ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଅଞ୍ଚଳରେ ବେକାବୁ ହେବାରେ ଲାଗିଛି ଡେଙ୍ଗୁ। ବସ୍ତିଠାରୁ ଆରମ୍ଭ କରି ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ସବୁଠି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଟିଆ ଓ ଏହାର ଆଖପାଖ ଅଞ୍ଚଳ ଏବେ ହଟ୍‌ସ୍ପଟ୍‌ ପାଲଟିଲାଣି। ଏବେ ସୁଦ୍ଧା ଭୁବନେଶ୍ବର ସହରରୁ ୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ପଟିଆରୁ ସର୍ବାଧିକ ୨୦ ଜଣ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଶିଖରଚଣ୍ଡିନଗରରୁ ୧୫, ପ୍ରଶାନ୍ତିବିହାରରୁ ୧୪, ସାଲିଆସାହିରୁ ୧୩, ଶୈଳଶ୍ରୀବିହାରୁ ୮, କିଟ୍‌ ଅଞ୍ଚଳରୁ ୬, ନନ୍ଦନବିହାର ଓ ନୀଳାଦ୍ରିବିହାରରୁ ୫ଜଣ ଲେଖାଏ; କାନନବିହାର, କଳାରାହାଙ୍ଗ, ଶ୍ରୀବିହାରରୁ ୪ଜଣ ଲେଖାଏ, ଚୁନୁକୋଳି, ଲକ୍ଷ୍ମୀବିହାର, ଜୟଦେବବିହାର, କିଟ୍‌ କ୍ୟାମ୍ପସ, ଇନ୍‌ଫୋସିଟି, ଗାଡ଼କଣ, ମହାବିନାୟକପୁରମ୍‌ରୁ ଦୁଇଜଣ ଲେଖାଏ, ପଦ୍ମକେଶରୀପୁର, ମୈତ୍ରୀବିହାର, କଳିଙ୍ଗ ହସ୍ପିଟାଲ ଅଞ୍ଚଳ, ଲକ୍ଷ୍ମୀବିହାର, ବଂଶୀବିହାରରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଜଧାନୀରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର, ମୈତ୍ରୀବିହାର ଓ ଇନ୍‌ଫୋସିଟି ଥାନା ଅଞ୍ଚଳରୁ ୧୧୭ ଜଣ ଆକ୍ରାନ୍ତ ବାହାରି ସାରିଲେଣି। ଅର୍ଥାତ୍‌ ସହରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅର୍ଦ୍ଧାଧିକ କେବଳ ଏହି ଅଞ୍ଚଳରେ ରହିଛନ୍ତି। ପଟିଆ, ଶିଖରଚଣ୍ଡିନଗର, ପ୍ରଶାନ୍ତିବିହାର ଓ ସାଲିଆସାହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ସହରରୁ ପ୍ରତିଦିନ ୩ରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଗୋଟିଏ ଦିନରେ ସହରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ହୋଇଥିବା ‌ପରୀକ୍ଷାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ପଟିଆ ୟୁସିଏଚ୍‌ସିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରୀକ୍ଷାରେ ଚିହ୍ନଟ ହୋଇଥିବା ୩ଜଣଙ୍କ ଘର ରସୁଲଗଡ଼, ବରମୁଣ୍ଡା ଓ ନୟାପଲ୍ଲୀ ଅଞ୍ଚଳର ଏବଂ ପଟିଆର କିଟ୍‌ ଅଞ୍ଚଳରୁ ଅନ୍ୟ ଜଣେ ଚିହ୍ନଟ ହୋଇଛନ୍ତି।
ଗତକାଲି ୬୭ଟି ୱାର୍ଡରେ ଡ୍ରାଏ ଡେ’ ପାଳନ ହୋଇଥିଲେ ମଧ୍ୟ ଡେଙ୍ଗୁ କିନ୍ତୁ ଡରାଇବାରେ ଲାଗିଛି। ଗତ ୪ ବର୍ଷ ହେଲା ଏହି ଅଞ୍ଚଳରେ ଡେଙ୍ଗୁର ଭୟାବହତାକୁ ନେଇ ସହରବାସୀ ଭୟଭୀତ ହୋଇଛନ୍ତି। ଯେଉଁଠୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ଜାଗାରେ ବିଏମ୍‌ସି ଅଧିକ ନମୁନା ସଂଗ୍ରହ କରିବା ସହ ସଚେତନତା ସୃ୍ଷ୍ଟି କରିଛି। ଏହି ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ତା’ ସହ ଯେଉଁଠି ଜ୍ବର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦେଖାଯାଉଛି ସେଠାରେ ଅଧିକରୁ ଅଧିକ ନମୁନା ସଂଗ୍ରହ କରାଯାଉଛି। ଲଗାତାର ଭାବେ ବର୍ଷା ହେଉଥିବାରୁ ବିଭିନ୍ନ ଜାଗାରେ ପାଣି ଜମି ରହିବା ଦ୍ବାରା ମଶାବଂଶ ବୃଦ୍ଧି ପାଇବାର ଆଶଙ୍କା ବୃଦ୍ଧି ପାଇଛି। ଜମି ରହିଥିବା ସ୍ବଚ୍ଛ ତଥା ସ୍ଥିର ପାଣିରେ ଡେଙ୍ଗୁ ମଶା ଲାର୍ଭା ଛାଡ଼ିବା ଆଶଙ୍କା ଥିବାରୁ ଛାତ ଉପରେ ଥିବା ଫୁଲକୁଣ୍ଡ, ଟାୟାର କିମ୍ବା କୌଣସି ପାତ୍ରରୁ ପାଣି ଢାଳି ଦେବାକୁ ପରାମର୍ଶ ଦିଆଯାଇଛି।
ଆଜି ସୁଦ୍ଧା‌ ରାଜଧାନୀର ଦେଢ଼ଲକ୍ଷରୁ ଅଧିକ ଜନସଂଖ୍ୟା କଭର୍‌ ହୋଇଛି। ୪୪ ହଜାରରୁ ଅଧିକ ଘର ସର୍ଭେ କରାଯାଇ ୪୦୦ ନମୁନା ସଂଗ୍ରହ ହୋଇଛି। ୧୯ହଜାର ୫୦୦ ମଶା ବଂଶ ସୃଷ୍ଟିକାରୀ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ୧୧ ହଜାରରୁ ଅଧିକ ସ୍ଥାନରେ ଡେଙ୍ଗୁ ଆକ୍ରାନ୍ତକାରୀ ମଶା ସ୍ଥାନ ଚିହ୍ନଟ ହୋଇଛି। ଲୋକଙ୍କୁ ସଚେତନ କରିବାକୁ ଏବେ ସୁଦ୍ଧା ୩୨୦ରୁ ଅଧିକ ଗ୍ରୁପ୍‌ ବୈଠକ, ୧୩୭ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଓ ୬୩ଟି ଶୋଭାଯାତ୍ରା ହୋଇସାରିଛି। ଜାନୁଆରିରୁ ଅଗଷ୍ଟ ୮ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ଏବେ ସୁଦ୍ଧା ୩୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁଲାଇ ମାସରେ ସର୍ବାଧିକ ୧୮୮ଜଣ ଆକ୍ରାନ୍ତ ସାମ୍ନାକୁ ଆସିଥିବା ବେଳେ ଅଗଷ୍ଟରେ ଏପର୍ଯ୍ୟନ୍ତ ୪୪ଜଣ ଚିହ୍ନଟ ହୋଇଛନ୍ତି।