ବଦଳି ଗଲେ ଡିସିପି; ଉନ୍ମୋଚନ ହୋଇ ପାରିଲାନି ରହସ୍ୟ

କବିରାଜ ମୃତ୍ୟୁରୁ ଉନ୍ମୟ ହତ୍ୟାକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ବିଦାୟୀ ଡିସିପି ସତ୍ୟବ୍ରତ ଭୋଇଙ୍କର ଡିଆଇଜି ର‍୍ୟାଙ୍କକୁ ପଦୋନ୍ନତି ପରେ ଆଜି ନୂଆ ଡିସିପି ଅନୁପ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିସିପି ଭାବେ ଶ୍ରୀ ଭୋଇ ତାଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅନେକ ହତ୍ୟାକାଣ୍ଡ, ଡକାୟତି ଓ ଲୁଟପାଟ୍‌ ଘଟଣାର ପର୍ଦାଫାସ କରିଛନ୍ତି। କିନ୍ତୁ ତାଙ୍କ ସମୟରେ ଏମିତି କିଛି ହତ୍ୟାକାଣ୍ଡ ଘଟିଥିଲା ଯାହା ଏବେ ବି ରହସ୍ୟମୟ ହୋଇ ରହି ଯାଇଛି। ନା ପୁଲିସ ହତ୍ୟାକାଣ୍ଡର ପର୍ଦାଫାସ କରି ପାରିଛି ନା ହତ୍ୟାକାରୀ କିଏ ଜାଣି ପାରିଛି।

କବିରାଜ ହତ୍ୟାକାଣ୍ଡ
୨୦୧୪ ମସିହା ସେପ୍ଟେମ୍ବର ମାସରେ ଡିସିପ ଭାବେ ସତ୍ୟବ୍ରତ ଭୋଇ ଯୋଗ ଦେଇଥିଲେ। ତାଙ୍କର ଯୋଗ ଦେବାର ମାତ୍ର ୪ ଦିନ ପରେ ଲକ୍ଷ୍ମୀସାଗର ଥାନା ଅଧୀନ ସତ୍ୟନଗର ଓଭରବ୍ରିଜ ତଳେ ଜଣେ ଯୁବକଙ୍କୁ ପିସ୍‌ ପିସ୍‌ କରି ହାଣି ଅଖା ବ୍ୟାଗ୍‌ରେ ଭର୍ତି କରି ଫିଙ୍ଗି ଦେଇଥିଲେ। ଏ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପୁଲିସ ଏହି ଘଟଣାରେ କଦଳୀଗୋଦାମଠାରୁ ଆରମ୍ଭ ବ୍ରହ୍ମପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏପରିକି ପୁଲିସ କବି ରାଜଙ୍କ ଦାଦା, ଖୁଡ଼ୀଙ୍କୁ ଥାନାରେ ଅଟକ ରଖି ଲାଏ ଡିଟେକସନ୍‌ ଟେଷ୍ଟ ମଧ୍ୟ କରାଇଥିଲା। କିନ୍ତୁ ସେହି ହତ୍ୟାକାଣ୍ଡ ଏବେ ବି ରହସ୍ୟ ଘେରରେ। କିଏ ଏବଂ କାହିଁକି କବି ରାଜଙ୍କୁ ହତ୍ୟା କଲା ତାହା ଏବେ ବି ରହସ୍ୟ ଘେରରେ।

ଇଂଜିନିୟରିଂ ଛାତ୍ରଙ୍କ ଗୁଳିବିଦ୍ଧ ଶବ ଜବତ
୨୦୧୪ ନଭେମ୍ବର ମାସର ଶୀତୁଆ ସକାଳ। ଜଟଣୀ ଥାନା ଅଧୀନ ଇଂଜିନିୟର କଲେଜ ନିକଟରୁ ଜଣେ ଯୁବକଙ୍କ ଗୁଳିବିଦ୍ଧ ମୃତଦେହ ଜବତ ହୋଇଥିଲା। ପୁଲିସ ମୃତଦେହକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିଥିଲା। କିନ୍ତୁ ପୁଲିସ ମୃତ ଛାତ୍ରଙ୍କର ନା ପରିଚୟ ପାଇ ଥିଲା ନା ତାଙ୍କୁ କେହି ହତ୍ୟା କରିଛି ବୋଲି ଜାଣି ପାରିଥିଲା। ଏହି ହତ୍ୟାକାଣ୍ଡ ଫାଇଲ ସେମିତି ନାଲିଫିତା ତଳେ ଏବେ ରହି ଯାଇଛି।

କୁଆଖାଇ ନଦୀପଠାରେ ଦୁଷ୍କର୍ମ ପରେ ହତ୍ୟା
୨୦୧୭ ମସିହା ଫେବ୍ରୁଆରି ମାସ ୧ ତାରିଖ। ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦୀପଠାରୁ ଜବତ ହୋଇଥିଲା ଜଣେ ଯୁବତୀଙ୍କ ମୃତଦେହ। ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଥିଲା କ୍ଷତ ଚିହ୍ନ। ଗୁପ୍ତାଙ୍ଗରୁ ରକ୍ତ ଝରୁ ଥିଲା। କାମୁଡ଼ା ଦାଗ ବି ଥିଲା। ତଣ୍ଟିରେ କଳା ଚିହ୍ନ ଥିଲା। ମୃତଦେହକୁ ଏକ ଜରି ଅଖାରେ ଭର୍ତି କରାଯାଇ, କଫିନ ଭିତରେ ଭର୍ତି କରାଯାଇ ଫିଙ୍ଗା ଯାଇଥିଲା। ପୁଲିସ ମୃତଦେହ ଜବତ କରିଥିଲା। କିନ୍ତୁ ଯୁବତୀଙ୍କ ପରିଚୟ ମିଳି ନ ଥିଲା। ଏପରିକି ମୃତଦେହର ପରିଚୟ ପାଇବା ପାଇଁ ପୁଲିସ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଛାପିବା ସହିତ ପୁରସ୍କାର ଘୋଷଣା କରିଥିଲା। ଏହି ହତ୍ୟାକାଣ୍ଡର ଏବେ ବି ପର୍ଦାଫାସ ହୋଇ ପାରିନାହିଁ।

ମାଛ ଧରାଳିଙ୍କ ହତ୍ୟାକାଣ୍ଡ
୨୦୧୭ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ମଞ୍ଚେଶ୍ୱର ଥାନା ଅଧୀନ ହଂସପାଳ ବ୍ରିଜ୍‌ ତଳେ ଜଣେ ଧରାଳି ବିଜୟ ବେହେରାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିଲା। ଏହି ଘଟଣାର ଅଭିଯୁକ୍ତ ଏବେ ବି ପୁଲିସ ପାଇଁ ଅପହଞ୍ଚ।

ଉନ୍ମୟ ହତ୍ୟା ରହସ୍ୟ
ଡିସିପି ଶ୍ରୀ ଭୋଇଙ୍କ କାର୍ଯ୍ୟର ଶେଷ ଭାଗରେ ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟା ନଦୀପଠାରେ ଉନ୍ମୟ ପାଢ଼ୀ ନାମକ ଜଣେ ଯୁବକଙ୍କୁ କେହି ଛୁରା ମାଡ଼ କରିବା ସହିତ ଜିଅନ୍ତା ଜାଳି ଦେଇଥିଲା। ଏହି ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି। ପୁଲିସ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଜେରା କରୁଛି। ଏହାରି ମଧ୍ୟରେ ଡିସିପି ଶ୍ରୀ ଭୋଇଙ୍କର ବଦଳି ହୋଇ ଯାଇଛି।

ସମ୍ବନ୍ଧିତ ଖବର