଏଫ୍‌ଏସ୍‌ଆଇ ତଥ୍ୟ ଦେଇଥିଲା। କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଜଣାପଡ଼ିବା କ୍ଷଣି ପଦକ୍ଷେପ ନିଆଯାଇଥିଲା। ଅପରାହ୍ଣ ସୁଦ୍ଧା ନିଆଁଗୁଡ଼ିକ ନିୟନ୍ତ୍ରଣକୁ ଆସିଥିବା ଚନ୍ଦକା ଡିଏଫ୍‌ଓ ସୂଚନା ଦେଇଛନ୍ତି।

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବ୍ୟତୀତ ଭୁବନେଶ୍ବର ସର୍କଲ ଅଧୀନ ନୟାଗଡ଼ ଜିଲ୍ଲାର ଏକାଧିକ ସ୍ଥାନରେ ବନାଗ୍ନି ନଜରକୁ ଆସିଛି। ନୟାଗଡ଼ ଡିଭିଜନ୍‌ର ଖଣ୍ଡପଡ଼ା ରେଞ୍ଜର ନୂଆପଲ୍ଲୀ ବିଟ୍‌, ଗୋଚ୍ଛାବରି ବିଟ୍‌, ଖଲିସାହି ବିଟ୍‌ରେ ଦୁଇ ଦିନ ହେଲା ଜଙ୍ଗଲ ଜଳୁଥିଲେ ମଧ୍ୟ ଅପରାହ୍ଣ ସାଢ଼େ ଗୋଟିଏ ସୁଦ୍ଧା ଆୟତ୍ତ ହୋଇ ନଥିବା ଜଣାପଡ଼ିଛି। ସେହିପରି ନୟାଗଡ଼ ଡିଭିଜନ୍‌ର ଦଶପଲ୍ଲା ରେଞ୍ଜର ଚଣ୍ତୀପାଲ୍ଲି, ସକିନ୍‌, ମହିପୁର ରେଞ୍ଜର ଡିମିରିଆ ବିଟ୍‌ର ୫ଟି ସ୍ଥାନ, ଗୁମି ବ୍ଲକ ବିଟ୍‌, କଣିଗିରି ବିଟ୍‌, କୋଶଳଙ୍ଗା ବିଟ୍‌, ନୟାଗଡ଼ ରେଞ୍ଜର ଚହଲି, କୋସକ, ଖଣ୍ଡପଡ଼ା ରେଞ୍ଜର ନହକହଟା ବିଟ୍‌ର ୩ଟି, ନୂଆପଲ୍ଲୀ ବିଟ୍‌ର ୨୫ରୁ ଅଧିକ ସ୍ଥାନ, ଅଂଳପଟ୍ଟା ବିଟ୍‌ର ୩, କିଆଝର ବିଟ୍‌ର ୧୦ରୁ ଅଧିକ ସ୍ଥାନ, ଖଲିସାହି ବିଟ୍‌ର ୬ଟି ସ୍ଥାନରେ ଆଜି ନିଆଁ ଲାଗିଛି।

ଅନ୍ୟପକ୍ଷରେ ଚନ୍ଦକା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲ ନିକଟରେ ଆଜି ନିଆଁ ଲାଗିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଭରତପୁର ଜଙ୍ଗଲ ନିକଟ ଦେଇ ଯାଇଥିବା ୨୦୦ ଫୁଟିଆ ରାସ୍ତାର ନୀଳାଦ୍ରିବିହାରଠାରେ ଅପରାହ୍ଣରେ ନିଆଁ ଲାଗିଥିଲା। କେହି ଦୁର୍ବୃତ୍ତ ରାସ୍ତାପାର୍ଶ୍ବରେ ଥିବା ଏକ ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିଲା। ଫଳରେ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଳିଆ ଗଦା ହୁହୁହୁତୁ ହୋଇ ଜଳୁଥିଲା। ଧୂଆଁର ପ୍ରକୋପ ଏତେ ଥିଲା ଯେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ନିକଟରେ ଥିବା ଦୁଇଟି ପ୍ରମୁଖ ହସ୍ପିଟାଲ ଓ ୪ରୁ ଅଧିକ ହୋଟେଲରେ ରହୁଥିବା ଗ୍ରାହକ ନିଆଁ ଧୂଆଁରେ ରହିପାରି ନ ଥିଲେ। ଘଣ୍ଟା ଘଣ୍ଟା ଧରି ଜଳୁଥିଲେ ମଧ୍ୟ କେହି ଲିଭାଇବାକୁ ଆସି ନ ଥିଲେ। ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି, ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଠାରେ ଜମା ହୋଇ ରହୁଥିବା ଅଳିଆରେ ‌କେହି ନିଆଁ ଲଗାଇ ଦେଉଛି। ଦକ୍ଷିଣ ମୁ‌ହାଁ ପବନ ହେଉଥିବାରୁ ନିଆଁର ପ୍ରଭାବ ଭରତପୁର ଜଙ୍ଗଲ ଉପରେ ପଡ଼ୁନାହିଁ। ନହେଲେ ବଡ଼ କ୍ଷତି ହୋଇସାରନ୍ତାଣି।

ସମ୍ବନ୍ଧିତ ଖବର