କୁଖ୍ୟାତ ଚନ୍ଦୁ ହତ୍ୟା ମାମଲା: ଗଞ୍ଜାମରୁ ଠାବ ନିଶାରାଣୀ ରଞ୍ଜୁ!

କାହ୍ନାର ପତ୍ତା ମିଳୁନି

ଭୁବନେଶ୍ବର: କ୍ୟାପିଟାଲ ଥାନା ନାରାୟଣୀ ବସ୍ତିର କୁଖ୍ୟାତ ଅପରାଧୀ ଚନ୍ଦୁକୁ ହତ୍ୟା କରି ଫେରାର୍ ହୋଇଯାଇଥିବା ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରଞ୍ଜୁକୁ ଗଞ୍ଜାମରୁ ଠାବ କରାଯାଇଛି। କମିସନେରଟ୍‌ ପୁଲିସର ଏକ ଟିମ୍‌ ତାକୁ ଗଞ୍ଜାମରୁ ଧରିଥିବା ସୂଚନା ମିଳିଛି। ତେବେ ପୁଲିସ ଚଢ଼ଉ ପୂର୍ବରୁ କୌଶଳକ୍ରମେ କାହ୍ନା ଚମ୍ପଟ ମାରିବାରେ ସକ୍ଷମ ହୋଇଛି। ତେବେ ରଞ୍ଜୁକୁ ଗିରଫ କରାଯାଇଛି ବୋଲି କ୍ୟାପିଟାଲ ଥାନା ପକ୍ଷରୁ କୌଣସି ସୂଚନା ଦିଆଯା‌ଇନାହିଁ। କାହ୍ନାକୁ ଗିରଫ କରାଯାଇନଥିବାରୁ ପୁଲିସ ଏବାବଦରେ ମୁହଁ ଖୋଲୁନାହିଁ। ରଞ୍ଜୁଠାରୁ ତଥ୍ୟ ସଂଗ୍ରହ କରି ପୁଲିସ କାହ୍ନାକୁ କାବୁ କରିବ ବୋଲି ପ୍ରସ୍ତୁତି ଚଳାଇଛି।

ସୂଚନାଯୋଗ୍ୟ, ୯ ତାରିଖ ରାତିରେ ଚନ୍ଦୁକୁ ହତ୍ୟା କରାଯାଇଥିଲା। ଫାଉଡ଼ା ଓ ଲୁହାଛଡ଼ରେ ପିଟିପିଟି ନିଶାବେପାରୀ ରଞ୍ଜୁ ଓ ତା’ ପୁରୁଷବନ୍ଧୁ କାହ୍ନା ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି। ତେଣୁ ଅଭିଯୁକ୍ତ ରଞ୍ଜୁ, କାହ୍ନା ଓ ବାବୁଦାନ୍‌କୁ ଗିରଫ କରିବା ପାଇଁ ପୁଲିସ ଘନଘନ ଚଢ଼ଉ ଆରମ୍ଭ କରିଛି। ସ୍ପେସାଲ୍ ସ୍କ୍ବାଡ୍ ଓ ପିଓପିଡିକୁ ନେଇ ୨ଟି ଟିମ୍‌ ଲାଗିପଡ଼ିଛନ୍ତି। ଏହା ଭିତରେ ରଞ୍ଜୁ ଓ କାହ୍ନା ବାବଦରେ ପୁଲିସ ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି। ଚନ୍ଦୁକୁ ହତ୍ୟା କରିବାର ମାତ୍ର ୧୦ମିନିଟ୍ ଭିତରେ ଏକ କାର୍‌ ରଞ୍ଜୁ ଘର ନିକଟରେ ଲାଗିଥିଲା। ଉକ୍ତ କାର୍‌ରେ ବସି ରଞ୍ଜୁ ଓ କାହ୍ନା ସିଆର୍‌ପି ଛକ ଦେଇ ଏକାମ୍ର ଭିଲ୍ଲା ଆଡ଼କୁ ପଳାଇଥିଲେ। ସିସିଟିଭିରୁ ଉକ୍ତ କାର୍‌ ନମ୍ବର ପାଇ ପୁଲିସ ଚଢ଼ଉ କରିଥିଲା ଓ ଗଞ୍ଜାମରୁ ରଞ୍ଜୁକୁ ଠାବ କରାଯାଇଥିବା ଜଣାପଡ଼ିଛି।

 

ହତ୍ୟା ପଛରେ ନିଶାବେପାରୀ ଓ ଗ୍ୟାଙ୍ଗ୍‌ୱାର୍‌

ଚନ୍ଦୁକୁ ହତ୍ୟା କରିବା ପାଇଁ ଏକ ବଡ଼ଧରଣର ଷଡ଼୍‌ଯନ୍ତ୍ର ହୋଇଥିଲା ବୋଲି ଧୀରେଧୀରେ ସ୍ପଷ୍ଟ ହେଉଛି। ଘଟଣା ସମୟର ଚିତ୍ରରୁ ଏହା ସନ୍ଦେହ କରାଯାଉଛି। ପ୍ରଥମତଃ ଗଣ୍ଡଗୋଳ ବେଳେ ଅର୍ଥାତ୍ ଚନ୍ଦୁ ବଟି ପାଇଁ ରଞ୍ଜୁ ଘରେ ପଶିଥିବା ବେଳେ ହଠାତ୍ ଆକ୍ରମଣର ଶିକାର ହୋଇଥିଲା। ତେଣୁ ଚନ୍ଦୁ ସାଙ୍ଗରେ ଥିବା ପିଣ୍ଟୁ ପ୍ରାଣବିକଳରେ ସେଠାରୁ ପଳାଇଥିଲା। ଠିକ୍‌ ସେତିକିବେଳେ ଚନ୍ଦୁର ଅନ୍ୟତମ ସହଯୋଗୀ ମିଠଲକୁ ମାଡ଼ ମାରି ବାବୁଦାନ୍‌ ରକ୍ତାକ୍ତ କରି ଦେଇଥିଲା। ତେଣୁ ଘଟଣାସ୍ଥଳରେ ଥିବା ଚନ୍ଦୁର କିଛି ହାତଗଣତି ସହଯୋଗୀ ରଞ୍ଜୁର ଗୋଷ୍ଠୀର ଅତର୍କିତ ଆକ୍ରମଣରେ ଛାନିଆ ହୋଇପଡ଼ିଥିଲେ। ଚନ୍ଦୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯିବା ପରେ ତା’ ଗୋଷ୍ଠୀ ଘଟଣାସ୍ଥଳରୁ ପଳାଇବାକୁ ବାଧ୍ୟ ହୋଇଥିଲେ।

ଏହି ମଉକାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କାର୍‌ ଆସି ରଞ୍ଜୁ ଓ କାହ୍ନାକୁ ନେଇ ଛୁ’ ମାରିଥିଲା। ଏମିତିକି ପ୍ରମାଣ ନ ଛାଡ଼ିବା ପାଇଁ ସେମାନେ ଫାଉଡ଼ା ଓ ଲୁହା ରଡ୍‌କୁ ନେଇ ପଳାଇଥିଲେ। ତେଣୁ ଏସବୁ ଘଟଣାକ୍ରମରୁ ଅନୁମାନ କରାଯାଉଛି ଯେ ଚନ୍ଦୁକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। କାର୍‌ରେ ସେମାନଙ୍କୁ ନେଇ ପଳାଇଥିବା ବ୍ୟକ୍ତି ନିଶା ମାଫିଆ ବୋଲି କୁହାଯାଉଛି। ରଞ୍ଜୁର ନିଶା ବେପାର ବାଟରେ ଚନ୍ଦୁ ବାଧକ ହୋଇଥିବାରୁ ତାକୁ ସବୁଦିନ ପାଇଁ ହଟାଇବାକୁ ନିଶା ମାଫିଆମାନେ ସବୁକିଛି ସହଯୋଗ ଜୁଟାଇ ଦେଇଥିବା କୁହାଯାଉଛି। ବସ୍ତିରେ ଚନ୍ଦୁର ଦବ୍‌ଦବାକୁ ରୋକିବାକୁ ଯେଉଁମାନେ ଉଦ୍ୟମ କରୁଥିଲେ, ସେମାନଙ୍କୁ ନିଶା ମାଫିଆମାନେ ପୂର୍ଣ୍ଣ ସମର୍ଥନ ଦେଇଥିବା ଚର୍ଚ୍ଚା ହେଉଛି। ‌

ଦାମୀ ନିଶା ବିକୁଥିଲା

୨୦୨୨ ଏପ୍ରିଲ୍ ୨୧ରେ ଅବକାରୀ ବିଭାଗ ଇନ୍ସପେକ୍ଟର୍ ବିକାଶ କୁମାର ନାୟକଙ୍କ ଟିମ୍ ନାରାୟଣୀ ବସ୍ତିରେ ଚଢ଼ଉ କରି ରଞ୍ଜୁକୁ ଗିରଫ କରିଥିଲା। ତା’ ନିକଟରୁ ୬୩ ଗ୍ରାମ୍ ହେରୋଇନ୍ ଜବତ କରାଯାଇଥିଲା। ଏନ୍‌ଡିପିଏସ୍ ଆକ୍ଟ ବଳରେ ରଞ୍ଜୁକୁ ଜେଲ୍‌ ପଠାଯାଇଥିଲା। ମାତ୍ର କିଛି ମାସ ପରେ ଜେଲ୍‌ରୁ ବାହାରି ଆସିଥିଲା ରଞ୍ଜୁ। ହେରୋଇନ ଭଳି ଦାମୀ ନିଶା କାରବାର କରିବା‌ ଅଭିଯୋଗରେ ଗିରଫ ହୋଇଥିଲେ ବି ତାକୁ ଜାମିନ ମିଳିଯାଇଥିଲା। ନିଶା‌ ମାଫିଆମାନେ ବିପୁଳ ଟଙ୍କା ଖର୍ଚ୍ଚ କରି ତାକୁ ଜାମିନ୍‌ରେ ଆଣିଥିବା ଚର୍ଚ୍ଚା ହୋଇଥିଲା।

ଜେଲ୍‌ରୁ ଆସିବା ପରେ ସେ ପୁଣି ବସ୍ତି ଭିତରେ ଆରମ୍ଭ କରିଥିଲା ବ୍ରାଉନସୁଗାର୍ କାରବାର। ଏଥି‌ରେ ତାକୁ ତା’ର ପ୍ରେମିକ କୁହାଯାଉଥିବା କାହ୍ନା ସହଯୋଗ କରୁଥିଲା। ନିଶା କାରବାର ପାଇଁ ରଞ୍ଜୁ ଓ କାହ୍ନାର ଗୋଷ୍ଠୀ ବଳୀୟାନ୍‌ ହୋଇଉଠୁଥିବା ବେଳେ ଚନ୍ଦୁ ସହିପାରିନଥିଲା। ବସ୍ତିରେ ତା’ର ଦବ୍‌ଦବା କମିବା ଆଶଙ୍କାରେ ରଞ୍ଜୁ ଉପରେ ରାଗ ରଖି ଚନ୍ଦୁ ତା’ଠାରୁ ଜୋର୍‌ ଜବରଦସ୍ତ ବଟି ଆଦାୟ କରୁଥିଲା।

ସମ୍ବନ୍ଧିତ ଖବର