ଭୁବନେଶ୍ବର: ଦୀର୍ଘ ଦିନ ବ୍ୟବଧାନରେ କମିସନରେଟ୍ ପୁଲିସରେ ବଡ଼ଧରଣର ଅଦଳବଦଳ ହୋଇଛି। ଏସିପି ପାହ୍ୟାରୁ ଆରମ୍ଭ କରି ସବ୍‌ଇନ୍ସପେକ୍ଟର ପର୍ଯ୍ୟନ୍ତ ପ୍ରାୟ ୩୧ଜଣ କର୍ମଚାରୀଙ୍କୁ ପରିବର୍ତ୍ତନ କରାଯାଇଛି। ବଦଳିରେ ୫ଜଣ ମହିଳା କର୍ମଚାରୀ ରହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କମିସନରେଟ୍ ପୁଲିସର ପ୍ରାୟ ୮ ଏସିପି ଓ ସବ୍‌ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ଥାନା ଦାୟିତ୍ବ ସମ୍ଭାଳୁଥିବାରୁ ଇନ୍ସପେକ୍ଟର୍‌ ଅଭାବ ଥିବା ବାରମ୍ବାର ଅଭିଯୋଗ ହେଉଥିଲା। ତେଣୁ ବିଭିନ୍ନ ଜିଲ୍ଲାରୁ ଆସି କମିସନରେଟ୍ ପୁଲିସର ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ପ୍ରାୟ ୮ଜଣ ଇନ୍ସପେକ୍ଟର୍‌ଙ୍କୁ ଉଭୟ କଟକ ଓ ଭୁବନେଶ୍ବର ଦ୍ବୈତନଗରୀରେ ଅବସ୍ଥାପିତ କରାଯାଇଛି। ଯେଉଁଥିରେ ନୂଆକରି ଫାଣ୍ଡିରୁ ଥାନାକୁ ରୂପାନ୍ତରିତ ହୋଇଥିବା ପାହାଳ ଓ ଇନ୍‌ଫୋଭ୍ୟାଲି ଥାନାରେ ମଧ୍ୟ ଇନ୍ସପେକ୍ଟର ନିଯୁକ୍ତି କରାଯାଇଛି।

Advertisment

ଅପରପଟେ ସହିଦନଗର ଥାନା ଦାୟିତ୍ବରେ ଏବେ ବି ଡିଏସ୍‌ପି ହିମାଂଶୁ ଭୂଷଣ ସ୍ବାଇଁ ରହିଛନ୍ତି। ସେ ୨୦୨୧ ଡିସେମ୍ବରରୁ ଡିଏସ୍‌ପି ପାହ୍ୟାକୁ ଯାଇସାରିଥିବା ବେଳେ ତାଙ୍କୁ ଏବେ ବି ଥାନା ଦାୟିତ୍ବରୁ ଅପସାରଣ କରାଯାଇନାହିଁ। ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶ୍ରୀ ସ୍ବାଇଁ ସ୍ପେସାଲ୍ ସ୍କ୍ବାଡ୍ ଦାୟିତ୍ବ ନିର୍ବାହ କରୁଛନ୍ତି। ଜୋନ୍-୫ ଏସିପି ସଂଜୀବ କୁମାର ଶତପଥୀଙ୍କୁ ଯୁଗ୍ମ ଅର୍ଥାତ୍ ଜୋନ୍ ଏସିପି ଓ ସ୍ପେସାଲ୍ ସ୍କ୍ବାଡ୍ ଦାୟିତ୍ବ ଦିଆଯାଇଥିଲେ ବି ସେ ମିଳିତ ଭାବେ ତାଙ୍କ ସହ କାମ କରୁଛନ୍ତି। ଯେଉଁଥିପାଇଁ ସହିଦନଗରକୁ ପୂର୍ବରୁ ବିଜୟ କୁମାର ବାରିକଙ୍କୁ ଅତିରିକ୍ତ ଇନ୍ସପେକ୍ଟର ଭାବେ ଥାନା ଦାୟିତ୍ବ ମିଳିଥିଲା। ଏବେ ବିଜୟ ଇନ୍‌ଫୋଭ୍ୟାଲି ଥାନାକୁ ଯିବା ପରେ କମିସନରେଟ୍‌ର ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ଲକ୍ଷ୍ମୀଧର ସେଠ୍‌ଙ୍କୁ ସହିଦଗନର ଥାନାରେ ଅତିରିକ୍ତ ଅଧିକାରୀ ଭାବେ ବଦଳି କରାଯାଇଛି।

ସେହିଭଳି କଟକ ଜୋନ୍-୧ରେ ଥିବା ଏସିପି ଶୁଭନାରାୟଣ ମୁଦୁଲିଙ୍କୁ ଭୁବନେଶ୍ବର ଜୋନ୍-୪ ଦାୟିତ୍ବ ମିଳିଥିବା ବେଳେ ଖାରବେଳନଗର ଥାନା ଦାୟିତ୍ବରେ ଥିବା ଏସିପି ଅରୁଣ କୁମାର ସ୍ବାଇଁଙ୍କୁ କଟକ ଜୋନ୍-୧ ଦାୟିତ୍ବ ମିଳିଛି। ଅପରପଟେ କଟକ ମାଲଗୋଦାମ ଥାନାର ଇନ୍ସପେକ୍ଟରଙ୍କୁ ବଡ଼ଗଡ଼ ଥାନା ଦାୟିତ୍ବ ମିଳିଛି। ସେହିଭଳି କଟକ ସିଡିଏର ଇନ୍ସପେକ୍ଟର ସନ୍ଧ୍ୟାରାଣୀ ସିଂହଙ୍କୁ ଭୁବନେଶ୍ବର ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଏହିକ୍ରମରେ ମୋଟ ୪ କର୍ମଚାରୀଙ୍କୁ ୨ ସହର ମଧ୍ୟରେ ଅଦଳବଦଳ କରାଯାଇଛି।

publive-image

୮ମାସରେ ୩ କ୍ରାଇମ୍ ଡିସିପି, ନିଯୁକ୍ତ ହେ‌େଲ ୨ ଏସିପି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ନୂଆ କରି କମିସନରେଟ୍ ପୁଲିସରେ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା ଖୋଲିଥିଲା। ଏହି ଶାଖା ଖୋଲିବାର ପ୍ରାୟ ୮ମାସ ମଧ୍ୟରେ ୨ଜଣ ଡିସିପି ବଦଳି ଏବେ ୩ନମ୍ବରରେ ପହଞ୍ଚିଛି। ଅର୍ଥାତ୍ ଗତମାସରେ କମିସନରେଟ୍ ପୁଲିସର କ୍ରାଇମ୍ ଡିସିପି ଭାବେ ନିଯୁକ୍ତ ପାଇଥିବା ପ୍ରମୋଦ କୁମାର ରଥଙ୍କୁ ବଦଳି କରାଯାଇ ଦେବଗଡ଼ ଜିଲ୍ଲାର ଏସ୍‌ପି ଭାବେ ଦାୟିତ୍ବ ଦିଆଯାଇଛି। କେନ୍ଦୁଝର ବଡ଼ବିଲର ଅତିରିକ୍ତ ଏସ୍‌ପି ତଥା କେନ୍ଦୁଝର କ୍ରାଇମ୍ ଡିସିପି ଭାବେ ଦାୟିତ୍ବ ତୁଲାଉଥିବା ସୁଦାମ ଚରଣ ସାହୁ ଶ୍ରୀ ରଥଙ୍କ ସ୍ଥାନକୁ ବଦଳି କରାଯାଇଛି।

ଅର୍ଥାତ୍ ୮ମାସରେ କମିସନରେଟ୍‌ ପୁଲିସର ଏହି ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା ୩ଜଣ ଡିସିପିଙ୍କୁ ଦେଖିସାରିଲାଣି। ମାତ୍ର ଏ ପର୍ଯ୍ୟନ୍ତ ଶାଖା ଗଠନ ହୋଇପାରିଲାନାହିଁ। ଅପରପଟେ ସୁଦାମଙ୍କୁ ଡିସିପି କ୍ରାଇମ୍‌ର ଦାୟିତ୍ବ ମିଳିବା ପରେ ଆଜି ୨ ଜଣ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଓ ବିଶ୍ବରଞ୍ଜନ ସେନାପତିଙ୍କୁ ବଦଳି କରାଯାଇଛି। ତେଣୁ ସୁଦାମଙ୍କ ଅଧୀନରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା କାର୍ଯ୍ୟକାରୀ କରିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।