ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ଏହାକୁ ନଜରରେ ରଖି ଟର୍ମିନାଲ ପରିସରରେ ଅଧିକ ସୁବିଧା ସୁଯୋଗ ଯୋଗାଇବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଟର୍ମିନାଲ ପରିସରରେ ବିଭିନ୍ନ ସାମଗ୍ରୀ ବିକ୍ରି ପାଇଁ ଷ୍ଟଲ୍ ପଡ଼ିବ, ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ବି ବିକ୍ରି ହେବ। ୮ଟି ଭେଣ୍ଡିଂ ମେସିନ୍ ଲାଗିବ। ଏଥିରେ ଚା’, କଫି ଓ ସୁପ୍ ଆଦି ମିଳିବ। ଏବେ ଟର୍ମିନାଲରେ ଯେତିକି ଅଞ୍ଚଳ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି ତା’ର ସାଢ଼େ ତିନି ଗୁଣା ଅଧିକ ଅଞ୍ଚଳ ବ୍ୟବହାର ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି।
ଟର୍ମିନାଲ ପରିସରରେ ଏକାଧିକ ବ୍ୟକ୍ତିଙ୍କୁ ବିଭିନ୍ନ କାଉଣ୍ଟର୍ ଆବଣ୍ଟନ ହୋଇଥିବାରୁ ଏହାର ସୌନ୍ଦର୍ଯ୍ୟକରଣ ଓ ଗୁଣାତ୍ମକ ମାନ ଯାଞ୍ଚ କରାଯାଇପାରୁନି। ତେଣୁ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଯେପରି ଅନ୍ତର୍ଜାତୀୟ ମାନର ସୁବିଧା ସୁଯୋଗ ମିଳିବ ସେଥିପାଇଁ ଦେଶର ୧୩ଟି ସଂସ୍ଥାକୁ ବଛାଯାଇଛି। ଟର୍ମିନାଲ ପରିସରରେ ଗୁଣାତ୍ମକ ସେବା ଯୋଗାଇବା ପାଇଁ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଏହି ୧୩ଟି ସଂସ୍ଥା ଭାଗ ନେବେ। ଏଥିରୁ ଗୋଟିଏ ସଂସ୍ଥାକୁ ଦାୟିତ୍ୱ ଦେବୁ। ଟର୍ମିନାଲର ପ୍ରବେଶ ପଥଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା, ଚେକ୍ ଇନ୍ କାଉଣ୍ଟର୍, ଯାତ୍ରୀ ବସୁଥିବା ସ୍ଥାନ ଆଦି ନିକଟରେ ଏହି ଷ୍ଟଲ୍ ପଡ଼ିବ। ଏବେ ୨୨୦ବର୍ଗମିଟର ଅଞ୍ଚଳ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବାବେଳେ ଏହାକୁ ୭୨୦ବର୍ଗମିଟରକୁ ବଢ଼ାଯିବ। ଯେଉଁ ସଂସ୍ଥାକୁ ବଛାଯିବ ତା’ସହିତ ୭ବର୍ଷ ପାଇଁ ଚୁକ୍ତି ହେବ। ଏଥିପାଇଁ ୨୩ଲକ୍ଷ ୩୧ହଜାର ୧୭୪ଟଙ୍କା ଭଡ଼ା ଆଦାୟ ହେବ। ସେହିପରି ଏହି ଷ୍ଟଲ୍ଗୁଡ଼ିକର ସୌନ୍ଦର୍ଯ୍ୟକରଣ ଓ ଗୁଣାତ୍ମକ ସେବା ପାଇଁ ପ୍ରତି ବର୍ଗମିଟର ପିଛା ୨୦ହଜାର ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଛି। ଚୁକ୍ତିରେ ଯେପରି କିଛି ଉଣା ନ ହୁଏ ସେଥିପାଇଁ ନିୟମିତ ବ୍ୟବଧାନରେ ଯାଞ୍ଚ ହେବ ବୋଲି ଶ୍ରୀ ହୋତା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/airport-2.jpg)