ଚନ୍ଦୁ ହତ୍ୟା ମାମଲା: ଜେଲ୍ ଗଲେ ନିଶାରାଣୀ ରଞ୍ଜୁ ଓ କାହ୍ନା

ଭୁବନେଶ୍ବର: ନାରାୟଣୀ ବସ୍ତିର କୁଖ୍ୟାତ ଅପରାଧୀ ପି. ସୁବ୍ରତ ରାଓ ଓରଫ୍‌ ଚନ୍ଦୁ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ରଞ୍ଜୁ ନାଏକ ଓ ତା’ ପୁରୁଷବନ୍ଧୁ କାହ୍ନା ନାଏକଙ୍କୁ ଆଜି କ୍ୟାପିଟାଲ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ୫ ଦିନର ଲୁଚକାଳି ଖେଳ ପରେ ମୁଖ୍ୟ ଅଭିଯୁକ୍ତ କାହ୍ନା ଗତକାଲି ବିଳମ୍ବିତ ରାତିରେ ଧରାପଡ଼ିଥିଲା। ଗଞ୍ଜାମ-କନ୍ଧମାଳ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ତାରାସିଂହରୁ ପୁଲିସ ସେମାନଙ୍କୁ ଗିରଫ କରିଛି ବୋଲି ଆଜି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ଏକ କାଠଫାଳିଆ ଜବତ କରାଯାଇଛି। କିନ୍ତୁ ହତ୍ୟାକାଣ୍ଡ‌ରେ ବ୍ୟବହୃତ ଫାଉଡ଼ା ଓ ଲୁହା ରଡ୍‌ ମିଳିପାରିନାହିଁ। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପୁଲିସ ରିମାଣ୍ଡରେ ଆଣିବ ବୋଲି ଡିସିପି ଶ୍ରୀ ସିଂ ସୂଚନା ଦେଇଛନ୍ତି। ଅପରପଟେ ହତ୍ୟାକାଣ୍ଡ ବେଳେ ଭବାନୀ ଶଙ୍କର ବାଡ଼ତିଆ ଓରଫ୍‌ ମିଠଲ୍‌କୁ ଆକ୍ରମଣ କରିଥିବା ବାବୁଦାନ୍ ଶିଖ୍ ଖୁବ୍‌ଶୀଘ୍ର ଧରାପଡ଼ିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

କେରଳ ଖସିବା ପୂର୍ବରୁ ଧରାପଡ଼ିଗଲେ

ଚନ୍ଦୁକୁ ହତ୍ୟା କରିବା ପରେ ପରେ ଏକ କାର୍‌ ଯୋଗେ ନାରାୟଣୀ ବସ୍ତିରୁ ରଞ୍ଜୁ ଓ କାହ୍ନା ଫେରାର୍ ହୋଇଯାଇଥିଲେ। ପୁଲିସ ସିସିଟିଭି ଫୁଟେଜ୍‌ରୁ କାର୍‌ ବାବଦରେ ତଥ୍ୟ ସଂଗ୍ରହ କରିଥିଲେ ବି ସେମାନଙ୍କୁ ତୁରନ୍ତ ଠାବ କରିବା ସମ୍ଭବ ହୋଇନଥିଲା। ସେମାନଙ୍କୁ ଧରିବା ପାଇଁ ଗଠିତ ହୋଇଥିବା ସ୍ବତନ୍ତ୍ର ଟିମ୍‌ ଲଗାତାର ସେମାନଙ୍କ ପିଛା କରିଥିଲା। ଗତ ଦୁଇ ଦିନ ପୂର୍ବେ ଗଞ୍ଜାମରୁ ଠାବ ହୋଇଥିଲା ରଞ୍ଜୁ। କିନ୍ତୁ ସେତେବେଳେ ରଞ୍ଜୁ ପାଖରେ କାହ୍ନା ନଥିଲା। ତେଣୁ ପୁଲିସ ରଞ୍ଜୁକୁ ଉଠାଇବା ପରିବର୍ତ୍ତେ ତା’ ଉପରେ ନଜର ରଖି ଛକି ରହିଲା। କାହ୍ନା ସହ ସେ କେତେବେଳେ କିଭଳି ‌ଯୋଗାଯୋଗ କରୁଛି, ସେଦିଗକୁ ପୁଲିସ ଟିମ୍‌ ବଡ଼ ସତର୍କତାର ସହ ଜଗିରହିଲା।

ଗତକାଲି ସକାଳୁ ରଞ୍ଜୁ ଏକ ବସ୍‌ ଯୋଗେ ତାରାସିଂ ଅଭିମୁ‌ଖେ ବାହାରିଥିଲା। ତେଣୁ ପୁଲିସ ଉକ୍ତ ବସ୍‌କୁ ପିଛା କରିଥିଲା। ରଞ୍ଜୁ ତାରାସିଂରେ ବସ୍‌ରୁ ଓହ୍ଲାଇଥିଲା ଓ କାହ୍ନା ଦେଇଥିବା ଠିକଣାକୁ ଚାଲିଚାଲି ଯାଇଥିଲା। ସନ୍ଧ୍ୟାରେ କାହ୍ନା ଓ ରଞ୍ଜୁ ବ୍ୟାଗ୍‌ପତ୍ର ଧରି ଉକ୍ତ ଘରୁ ବାହାରିବା ମାତ୍ରେ ପୂର୍ବରୁ ଛକି ରହିଥିବା ପୁଲିସ ଟିମ୍‌ ସେମାନଙ୍କୁ ଘେରି ଯାଇଥିଲା। ପଚରାଉଚରା ପରେ ଜଣାଗଲା ‌ଯେ ସେମାନେ କେରଳ ପଳାଇବାକୁ ଯୋଜନା କରି ସାରିଥିଲେ। ରାତିରେ ଟ୍ରେନ୍‌ ଯୋଗେ କେରଳ ପଳାଇଥାଆନ୍ତେ।

ରଞ୍ଜୁ ଭଉଣୀ ବେକରେ ଛୁରି ଲଗାଇଥିଲା ଚନ୍ଦୁ

ଧରାପଡ଼ିବା ପରେ ପୁଲିସକୁ ଚନ୍ଦୁ ହତ୍ୟା ପଛର କାହାଣୀ କହିଛି ରଞ୍ଜୁ। କାହ୍ନା ଓ ରଞ୍ଜୁର ବୟାନ୍‌କୁ ଆଧାର କରି ଡିସିପି ଶ୍ରୀ ସିଂ ସୂଚନା ଦେଇଛନ୍ତି ଯେ ଘଟଣାଦିନ ଅର୍ଥାତ ୯ ତାରିଖ ସକାଳେ ଚନ୍ଦୁ ଓ ତା’ର କିଛି ସହଯୋଗୀ ବଟି ଆଦାୟ କରିବାକୁ ରଞ୍ଜୁ ଘରକୁ ଯାଇଥିଲେ। ସେତେବେଳେ ରଞ୍ଜୁ ଓ କାହ୍ନା ନୟାଗଡ଼ ଯାଇଥିଲେ ଏବଂ ରଞ୍ଜୁର ସାନ ଭଉଣୀ ଝୁନୁ ନାଏକ ଏକାକୀ ଘରେ ଥିଲେ। ରଞ୍ଜୁକୁ ନପାଇ ଚନ୍ଦୁ ଝୁନୁକୁ ଟଙ୍କା ମାଗିଥିଲା। ସେ ମନା କରିବାରୁ ଚନ୍ଦୁ ତାକୁ ମାଡ଼ ମାରିବା ସହ ତା’ବେକରେ ଛୁରି ଲଗାଇ ହତ୍ୟା ଧମକ ଦେଇଥିଲା। ଅପରାହ୍ନରେ ରଞ୍ଜୁ ଓ କାହ୍ନା ଘରକୁ ଫେରିବା ପରେ ଝୁନୁ କାନ୍ଦିକାନ୍ଦି ଚନ୍ଦୁ ବିଷୟରେ କହିଥିଲା। ଏହା ଶୁଣିବା ପରେ ରଞ୍ଜୁର ରାଗ ପଞ୍ଚମକୁ ଉଠିଯାଇଥିଲା। ‘ଆଉ ନୁହେଁ’ ବୋଲି ସେ ନିଷ୍ପତ୍ତି ନେଇଥିଲା। ବଟି ପାଇଁ ଚନ୍ଦୁ ପୁଣି ନିଶ୍ଚୟ ସନ୍ଧ୍ୟାରେ ଆସିବ ବୋଲି ରଞ୍ଜୁ ଜାଣିଥିଲା। ତେଣୁ ସେ ଓ କାହ୍ନା ପୂରା ପ୍ରସ୍ତୁତ ହୋଇ ରହିଥିଲେ।

ଅନୁମାନ ଅନୁସାରେ ସତକୁ ସତ ସନ୍ଧ୍ୟାରେ ଚନ୍ଦୁ ଜଣେ ସହଯୋଗୀକୁ ଧରି ପୁଣି ଆସିଥିଲା। ସିଧାସଳଖ ରଞ୍ଜୁ ଘର ଭିତରକୁ ପଶି ବଟି ମାଗିଥିଲା। କିନ୍ତୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ରଞ୍ଜୁ କାଳବିଳମ୍ବ ନକରି ଏକ କାଠଫାଳିଆରେ ତା’ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲା। ଏମିତି ଅପ୍ରତ୍ୟାଶିତ ଆକ୍ରମଣ କଥା ଚିନ୍ତା କରିନଥିଲା ଚନ୍ଦୁ। ମାଡ଼ ଦେଖି ଚନ୍ଦୁ ସହଯୋଗୀ ପ୍ରାଣବିକଳରେ ସେଠାରୁ ଧାଇଁଥିଲା। ଚନ୍ଦୁ ମୁଣ୍ଡକୁ ହାତରେ ଚାପି ବିକଳରେ ଘରୁ ବାହାରି ଆସି ପଳାଇବାକୁ ବସିଥିଲା। କିନ୍ତୁ ରଞ୍ଜୁ ଓ କାହ୍ନା ତାକୁ ଦୌଡ଼ିବାକୁ ଦେଇନଥିଲେ। ପଛରୁ ତାକୁ ପିଟିପିଟି ତଳେ ପକାଇଦେଇଥିଲେ। ଘଟଣାସ୍ଥଳରେ ହିଁ ଚନ୍ଦୁର ମୃତ୍ୟୁ ହୋଇଯାଇଥିଲା। ଘଟଣା ପରେ ରଞ୍ଜୁ ଓ କାହ୍ନା କେମିତି ଗଞ୍ଜାମ ପର୍ଯ୍ୟନ୍ତ ଗଲେ ଏବଂ ଫେରାର୍ ହେବାରେ ସେମାନଙ୍କୁ କିଏ ସହଯୋଗ କରିଥିଲେ, ଏନେଇ ପୁଲିସ ତଦନ୍ତ ସରିନାହିଁ ବୋଲି ଡିସିପି କହିଛନ୍ତି। ଚନ୍ଦୁ ହତ୍ୟା ପଛରେ ଆଉ କିଛି ଷଡ଼୍‌ଯନ୍ତ୍ର ରହିଛି କି ନାହିଁ, ସେନେଇ ତଦନ୍ତ ହେବ ଏବଂ ଉଭୟଙ୍କୁ ରିମାଣ୍ଡ୍‌ରେ ଅଣାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର