ମାଟି ଓ ମାତୃଭାଷା ପାଇଁ ଚନ୍ଦ୍ରପ୍ରଭା ସମର୍ପିତ ଥିଲେ

ଜୟନ୍ତ ଦାସ ଓ ଚିରଶ୍ରୀ ଇନ୍ଦ୍ରସିଂହଙ୍କୁ ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ

ଭୁବନେଶ୍ୱର : ଲେଖିକା ଓ ସମାଜସେବୀ ଚନ୍ଦ୍ରପ୍ରଭା ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ‘ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ ସମାରୋହ’ ସ୍ଥାନୀୟ ଓଏଏସ୍‌ ଭବନରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତି ଏ ସୂର୍ଯ୍ୟ ନାରାୟଣ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଚନ୍ଦ୍ରପ୍ରଭା ଥିଲେ ଜଣେ ସମାଜ ସଚେତନ ଶିଳ୍ପୀ। ସାଧାରଣ ମଣିଷର ସେବା ସହ ମାଟି ଓ ମାତୃଭାଷା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

‘ଆସୋସିଏଟେଡ୍‌ ମିଡିଆ ଫାଉଣ୍ଡେସନ୍‌’ ଏବଂ ଚନ୍ଦ୍ରପ୍ରଭାଙ୍କ ପରିବାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ମୃତି ପର୍ବରେ ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ଏବଂ କବି ସୌଭାଗ୍ୟ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ପ୍ଲାଷ୍ଟିକ୍‌ ସର୍ଜନ ଡାକ୍ତର ଜୟନ୍ତ ଦାସଙ୍କୁ ଚନ୍ଦ୍ରପ୍ରଭା ସେବା ସମ୍ମାନ ଏବଂ କବି ଓ କଥାକାର ଚିରଶ୍ରୀ ଇନ୍ଦ୍ରସିଂହଙ୍କୁ ଚନ୍ଦ୍ରପ୍ରଭା ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକୁ କବି କେଦାର ମିଶ୍ର ସଂଯୋଜନା କରିଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ, ଦାମୋଦର ରାଉତ, ପଞ୍ଚାନନ କାନୁନ୍‌ଗୋ, ‘ଦିନଲିପି’ର ସମ୍ପାଦକ ବଟକୃଷ୍ଣ ତ୍ରିପାଠୀ, ଅଭେଦାନନ୍ଦ ମହାନ୍ତି, ପ୍ରାକ୍ତନ ପ୍ରଶାସକ ପ୍ରେମାନନ୍ଦ ରାୟ, ପ୍ରାକ୍ତନ ସାଂସଦ ନାରାୟଣ ସାହୁ, ଲାର୍କ ବୁକ୍ସର ପ୍ରତିଷ୍ଠାତା ମହେନ୍ଦ୍ର ମିଶ୍ର, କୃଷି ବିଜ୍ଞାନୀ ରାମଚନ୍ଦ୍ର ସାହୁଙ୍କ ସମେତ ଅନ୍ୟ ଅତିଥିମାନେ ଚନ୍ଦ୍ରପ୍ରଭାଙ୍କ ସାହିତ୍ୟ କୃତି ଓ ନିରଳସ ସମାଜସେବାର ସ୍ମୃତିଚାରଣ କରିଥିଲେ। ଶେଷରେ ଆୟୂଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର