ବଦଳିବେ ରାଜଧାନୀ କନେଷ୍ଟବଲ୍‌

ଭୁବନେଶ୍ବର: ଆଜିକାଲି ବହୁ ଗ୍ରାଜୁଏଟ୍‌ କନେଷ୍ଟବଲ ପଦ ପାଇଁ ଆବେଦନ କରୁଛନ୍ତି। ବର୍ତ୍ତମାନ ମଧ୍ୟ ଓଡ଼ିଶା ପୁଲିସରେ ବହୁ କନେଷ୍ଟବଲ୍‌ ଗ୍ରାଜୁଏଟ୍‌। ସେଭଳି କନେଷ୍ଟବଲଙ୍କୁ ଗୁରୁତ୍ବ ଦେଇ ସେମାନଙ୍କୁ ଅଧିକ ଦାୟିତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଉପରସ୍ତରରେ ଏନେଇ ଆଲୋଚନା କରାଯାଇ ବିଭିନ୍ନ ଜିଲ୍ଲାରେ ଥିବା ଏଭଳି କନେଷ୍ଟବଲଙ୍କୁ ରାଜଧାନୀ ଆଣିବାକୁ ଯୋଜନା କରାଯାଉଛି। ଏଠାରେ ସେମାନଙ୍କ ସ୍ବତନ୍ତ୍ର ତାଲିମ୍‌ ଦିଆଯିବ ବୋଲି ପୁଲିସ କମିସନ୍‌ର୍‌ ସୁଧାଂଶୁ ଷଡ଼ଙ୍ଗୀ ଆଜି କହିଛନ୍ତି। ସବୁ ଠିକ୍‌ଠାକ୍‌ ରହିଲେ, ମାସେ ମଧ୍ୟରେ ଏହି ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିସିଆର୍‌ ଭ୍ୟାନ୍‌ଗୁଡ଼ିକରେ ଅବସରପ୍ରାପ୍ତ ଆର୍ମି ଅଫିସର୍‌ ବଦଳରେ ଜଣେ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ। ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ତାଲିମ ଦି‌ଆଯିବ।

ଅପରପକ୍ଷେ ନୂଆ ମୋଟର ଯାନ ଆଇନ‌କୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାରୁ ଶ୍ରୀ ଷଡ଼ଙ୍ଗୀ ଏ ବାବଦରେ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‌ଲୋକଙ୍କୁ ହଇରାଣ ହରକତ କରିବା ପୁଲିସର ଉଦ୍ଦେଶ୍ୟ ନୁହେଁ। ମଦ୍ୟପ ଚାଳକ, ସିଟ୍‌ବେଲ୍ଟ, ହେଲ୍‌ମେଟ୍‌ ନପିନ୍ଧିବା, ମୋବାଇଲ୍‌ ବ୍ୟବହାର ଏବଂ ଦୁଃସାହାସିକ ଗାଡ଼ି ଚଳାନା କରୁଥିବା ଅମାନିଆ ଚାଳକଙ୍କୁ ସାବାଡ୍‌ କରିବା ପାଇଁ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତେଣୁ ଏଥିରେ ସମସ୍ତେ ସହଯୋଗ କରିବା ଦରକାର। ଆଇନକୁ କଡ଼ାକଡ଼ି କରିବା ଦ୍ବାରା ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆସିବ। ଲୋକେ ଅଧିକ ସଚେତନ ଓ ଯତ୍ନବାନ ହେବେ। ତେବେ ଏଣୁ ଏଣିକି ରାଜଧାନୀରେ ୫ଟି ନିୟମ ଉଲ୍ଲଙ୍ଘନ ପାଇଁ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସେଗୁଡ଼ିକ ହେଲା, ବାଇକ୍‌ରେ ତିନି ଜଣ ବସିବା, ମଦ ପିଇ ଗାଡ଼ି ଚଳାଇବା, ହେଲ୍‌ମେଟ୍‌ ଓ ସିଟ୍‌ବେଲ୍ଟ ନ ପିନ୍ଧିବା, ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ଓ ରଙ୍ଗରୁଟ୍‌ରେ ଯିବା ଇତ୍ୟାଦି। ତେବେ ପୁଲିସ ପକ୍ଷରୁ ଆଦାୟ ହେଉଥିବା ଜରିମାନା ରାଶିକୁ ୧ହଜାର ଟଙ୍କାରୁ କମାଇ ୫ ଶହ ଟଙ୍କା କରାଯାଇଛି। ପୁଲିସ ମୋଟା ଅଙ୍କର ଜରିମାନା ଆଦାୟ କରୁନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର