ଚନ୍ଦ୍ରଶେଖରପୁର: ଆଜି କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଦାୟୀ କରି ବିଜେପି ଓ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଓ ହରତାଳର ପ୍ରଭାବ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ୬ଟାରୁ ଜୟଦେବ ବିହାର ଛକ, କଳିଙ୍ଗ ହସ୍ପିଟାଲ୍ ଛକ, ପୂର୍ବତଟ ରେଳ କାର୍ଯ୍ୟାଳୟ ସାମ୍ନା, ଡମଣା, ପଟିଆ ଛକ, ମ୍ୟାଗ୍ନେଟ୍ ଛକ, ଶିଖରଚଣ୍ଡୀ ଛକ ଭଳି ସ୍ଥାନଗୁଡ଼ିକରେ ବିଜେପି ଓ କଂଗ୍ରେସ ଦଳର କର୍ମୀଗଣ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପ୍ରାୟ ସବୁ ଛକରେ ବିଜେପି କର୍ମୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ନାରବାଜି କରିଥିଲେ।
ଫଳରେ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବ୍ୟକ୍ତିମାନେ ରାସ୍ତାରେ ଠିଆ ହୋଇରହିଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ଅଟୋ, ସିଟିବସ୍ କିମ୍ବା ଅନ୍ୟ କୌଣସି ବାହନ ଚଳାଚଳ କରୁନଥିଲା। ଆଜି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା ହୋଇନଥିବାରୁ ସରକାରୀ କର୍ମଚାରୀମାନେ କାର୍ଯ୍ୟାଳୟ ଯିବାକୁ ବେଶ୍ ହଇରାଣ ହୋଇଥିଲେ। ଡମଣା ଛକରେ ସରକାରୀ ଦଳର କିଛି କର୍ମୀ ବିଜେପିର ହରତାଳକୁ ଅସଫଳ କରିବା ନିମନ୍ତେ ୧୦-୧୫ ବାଇକରେ ଆସି ପୁଲିସ୍ ଉପରକୁ ଟେକା ଫୋପାଡ଼ିଥିବା ଅଭିଯୋଗ କରିଛନ୍ତି ବିଜେପିର ନାରୀନେତ୍ରୀ ମାନସୀ ସୁନ୍ଦରାୟ ପାଢ଼ୀ। ବିଜେପି ନେତା ଦିଲ୍ଲୀପ ମହାନ୍ତି, ମାନସୀସୁନ୍ଦରାୟ ପାଢ଼ୀ, ଶିଶିର ମହାରଣା, ଯୁବନେତା ଦେବାଶିଷ ନାୟକ ପ୍ରମୁଖ ଏହି ହରତାଳର ନେତୃତ୍ୱ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/madhu-damana-chak-damana-chaka06.jpg)