ଦୁଇ ମାସ ପରେ ବଦଳୁଛି ରାଜଧାନୀର ଚିତ୍ର: କମିଥିଲା, ପୁଣି ବଢ଼ୁଛି ପ୍ରଦୂଷଣ

ଭୁବନେଶ୍ବର: ମାର୍ଚ୍ଚ ୨୨। ପ୍ରଥମଥର ପାଇଁ ସାରା ଦେଶରେ ଗୋଟିଏ ଦିନ ପାଇଁ ଲକ୍‌ଡାଉନ୍‌ ହୋଇଥିଲା। ଗାଡ଼ିମଟର ଗଡ଼ି ନ ଥିଲା। ଶିଳ୍ପ ସଂସ୍ଥା ବି ଚାଲି ନ ଥିଲା। ପରିଣାମସ୍ବରୂପ ପରିବେଶ ପାଇଁ ବରଦାନ ସାବ୍ୟସ୍ତ ‌ହୋଇଥିଲା ଏହି ଦିନ। ଦେଶର ସବୁ ସହରର ପ୍ରଦୂଷଣର ମାତ୍ରା ଅହେତୁକ ଭାବେ ହ୍ରାସ ପାଇଥିଲା। ଆଉ ଏଥିରୁ ବାଦ୍‌ ପଡ଼ି ନଥିଲା ରାଜଧାନୀ ଭୁବନେଶ୍ବର। ଏଠାରେ ବି ପ୍ରଦୂଷଣର ମାତ୍ରା ବହୁ ପରିମାଣରେ କମିଥିଲା। ମାର୍ଚ୍ଚ ୨୧ରେ ଭୁବନେଶ୍ବରରେ ବାୟୁମଣ୍ଡଳୀୟ ପ୍ରଦୂଷଣ ମାତ୍ରା ୧୦୨ ପିଏମ-୧୦ ରେକର୍ଡ ହୋଇଥିବା ବେଳେ ମାର୍ଚ୍ଚ ୨୨ ତାରିଖରେ ପ୍ରଦୂଷଣ ମାତ୍ରା ପ୍ରାୟ ୫୦ ପ୍ରତିଶତ ଖସି ଆସିଥିଲା। ଏହାପରଠାରୁ ଲକ୍‌ ଡାଉନ୍‌ ଜାରି ରହିଥିବାରୁ ସହରରେ ପ୍ରଦୂଷଣ ବହୁ ପରିମାଣରେ କମିଥିଲା। ଆକାଶ ନିର୍ମଳ ଥିଲା। ଧୂଳି ଧୂଆଁ ଦେଖିବାକୁ ମିଳି ନ ଥିଲା। ତେବେ ଗତ ସପ୍ତାହେ ହେଲା ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହରର ପ୍ରଦୂଷଣର ମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଯଦି ଏଭଳି ବଢ଼ିଚାଲେ ତେବେ ତେବେ ଜୁନ୍‌ରେ ରାଜଧାନୀର ପ୍ରଦୂଷଣ ମାତ୍ରା ପୁଣିଥରେ ପୂର୍ବ ସ୍ଥିତିକୁ ଫେରିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧ରୁ ୨୧ ତାରିଖ ମଧ୍ୟରେ ଭୁବନେଶ୍ବରରେ ବାୟୁମଣ୍ଡଳୀୟ ପ୍ରଦୂଷଣର ମାତ୍ରା ୯୯(ପିଏମ୍‌-୧୦) ରହିଥିଲା। ଯାହାକି ଆଶାନୁରୂପ ଥିଲା। ତେବେ ମାର୍ଚ୍ଚ ୨୨ରୁ ୩୧ ତାରିଖ ମଧ୍ୟରେ ତାହା ୪୧(ପିଏମ୍‌-୧୦)କୁ ହ୍ରାସ ପାଇଥିଲା, ଯାହାକି ଲୋକଙ୍କ ଶରୀର ପାଇଁ ଭଲ। ଏହାର ପରବର୍ତୀ ମାସ ତଥା ଏପ୍ରିଲ ୧ରୁ ୩୦ ମଧ୍ୟରେ ବାୟୁମଣ୍ଡଳୀୟ ପ୍ରଦୂଷଣ ମାତ୍ରା ୪୫(ପିଏମ୍‌-୧୦)କୁ ବୃଦ୍ଧି ପାଇଥିଲେ ମଧ୍ୟ ଭଲ ସ୍ଥିତିରେ ରହିଥିଲା ରାଜଧାନୀ। ଗତ ୨୦ ଦିନ ହେଲା ରାଜଧାନୀ ଧୀରେ ଧୀରେ ସ୍ବାଭାବିକ ସ୍ଥିତିକୁ ଫେରୁଛି। ଗାଡ଼ିମଟର ଚଳାଚଳ ବି ବୃଦ୍ଧି ଘଟିଛି। ତେଣୁ ବାୟୁ ପ୍ରଦୂଷଣ କିଛି ମାତ୍ରାରେ ବଢ଼ିଛି। ତଥାପି ନିୟନ୍ତ୍ରଣ ଭିତରେ ରହିଛି। ମେ’ ମାସର ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ଆସି ନ ଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲକ୍‌ ଡାଉନ୍‌-୪.୦ ଆରମ୍ଭ ହେବାଠାରୁ ରାଜଧାନୀର ପ୍ରଦୂଷଣ ମାତ୍ରା ୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ବିଶେଷକରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିବା, ଲୋକଙ୍କ ଚଳପ୍ରଚଳ ବଢ଼ିବା, ବନ୍ଦ ରହିଥିବା ଶିଳ୍ପ ସଂସ୍ଥାଗୁଡ଼ିକ ପୁଣିଥରେ ଚାଲୁ ହେବା ଯୋଗୁଁ ପ୍ରଦୂଷଣ ମାତ୍ରା କିଛି ମାତ୍ରାରେ ବଢ଼ିଛି। ସହରର ମଞ୍ଚେଶ୍ବର ଓ ଚନ୍ଦକା ଶିଳ୍ପାଞ୍ଚଳରେ ପ୍ରଦୂଷଣର ମାତ୍ରା ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ରହୁଛି। ଗତ ୧୦ ଦିନର ପ୍ରଦୂଷଣର ମାତ୍ରାକୁ ଦେଖିଲେ ଜଣାପଡ଼ୁଛି ଯେ ମେ’ ୨୧ ତଥା ଗତକାଲି ବାୟୁମଣ୍ଡଳର ପ୍ରଦୂଷଣର ମାତ୍ରା ଅଧିକ ରହିଥିଲା।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳଙ୍କ କହିବାନୁଯାୟୀ, ମାର୍ଚ୍ଚ ୨୨ରୁ ଏପ୍ରିଲ ୩୧ ପର୍ଯ୍ୟନ୍ତ ରାଜ୍ୟର ସବୁ ସହରର ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ମାର୍ଚ୍ଚ ୧ରୁ ୨୧ ମଧ୍ୟରେ ତାଳଚେର, ସମ୍ବଲପୁର, ଝାରସୁଗୁଡ଼ା, କଳିଙ୍ଗନଗର, ପାରାଦୀପ ଓ ରାଉରକେଲା ସହରର ପ୍ରଦୂଷଣର ମାତ୍ରା ୧୦୦(ପିଏମ୍‌-୧୦) ଉପରେ ରହିଥିଲା। ତେବେ ଏପ୍ରିଲ ୩୧ ସୁଦ୍ଧା ସବୁ ସହରର ପ୍ରଦୂଷଣର ସ୍ତର ହ୍ରାସ ପାଇଛି। ଭୁବନେଶ୍ବରରେ ଏପ୍ରିଲ ମାସ ଅପେକ୍ଷା ଏବେ ସାମାନ୍ୟ ବଢ଼ିଥାଇପାରେ। ମେ’ ମାସର ରିପୋର୍ଟ ଅଗଷ୍ଟ ମାସରେ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ତେବେ ପ୍ରଦୂଷଣ ମାତ୍ରା ହ୍ରାସକୁ ପରିବେଶ ଉପରେ କାର୍ଯ୍ୟ କରୁଥିବା ସତ୍ୟବ୍ରତ ମିଶ୍ରଙ୍କ କହିବାନୁଯାୟୀ କେବଳ ଯେ ଗାଡ଼ିମଟର କିମ୍ବା ଶିଳ୍ପ ସଂସ୍ଥା ନ ଚାଲିବା ଦ୍ବାରା ପରିବେଶର ପ୍ରଦୂଷଣ କମିଛି ତାହା କହିବା ଠିକ୍‌ ନୁହେଁ। ଏହି ସମୟରେ ରାଜଧାନୀର ସବୁଜିମା ପୁଣିଥରେ ହସି ଉଠିଛି। ସହରର ସବୁଜିମା ଅଲଗା ପ୍ରକାର ଦେଖିବାକୁ ମିଳୁଛି। ନିୟମିତ ବ୍ୟବଧାନରେ ବି ବର୍ଷା ହେଉଛି। ସେହିପରି ସହରର ସବୁ ଜଳାଶୟରେ ପାଣି ରହିଛି। ଗାଡ଼ିମଟର ଚାଲୁ ନ ଥିବାରୁ ଧୂଳିକଣା ଉଡ଼ୁ ନ ଥିବା ବେଳେ ନିୟମିତ ଭାବେ ବର୍ଷା ହେବା ପରିବେଶ ପାଇଁ ବରଦାନ ସାବ୍ୟସ୍ତ ହୋଇଛି।

୨୮ ପରେ ବଢ଼ିପାରେ ତାତି
ଏବେ ପଶ୍ଚିମ ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ ତତଲା ପବନ ବହୁଛି। ତେଣୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ଅଛି। ଆଗକୁ ଏହି ପବନ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶା ଆଡ଼କୁ ମୁହାଁଇବ। ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରୁ ବାଲେଶ୍ବର ପର୍ଯ୍ୟନ୍ତ ଅଞ୍ଚଳରେ ତାପମାତ୍ରା ୩୭ ଡିଗ୍ରି ତଳେ ରହିବ ଏବଂ ୨୮ତାରିଖଠାରୁ ତାପମାତ୍ରା ବଢ଼ିବ। ଏହି ସମୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ପଶ୍ଚିମା ପବନ ବହିବ। ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ତାପମାତ୍ରା କମ୍‌ ରହିଲେ ମଧ୍ୟ ବାୟୁର ଆଦ୍ରତା ଅଧିକ ହେତୁ ଭୁବନେଶ୍ବର ସମେତ ପ୍ରମୁଖ ସହରରେ ଗୁଳୁଗୁଳି ସହ ପ୍ରବଳ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର