ବଦଳିବ ଧଉଳିର ଚେହେରା, ପର୍ଯ୍ୟଟନ ବିଭାଗ ପକ୍ଷରୁ ରୋପ୍‌ୱେର ଭିତ୍ତିପ୍ରସ୍ତର ସ୍ଥାପନ

ଆଗାମୀ ଦିନରେ ପାର୍କ, ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌

ଧଉଳି: ବଦଳିବ ଧଉଳି ଶାନ୍ତିସ୍ତୂପର ଚେହେରା। ଭିତ୍ତିଭୂମିରେ ଆସିବ ସୁଧାର। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପାର୍କ ଓ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ର ମଧ୍ୟ ବ୍ୟବସ୍ଥା ହେବ। ଆଜି ପୂର୍ବାହ୍ନରେ ଧଉଳି ବସଷ୍ଟାଣ୍ଡରୁ ଶାନ୍ତିସ୍ତୂପକୁ ଏକ ରୋପ୍‌ୱେର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଏପରି ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ୩ ବର୍ଷ ପର୍ଯ୍ୟନ୍ତ ମରାମତି ଖର୍ଚ୍ଚ ସହ ଏହି ପ୍ରକଳ୍ପ ନିର୍ମାଣ ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୮କୋଟି ୫୭ଲକ୍ଷ ଟଙ୍କା ମଂଜୁର ହୋଇଛି। ଧଉଳି ବସ୍‌ଷ୍ଟାଣ୍ଡରୁ ଶାନ୍ତିସ୍ତୂପ ପର୍ଯ୍ୟନ୍ତ ୭୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ରୋପ୍‌ୱେରେ ଯାତ୍ରୀମାନଙ୍କ ଲାଗି ମୋଟ ୧୬ଟି କ୍ୟାବିନ୍‌ ରହିବ। ଘଣ୍ଟାକ ମଧ୍ୟରେ ସର୍ବାଧିକ ୪୦୦ ପର୍ଯ୍ୟଟକ ଯାତାୟାତ କରିପାରିବେ। ଏହାର ନିର୍ମାଣ କାର୍ଯ୍ୟ ୩ବର୍ଷ ମଧ୍ୟରେ ଶେଷ ହେବ ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀ ଜଣାଇଛନ୍ତି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଜିଲ୍ଲା ପରିଷଦ ସଭ୍ୟ ଦୀପ୍ତିମୟୀ ସୁନ୍ଦରାୟ, ଭୁବନେଶ୍ବର ବ୍ଲକ ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ ଓ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମାଜସେବୀ ହରେକୃଷ୍ଣ ସାହୁ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଟି କେ ପଣ୍ଡା ଓ ସହକାରୀ ଯନ୍ତ୍ରୀ ସୁବ୍ରତ ଜେନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର