ଭୁବନେଶ୍ବର: ଗତକାଲି ରାତିରେ ୟୁନିଟ୍‌-୮ସ୍ଥିତ ନାରାୟଣୀ ବସ୍ତିରେ କୁଖ୍ୟାତ ଅପରାଧୀ ପି. ସୁବ୍ରତ ରାଓ ଓରଫ୍ ଚନ୍ଦୁକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ବସ୍ତିରେ ବ୍ରାଉନ୍‌ସୁଗାର ବେପାର କରୁଥିବା ଯୁବତୀ ରଞ୍ଜୁଠାରୁ ଜୋର୍‌ ଜବରଦସ୍ତ ବଟି ଆଦାୟ କରୁଥିବା ଚନ୍ଦୁ ଶେଷରେ ବଳିପଡ଼ିଯାଇଛି। ଯେଉଁମାନଙ୍କୁ ଡରାଇ ଧମକାଇ ବଟି ନେଉଥିଲା, ଶେଷରେ ସେଇମାନେ ତା’ ଜୀବନ ନେଇଗଲେ। ରଞ୍ଜୁ ଓ ତା’ ପୁରୁଷବନ୍ଧୁ କାହ୍ନା ତାକୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି।

Advertisment

ତେବେ ଚନ୍ଦୁକୁ ହତ୍ୟା କରିବା ପଛରେ ବସ୍ତିର ଚନ୍ଦୁ ବିପକ୍ଷ ଗ୍ୟାଙ୍ଗ୍‌ର ହାତ ଥିବା ପୁଲିସ ସନ୍ଦେହ କରୁଛି। ଚନ୍ଦୁକୁ ହତ୍ୟା କରିବା ଓ ପରେ ପରେ ବସ୍ତିର ଅନ୍ୟ ଜଣେ ଯୁବକ ମିଠଲକୁ ହୋଇଥିବା ଆକ୍ରମଣରୁ ଏହି କାଣ୍ଡ ପଛରେ ଗ୍ୟାଙ୍ଗ୍‌ୱାର୍‌ ଥିବା ମଧ୍ୟ ଅନୁମାନ କରାଯାଉଛି। ଚନ୍ଦୁର ବଡ଼ ଭାଇ ପି. ଶିବାନନ୍ଦ ରାଓ(୩୯)ଙ୍କ ଅଭିଯୋଗ କ୍ରମେ କ୍ୟାପିଟାଲ୍ ଥାନା ପୁଲିସ ରଞ୍ଜୁ ଓ କାହ୍ନା ନାଁରେ ହତ୍ୟା ମାମଲା ରୁଜୁ କରିଛି। କିନ୍ତୁ ସେମାନଙ୍କୁ ଗିରଫ କରିବା ସମ୍ଭବ ହୋଇନାହିଁ। ଆଜି ସାଇଣ୍ଟିଫିକ୍ ଟିମ୍ ନାରାୟଣୀ ବସ୍ତିରେ ହତ୍ୟାକାଣ୍ଡସ୍ଥଳରୁ ରକ୍ତ ନମୁନା, କିଛି ଭଙ୍ଗା ଚୁଡ଼ି (ରଞ୍ଜୁର ବୋଲି କୁହାଯାଉଛି) ସଂଗ୍ରହ କରିଛି। ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଫାଉଡ଼ା ଓ ଲୁହାରଡ୍‌ ଜବତ ହୋଇପାରିନାହିଁ।

ଚନ୍ଦୁ ନାଁରେ ୧୨ରୁ ଊର୍ଦ୍ଧ୍ବ ମାମଲା

କମିସନରେଟ୍ ପୁଲିସର ପେସାଦାର ଅପରାଧୀଙ୍କ ତାଲିକାରେ ଚନ୍ଦୁ ଥିଲା ଏକ ପ୍ରମୁଖ ନାଁ। ୨୦୧୦ ମସିହାରୁ ସେ ଅପରାଧ ଜଗତରେ ପାଦ ରଖିଥିବା ଜଣାପଡ଼ିଛି। ଛିନ୍‌ତାଇ, ଅପହରଣ, ନିଶା ଓ ବନ୍ଧୁକ କାରବାର ଓ ଡକାୟତି ଭଳି ଡଜନେରୁ ଅଧିକ ମାମଲାରେ ସେ ଅଭିଯୁକ୍ତ ଥିଲା। ୨୦୧୨ ମସିହାରେ ଚନ୍ଦୁ ଓ ତା’ର ସହଯୋଗୀ ସ୍ଥାନୀୟ ପ୍ରଶାନ୍ତ ଧଳଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣ ଓ ଟଙ୍କା ଆଦି ଲୁଟିନେଇଥିଲେ। ସେହି ବର୍ଷ ଲିଙ୍ଗରାଜ ଥାନା ଅଞ୍ଚଳରେ ସରକାରୀ କର୍ମଚାରୀ ମାରୁତ କୁମାର ପାଲୋଙ୍କୁ ସେ ଅପହରଣ କରିଥିଲା।

ଅପରାଧ ପରେ ଅପରାଧ ଘଟାଉଥିବାରୁ ପୁଲିସ ତା’କୁ ୧୧୦ ଦଫାରେ ବୁକ୍ କରିଥିଲା। ୨୦୧୪ ମସିହାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ହାବୁଡ଼ରୁ ଚମ୍ପଟ ମାରିଥିଲା। ତେବ‌େ ଏବେ ଗତ କିଛି ବର୍ଷ ହେବ ସେ ନିଜକୁ ବାହୁବଳୀ ବୋଲି ଦର୍ଶାଇ ବସ୍ତିରୁ ବଟି ଆଦାୟ କରୁଥିଲା। ଚନ୍ଦୁର ବଡ଼ଶଳା ରାଜୁଙ୍କ ସ୍ବୀକାରୋକ୍ତି ଅନୁସାରେ ୭ ତାରିଖ ଦିନ ବସ୍ତିରେ ଚନ୍ଦୁ ସହିତ ରଞ୍ଜୁର ଝଗଡ଼ା ହୋଇଥିଲା। ବ୍ରାଉନ୍‌ସୁଗାର ବେପାର କରୁଥିବାରୁ ଚନ୍ଦୁ ତା’କୁ ଟଙ୍କା ମାଗି ମାଡ଼ ମାରିଥିଲା। ଗତକାଲି ମଧ୍ୟ ଚନ୍ଦୁ ଓ ଷ୍ଟାର୍ ପିଣ୍ଟୁ ଘରେ ପଶି ରଞ୍ଜୁ ପାଖରୁ ଟଙ୍କା ଛଡ଼ାଇବାରୁ ଗଣ୍ଡଗୋଳ ହୋଇଥିଲା ଓ ସେମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଅତର୍କିତ ଆକ୍ରମଣ କରି ତାକୁ ହତ୍ୟା କରିଛନ୍ତି।

ଘଟଣା ବେଳର ଚିତ୍ର

ବସ୍ତିରୁ ମିଳିଥିବା ସୂଚନାନୁସାରେ ବ୍ରାଉନ୍‌ସୁଗାର କାରବାର କରୁଥିବା ରଞ୍ଜୁଠାରୁ ଜୋର୍‌ ଜବରଦସ୍ତ ଚନ୍ଦୁ ବଟି ଆକାରରେ ଟଙ୍କା ନେଉଥିଲା। ମନଇଛା ବଟି ମାଗୁଥିଲା। ଏମିତିକି ରଞ୍ଜୁର ପୁରୁଷବନ୍ଧୁ କାହ୍ନାକୁ ବି ଚନ୍ଦୁ ଧମକଚମକ ଦେଉଥିଲା। ତେଣୁ ବହୁ ପୂର୍ବରୁ ସେମାନଙ୍କ ଭିତରେ ବିବାଦ ଥିଲା। ଗତକାଲି ରାତିରେ ରଞ୍ଜୁ ଓ କାହ୍ନା ଏକାଠି ଘରେ ଥିଲେ। ପୂର୍ବରୁ ବହପି ଯାଇଥିବା ଚନ୍ଦୁ ଓ ତା’ ସହଯୋଗୀ ପିଣ୍ଟୁକୁ ନେଇ ଉକ୍ତ ଘର ଭିତରକୁ ପଶିଯାଇଥିଲା। ରଞ୍ଜୁକୁ ବଟି ମାଗିବା ସହ ତା’ଠାରୁ ଜୋର୍ ଜବରଦସ୍ତ ଟଙ୍କା ଛଡ଼ାଇଥିଲା।

ଏଥର କିନ୍ତୁ ରଞ୍ଜୁ ଓ କାହ୍ନା ତାକୁ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଥିଲେ। ଫଳରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଯାଏ କଥା ଯାଇଥିଲା। ଏତିକିବେଳେ ପିଣ୍ଟୁ ବାହାରକୁ ଚାଲି ଯାଇ ସେଠାରୁ ଚମ୍ପଟ ମାରିଥିଲା। ତା’ ପଛେ ପଛେ ଚନ୍ଦୁ ଘର ଭିତରୁ ବହାରିଆସୁଥିବା ବେଳେ ରଞ୍ଜୁ ପଛପଟୁ ଏକ ଫାଉଡ଼ାରେ ତା’ମୁଣ୍ଡକୁ ଶକ୍ତ ପାହାର ପକାଇଥିଲା। ଫାଉଡ଼ା ମାଡ଼ରେ ଚନ୍ଦୁ ତଳେ ପଡ଼ିଯାଇଥିଲା। ପିଣ୍ଟୁ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ତେବେ ଚନ୍ଦୁ ତଳୁ ଉଠିବାକୁ ଉଦ୍ୟମ କରୁଥିବା ବେଳେ କାହ୍ନା ଏକ ଲୁହାରଡ୍‌ରେ ତା’ମୁଣ୍ଡକୁ ପିଟିଚାଲିଥିଲା ଓ ଚନ୍ଦୁକୁ ତଳୁ ଉଠିବାକୁ ଦେଇନଥିଲା। ରଡ୍‌ ପାହାରରେ ଚନ୍ଦୁର ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପ୍ରଚୁର ରକ୍ତସ୍ରାବ ଯୋଗୁଁ ସେ ଘଟଣାସ୍ଥଳରେ ହିଁ ନିସ୍ତେଜ ହୋଇଯାଇଥିଲା। ସେତେବେଳେ କାହ୍ନା ଏମିତି ରକ୍ତମୁଖା ହୋ‌ଇପଡ଼ିଥିଲା ଯେ ଚନ୍ଦୁ ମରିଯିବା ନିଶ୍ଚିତ ହେବା ପରେ ବି ସେ ତା’ ଛାତିରେ ଚଢ଼ି ଡେଇଁଥିଲା।

ମିଠଲକୁ ମାଡ଼ ହେଲା କାହିଁକି?

ଖବର ଅନୁସାରେ ଚନ୍ଦୁକୁ ପ୍ରାଣାନ୍ତକ ଆକ୍ରମଣ ହେଉଥିବା ବେଳେ ବସ୍ତିର ଅନ୍ୟ ଜଣେ ଯୁବକ ଭବାନୀ ଶଙ୍କର ବାଡ଼ତିଆ ଓରଫ୍ ମିଠଲକୁ ମଧ୍ୟ ଆକ୍ରମଣ କରାଯାଇଥିଲା। ମିଠଲ୍‌ ମଧ୍ୟ ଚନ୍ଦୁ ଗୋଷ୍ଠୀର ସଦସ୍ୟ ବୋଲି ଜଣାଶୁଣା। ଚନ୍ଦୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିବା ବେଳେ ମିଠଲ ଏକ ଚିକେନ୍ କାଉଣ୍ଟର୍‌ ପାଖରୁ କ୍ୟାପିଟାଲ ଥାନାକୁ ଫୋନ୍‌ କରି ଖବର ଦେଇଥିଲା। ଏହା ଦେଖି ବାବୁଦାନ୍‌ ଶିଖ୍‌ ନାମକ ଜଣେ ଯୁବକ ମିଠଲ୍‌କୁ ମାଡ଼ ମାରି ରକ୍ତାକ୍ତ କରିପକାଇଥିଲା। ପୁଲିସକୁ କାହିଁକି ଖବର ଦେଉଛୁ ବୋଲି କହି ବାବୁଦାନ୍ ତା’କୁ ଆକ୍ରମଣ କରିଥିଲା।

ଫଳରେ ମିଠଲ୍‌ ଲହୁଲୁହାଣ ହୋଇପଡ଼ିଥିଲା। ତେଣୁ ଏଥିରୁ ଅନୁମାନ କରାଯାଉଛି ଚନ୍ଦୁକୁ ହତ୍ୟା କରିବା ପାଇଁ ପୂର୍ବରୁ ବସ୍ତିରେ ପ୍ରସ୍ତୁତି ହୋଇସାରିଥିଲା। ଏମିତିକି ଆବଶ୍ୟକ ପଡ଼ିଥିଲେ ଅର୍ଥାତ୍ ଚନ୍ଦୁ ଗୋଷ୍ଠୀ ଗଣ୍ଡଗୋଳକୁ ବାହାରି ପଡ଼ିଲେ, ସେମାନେ ମୁକାବିଲା କରିବେ ବୋଲି ନିଷ୍ପତ୍ତି ନେଇସାରିଥିଲେ। ଏଣେ ମିଠଲ୍‌କୁ ଭେଟିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ଅସାମାଜିକ ଯୁବକମାନେ ମିଠଲ୍‌କୁ ଚନ୍ଦୁ ହତ୍ୟାକାରୀଙ୍କ ବାବଦରେ ପଚାରିବୁଝିଥିଲେ। ବାବୁ ତାକୁ ଆକ୍ରମଣ କରିଛି ବୋଲି ମିଠଲ୍‌ ସାଙ୍ଗମାନଙ୍କୁ କହିଥିଲା। ହତ୍ୟାକାଣ୍ଡ ପରେ ବସ୍ତିରେ ପୁଲିସ ଛାଉଣି ହୋଇଯିବାରୁ ଆଉ ଗଣ୍ଡ‌ଗୋଳ ହୋଇପାରିନଥିଲା।