ଚନ୍ଦ୍ରଶେଖର ରଥ ସ୍ମାରକୀ ବକ୍ତୃତା, ତାଙ୍କ ରଚନାରେ ଅହଂ, ଆତ୍ମାର ପରିଚୟ ମିଳେ

ଭୁବନେଶ୍ବର: ଚନ୍ଦ୍ରଶେଖର ରଥଙ୍କ ପ୍ରତ୍ୟେକ ସୃଷ୍ଟିରେ ଅହଂ ଓ ଆତ୍ମାର ପରିଚୟ ମିଳେ। ନିରବରେ ତୂଳୀ ଧରି ସେ ଗଢ଼ିଛନ୍ତି ରଙ୍ଗ ବିଶ୍ବ। ନିହାଣ ଧରି ପଥର ମଧ୍ୟରୁ ସୃଷ୍ଟିର ରହସ୍ୟ ଖୋଜିଛନ୍ତି। କଲମ ଧରି ଅକ୍ଷରବ୍ରହ୍ମର ସାଧନା କରି ଭାବଗମ୍ଭୀର ଭାଷାରେ ଜୀବନର ବିଭିନ୍ନ ବିଭବକୁ ତର୍ଜମା କରିଛନ୍ତି। ସାହିତ୍ୟ-ଦର୍ଶନ-ଆଧ୍ୟାତ୍ମିକତାକୁ ଜୀବନ ସାଧନାର କ୍ଷେତ୍ର ଭାବେ ଗ୍ରହଣ କରି ବଞ୍ଚିବାର ସାର୍ଥକତା ଖୋଜିବାକୁ ସେ ମନ୍ତ୍ର ଦେଇଛନ୍ତି। ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥ ସ୍ମାରକୀ ବକ୍ତୃତା ପ୍ରଦାନ କରି ଚନ୍ଦ୍ରଶେଖରଙ୍କୁ ଏପରି ଭାବେ ବଖାଣିଛନ୍ତି ବିଶିଷ୍ଟ ବାଗ୍ମୀ, ପ୍ରଶାସକ ତଥା ଲେଖକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି। ଚନ୍ଦ୍ରଶେଖର ରଥ ଫାଉଣ୍ଡେସନ୍‌ ପକ୍ଷରୁ ପ୍ରେସ୍‌ କ୍ଲବ୍‌ରେ ଆୟୋଜିତ ଏହି ପ୍ରଥମ ସ୍କାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତି ଚନ୍ଦ୍ରଶେଖରଙ୍କ ସହ ନିଜର ୫୦ ବର୍ଷର ଅଭିଜ୍ଞତାକୁ ବ୍ୟକ୍ତ କରି କହିଲେ, ଚନ୍ଦ୍ରଶେଖର ଥିଲେ ସତ୍ୟଦ୍ରଷ୍ଟା। ସେ ତାଙ୍କ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ବକ୍ତୃତା ଓ କବିତାରେ ମଣିଷର ଐଶ୍ବରିକ ସତ୍ତା ସନ୍ଧାନ କରିଛନ୍ତି। ତାଙ୍କ ସମସ୍ତ ରଚନାରେ ସେ ରୂପକଳ୍ପ ବ୍ୟବହାର କରିଛନ୍ତି। ସେ କଥା କହିବା ବେଳେ ମଧ୍ୟ ଗଦ୍ୟ ସବୁ ପଦ୍ୟଛନ୍ଦ ନେଇ ଆସନ୍ତି ବୋଲି ସେ କହିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ‘ରେ ଆତ୍ମନ…ଗୀତ ଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥ‌ିଲେ। ଏହି ଅବସରରେ ପ୍ରଫେସର ପ୍ରଫୁଲ୍ଲ ମହାନ୍ତି, ପ୍ରଣବ ପଟ୍ଟନାୟକ, ଡ.ଶୀତକଣ୍ଠ ଦାଶ ଏବଂ କଳ୍ପନାମୟୀ ଦାଶଙ୍କୁ ସମ୍ବର୍ଧିତ କରାଯାଇଥିଲା। ଚନ୍ଦ୍ରଶେଖରଙ୍କ ପତ୍ନୀ ଚାରୁବାଳା ରଥ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଧିତ କରିଥିଲେ। ଶଶିଭୂଷଣ ରଥ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। କବି ସୁଦାମବନ୍ଧୁ ଭଟ୍ଟମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଚିତ୍ରଶିଳ୍ପୀ ଉଷା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଓ ଚନ୍ଦ୍ରଶେଖରଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର