ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କର୍ତୃପକ୍ଷ-ଅଭିଭାବକ ଆଲୋଚନା‌, ସ୍କୁଲ ଖୋଲିବା ଲାଗି ପ୍ରସ୍ତାବ

ଚନ୍ଦ୍ରଶେଖରପୁର: ସ୍କୁଲ ଖୋଲିବା, ପ୍ରାକ୍ଟିକାଲ ଓ ଦୀର୍ଘ ଉତ୍ତରମୂଳକ ପରୀକ୍ଷା କରାଇବା ଆଦି ବିଷୟ ନେଇ ଡିଏଭି ଚନ୍ଦ୍ରଶେଖରପୁରରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଅଧ୍ୟକ୍ଷ କେଶବ ଚନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଅନୁଷ୍ଠିତ ଏହି ବୈଠକରେ ସଂଯୋଜକ, କର୍ମଚାରୀ, ଅଭିଭାବକ ସଂଘର ସଦସ୍ୟମାନେ ସାମିଲ ହୋଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଯେତେଶୀଘ୍ର ସମ୍ଭବ ସ୍କୁଲ ଖୋଲିବା ଲାଗି ଅଭିଭାବକମାନେ ସ୍କୁଲ କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ପରେ ଏ ସମ୍ପର୍କିତ ପ୍ରସ୍ତାବ ‌ରାଜ୍ୟ ସରକାରଙ୍କୁ ଦେବାକୁ ନିଷ୍ପତ୍ତି ହୋଇଛି।

ଆହୁରି ନିଷ୍ପତ୍ତି ହୋଇଛି ଯେ ରାଜ୍ୟ ସରକାରଙ୍କ ଅନୁମତି ପରେ ସ୍କୁଲ ଖୋଲାଯାଉ। କୋଭିଡ୍‌-୧୯ ଏସ୍‌ଓପିକୁ ପାଳନ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସ୍କୁଲ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉ। ପ୍ରତିଦିନ କ୍ଲାସର ସମୟ ୬ ଘଣ୍ଟା ବଦଳରେ ୪ ଘଣ୍ଟା କରାଯାଉ। ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦୀର୍ଘଉତ୍ତରମୂଳକ ପ୍ରଶ୍ନ ପ୍ରସ୍ତୁତ କରାଯାଇ ପିଲାଙ୍କ ପରୀକ୍ଷା କରାଯାଉ। ଯଦି କୋଭିଡ୍‌-୧୯ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ତେବେ କ୍ଲାସରୁମ୍‌ ଶିକ୍ଷା ଦିଗରେ ପଦକ୍ଷେପ ନିଆଯାଉ। ଡିସେମ୍ବର ଶେଷ ସୁଦ୍ଧା ଅଭିଭାବକମାନେ ପିଲାଙ୍କ ୮୦% ସ୍କୁଲ ଫି’ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଏ ସମ୍ପର୍କିତ ମାମଲା ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ରହିଛି। ‌ହାଇକୋର୍ଟଙ୍କ ରାୟ ଆସିବା ପରେ ବାକି ୨୦% ଫି’ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଯଦି କୌଣସି ଅଭିଭାବକ ଅଧିକ ଫି’ ଦେଇଥିବେ, ତେବେ ତାହାକୁ ଫେରସ୍ତ କରାଯିବ ନ ହେଲେ ଆଡଜଷ୍ଟ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର