ଏସ୍‌ପି ସ୍ତରରେ ଖୁବ୍‌ ଶୀଘ୍ର ଅଦଳବଦଳ

୧୪ ଇନ୍ସପେକ୍ଟର ଏସିପି ହେବା ପରେ

ଭୁବନେଶ୍ୱର: କମିସନରେଟ୍‌ ପୁଲିସରେ କାର୍ଯ୍ୟରତ ୧୪ ଜଣ ଇନ୍ସପେକ୍ଟରଙ୍କର ଏସିପି ର‍୍ୟାଙ୍କକୁ ପଦୋନ୍ନତି ଘଟିବା ପରେ ଏବେ ଖୁବ୍‌ ଶୀଘ୍ର କଟକ ଓ ଭୁବନେଶ୍ୱରରେ ଏସିପି ର‍୍ୟାଙ୍କ ଅଧିକାରୀଙ୍କ ମଧ୍ୟରେ ଏକ ଅଦଳ ବଦଳ ହେବାର ଆଭାସ ମିଳିଛି। ପଦୋନ୍ନତି ପାଇ ଥିବା ଅଧିକାରୀମାନଙ୍କୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ଥାନା ଜୋନ୍‌ ଓ କାର୍ଯ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯିବ। ଫଳରେ ଏବେ କେଉଁ ଏସିପିଙ୍କୁ ଜୋନ ଦାୟିତ୍ୱ ମିଳିବ, କିଏ କାର୍ଯ୍ୟାଳୟରେ ନିଯୁକ୍ତି ପାଇବେ ତାକୁ ନେଇ ପୁଲିସ ମହଲରେ ଚର୍ଚା ଆରମ୍ଭ ହୋଇ ଗଲାଣି। କେତେକ ଏସିପି ଏବେ ନିଜ ପସନ୍ଦର ଜୋନରେ ରହିବା ପାଇଁ ରାଜନୈତିକ ଓ ଆଇପିଏସ୍‌ ମହଲରେ ଲବି ବି ଆରମ୍ଭ କରି ଦେଲେଣି। ଏବେ ଭୁବନେଶ୍ୱରରେ ଏସିପି ଭାବେ ଅସୀମ ପଣ୍ଡା, ରବୀନ୍ଦ୍ରନାଥ ଶତପଥୀ, ଫଗୁଆ ସିଂହ, ପ୍ରାଣକୃଷ୍ଣ ରାଉତ, ବିଶ୍ୱନାଥ ମିଶ୍ର, ସୀତାରାମ ଶତପଥୀ, ଜତୀନ ପଣ୍ଡା ପ୍ରମୁଖ ଥାନା ସ୍ତରରେ କାର୍ଯ୍ୟ କରୁଥିବାବେଳେ କଟକରେ ପ୍ରମୋଦ ରଥ, ତ୍ରିନାଥ ମିଶ୍ର, ମନୋରଂଜନ ବିଶ୍ୱାଳ, ନିମାଇଁ ସେଠୀ, ଅନୀଲ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟ କରୁଛନ୍ତି। ଏହାବାଦ କମିସନରେଟ୍‌ ପୁଲିସର କାର୍ଯ୍ୟାଳୟରେ ୭ ଜଣ ଏସିପି କାର୍ଯ୍ୟ କରୁଛନ୍ତି। କମିସନରେଟେ୍‌ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସମୁଦାୟ କଟକ ଓ ଭୁବନେଶ୍ୱରରେ ୩୦ଟି ଏସିପି ପଦବି ରହିଛି। କିନ୍ତୁ ସେଥି ମଧ୍ୟରୁ ୧୧ଟି ଏସିପି ପଦବି ଏବେ ଖାଲି ରହିଛି। ଯାହା ମଧ୍ୟରେ ରହିଛି କଟକର ଜୋନ-୫ ଭଳି ଏକ ସମ୍ବେଦନଶୀଳ ଅଞ୍ଚଳର ଏସିପି ପଦବି। ଏଭଳି ସ୍ଥିତିରେ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରମାନଙ୍କୁ ଖୁବ୍‌ ଶୀଘ୍ର ଏସିପି ଭାବେ ନିଯୁକ୍ତ ଦିଆ ଯିବ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି। ଏନେଇ ପୁଲିସ କମିସନର ଶ୍ରୀ ଖୁରାନିଆ ଆଜି ଭୁବନେଶ୍ୱର ଓ କଟକ ଡିସିପିଙ୍କ ସହିତ ଘନ ଘନ ଆଲୋଚନା ମଧ୍ୟ କରିଛନ୍ତି। କେଉଁଠି କାହାକୁ ନିଯୁକ୍ତି ପ୍ରଦାନ କରାଯିବ ଖୁବ୍‌ ଶୀଘ୍ର ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ।

ଏଠାରେ ପ୍ରକାଶଥାଉକି, ଭୁବନେଶ୍ୱରର ଖାରବେଳନଗର ଥାନା ଇନ୍ସପେକ୍ଟର ଅନୁପକାନୁନ ଗୋ, ସହିଦନଗର ଥାନା ଇନ୍ସପେକ୍ଟର କିଶୋର ମୁଣ୍ଡ, କ୍ୟାପିଟାଲ ଥାନା ଇନ୍ସପେକ୍ଟର ମାନସ ଗଡ଼ନାୟକ, ଏୟାରଫିଲ୍ଡ ଥାନା ଇନ୍ସପେକ୍ଟର ଡିଏସ୍‌ ପ୍ରତାପ, ତମାଣ୍ଡୋ ଥାନା ଇନ୍ସପେକ୍ଟର ଅତୁନୁ କୁମାର ରାଉତ, ବଡ଼ଗଡ଼ ଥାନା ଇନ୍ସପେକ୍ଟର ଶୁଭେନ୍ଦୁ ସିହ୍ନା, ଏନର୍ଜି ଥାନା ଇନ୍ସପେକ୍ଟର ଚନ୍ଦ୍ରଶେଖର ସାହୁ, ଧଉଳି ଥାନା ଇନ୍ସପେକ୍ଟର ପ୍ରଭାସ ପାଳ, ପିଆରଓ ଇନ୍ସପେକ୍ଟର ସୂର୍ଯ୍ୟମଣି ପ୍ରଧାନ, ସେସ୍ପାଲ ସ୍କ୍ଵାଡ୍‌ ଇନ୍ସପେକ୍ଟର ସଂଜୀବ ଶତପଥୀ ଓ ଡିଆଇବି ଇନ୍ସପେକ୍ଟର ରଜତ ରାୟ ପ୍ରମୁଖଙ୍କର ଏସିପି ର‍୍ୟାଙ୍କକୁ ପଦୋନ୍ନତି ଘଟିଛି। କଟକରେ ମଧୁପାଟଣା ଥାନା ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ଦଳେଇ, ଲାଲବାଗ ଥାନା ଇନ୍ସପେକ୍ଟର ଦେବଦତ୍ତ ବରାଳ ଓ ସଦର ଥାନା ଇନ୍ସପେକ୍ଟର ଦେବଦତ୍ତ କରଙ୍କ ଏସିପି ର‍୍ୟାଙ୍କକୁ ପଦୋନ୍ନତି। ଏମାନଙ୍କ ମଧ୍ୟରୁ ଭୁବନେଶ୍ୱରରେ ୮ ଓ କଟକରେ ଜଣକୁ ପୁନଃ ନିଯୁକ୍ତି ମିଳିଛି। ଫଳରେ ଏବେ କମିସନରେଟ୍‌ ପୁଲିସରେ ଏସିପି ର‍୍ୟାଙ୍କର ଅଧିକାରୀଙ୍କ ସଂଖ୍ୟା ବଢ଼ି ଯାଇଛି। ତେଣୁ ଖାଲି ଥିବା ପଦବି ତୁରନ୍ତ ପୂରଣ କରାଯିବ। ଯାହା ଫଳରେ ଏସିପି ର‍୍ୟାଙ୍କର ଅଧିକାରୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଅଦଳ ବଦଳ ହେବାର ଚର୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର