ଚନ୍ଦ୍ରଶେଖରପୁର: ଶାନ୍ତ ହୋଇଯାଇଛି ଗାଁଠୁ ସହର। ଲୋକଙ୍କ ଚଳପ୍ରଚଳ ନାହିଁ। ରାସ୍ତା ଘାଟରେ ଶୁଭୁନି ଗାଡ଼ିମଟରର ଘୋ-ଘା ଶବ୍ଦ। ଯୁଆଡେ ଚାହିଁଲେ କେବଳ ନିଶବ୍ଦ ଓ ଖାଁ ଖାଁ। ଏଥିରୁ ସ୍ପଷ୍ଟ ଜଣାପଡ଼ି ଯାଉଛି ଯେ ଲୋକଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ସନ୍ଧ୍ୟା ହେଲେ ଫାଷ୍ଟଫୁଡ ଦୋକାନର ଚାଓମିନ୍‌ ଡାକ ଶୁଣିବାକୁ ମିଳୁନି କି ରାତିରେ ଡ୍ୟାନ୍ସ ବାରର ଦୁଲଦୁଲ ଶବ୍ଦ। ସବୁଠି କେବଳ ଶାନ୍ତି, ଶାନ୍ତି ଆଉ ଶାନ୍ତି। କରୋନା ପାଇଁ ଜାରି ହୋଇଥିବା କଟକଣା ପ୍ରତିଟି ବ୍ୟକ୍ତିର ଜୀବନ ଧାରାକୁ ବଦଳାଇ ଦେଇଛି। ଛୋଟଠାରୁ ବଡ଼ଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ପୁଣି ଥରେ ଗୋଟିଏ ଛାତ ତଳେ ଏକାଠି କରିଦେଇଛି। ଆଗରୁ ଫାଷ୍ଟଫୁଡ ଆଗରେ ସନ୍ଧ୍ୟା କଟୁଥିବା ଯୁବପିଢି ଏବେ ଘର ଭିତରେ ବନ୍ଦୀ ଜୀବନ କାଟୁଛନ୍ତି। ବର୍ତ୍ତମାନ ସମୟରେ ମନୋରଞ୍ଜନର ବାହକ ସାଜିଥିବା ମଲ୍‌ଟିପ୍ଲେକ୍ସ, ମୁଭି, ଥିଏଟର, ବାର୍‌, ସପିଂମଲର ସଜ୍ଞା ବଦଳି ଯାଇଛି। ୨୧ ଦିନର ଲକ୍‌ଡାଉନ ପାଇଁ ପ୍ରିୟଜନମାନେ ପାଖାପାଖି ହୋଇଯାଇଛନ୍ତି। ହଜି ଯାଇଥିବା ସେ ପୁରୁଣା ଦିନର ତାସ୍, ଲୁଡୁ, ଚେସ ଖେଳ ଏବେ ପୁଣି ଗାଁ ପିଣ୍ଡାରେ ଜମୁଛି। ଜେଜେବାପା-ଜେଜେମା, ଅଜା-ଆଈଙ୍କ ଗପପେଡ଼ି ବି ପୁଣି ଖୋଲିଛି।

Advertisment

ପାର୍କ ସ୍ଥାନ ନେଲାଣି ଘର
ଆଜକୁ ଠିକ ମାସକ ତଳେ ସମୟ ଅଲଗା ଥିଲା। ସନ୍ଧ୍ୟା ହେଲେ କାହାର ସାଙ୍ଗସାଥୀଙ୍କ ସହ ପାର୍କରେ ବୁଲା ହେଉଥିଲା। ଆଉ କିଏ ସକାଳୁ ଓ ସନ୍ଧ୍ୟାରେ ଜିମରେ ସମୟ ବିତାଉଥିଲେ। ଏମିତି ସ୍ଥିତି ଥିଲା ଯେ ଇଚ୍ଛା ଥିଲେ ବି ପ୍ରିୟ ଲୋକଙ୍କ ପାଇଁ ସମୟ ବାହାର କରିବା କଷ୍ଟକର ହୋଇ ପଡୁଥିଲା। ସମୟର ଶେଷଦିନକୁ ଅପେକ୍ଷା କରିବାକୁ ହେଉଥିଲା। ସେଥିରେ ବି ପୁଣି ଆଗୁଆ ଯୋଜନା। କେବେ ପାର୍ଟି ଫଙ୍କସନ୍‌ରେ ସମୟ ଯାଉଥିଲା ତ ଆଉ କେବେ କ୍ଲବ୍‌, ହୋଟେଲ୍‌ରେ ସମୟ ବିତୁଥିଲା। ତେବେ କରୋନାର କଟକଣା ଏସବୁ ମଜା ମଜଲିସରେ ତାଲା ପକାଇ ଦେଇଛି। ପୁଣିଥରେ ଲୋକଙ୍କୁ ନିଜ ପ୍ରିୟଜନଙ୍କ ପାଖରେ ରହିବାକୁ ବାଧ୍ୟ କରିଛି। ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ପାଇଁ ଏବେ ଭରପୂର ସମୟ ମିଳୁଛି। ଏନେଇ ପଟିଆ ଅଞ୍ଚଳର ସୁଲଗ୍ନା କୁହନ୍ତି, କ୍ୱାରାଣ୍ଟିଇନ୍‌, ସୋସିଆଲ୍ ଡିସ୍‌ଟାନ୍‌ସିଂ ଭଳି ଶବ୍ଦ ଆମେ ଆଗରୁ କେବେ ବ୍ୟବହାର କରୁନଥିଲୁ। ଏସବୁ କ’ଣ ଜାଣି ବି ନଥିଲୁ। ହେଲେ କରୋନା ସବୁ ଜଣାଇଦେଲା। କରୋନା ଲୋକଙ୍କୁ ଘରୁ ପଦାକୁ ବାହାରିବାକୁ ଦେଉନି ସତ ହେଲେ ପରିବାରକୁ ଏକାଠି କରି ପାରିଛି। ଆଗରୁ ଅଫିସ୍‌ରୁ ଘର, ଘରରୁ ଅଫିସ ହୋଇ ସମୟ ସରିଯାଉଥିଲା। ଏବେ ଭରପୂର ସମୟ ମିଳୁଛି। ଶାଶୂ ଶ୍ୱଶୂରଙ୍କ ସହ ଗପସପ ହୋଇପାରୁଛି। ଦୀର୍ଘ ୮ ବର୍ଷ ପରେ ପୁଣିଥରେ ଘରେ ଏକାଠି ବସି ଏମିତି ମଜା କରିପାରୁଛୁ। ଆଜିକୁ ଚାରି ସପ୍ତାହ ହେଲା ସମୟ କେମିତି ବିତୁଛି ଜଣା ପଡୁନି। ପିଲାମାନେ ମଧ୍ୟ ଜେଜେବାପା-ଜେଜେମାଙ୍କ ସହ ଘରେ ସମୟ ବିତାଉଛନ୍ତି।

publive-image

ରୋଷେଇ ଘରେ ଚାଇନିଜ୍ ଛୁଙ୍କ
ସମୟ ବିତାଇବାର ନୂଆ ଫର୍ମୁଲା ଆଣିଛି ରୋଷେଇ। ଆଉ ଲକ୍‌ଡାଉନ୍ ସମୟରେ ଏହାକୁ ନେଇ ପରୀକ୍ଷା ନିରୀକ୍ଷା କରିବାକୁ ଆଗ୍ରହ ଦେଖାଉଛନ୍ତି ଅଧିକାଂଶ ରାଜଧାନୀବାସୀ। ରୋଷଇ ଘରେ ବସି କିଛି ନୂଆ କରିବାରେ ବ୍ୟସ୍ତ। ଖାଲି ସେତିକି ନୁହେଁ, ୟୁ-ଟ୍ୟୁବ୍‌ରୁ ନୂଆ ନୂଆ ଖାଇବା ଶିଖି ଏହାକୁ ବନାଉଛନ୍ତି। ଆଉ ଏହାର ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଛାଡି ବାହାବା ବି ନେଉଛନ୍ତି। ସାଧାରଣ ଜନତାଙ୍କ ଭଳି ଓଡ଼ିଶା ଚଳଚ୍ଚିତ୍ର ଜଗତର ଅଧିକାଂଶ ଅଭିନେତା, ଅଭିନେତ୍ରୀ ମଧ୍ୟ ରୋଷେଇରେ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି। ଲୋକେ ରାତିରେ ଘରେ ରୋଲ, ଚାଓମିନ, ଚିଲ୍ଲି ଚିକେନ୍, ଚିକେନ୍ ପକୋଡା, ଅଣ୍ଡା ଚପ, ବିଭିନ୍ନ ପ୍ରକାର ସୁପ ପ୍ରସ୍ତୁତ କରୁଛନ୍ତି। ନୟାପଲ୍ଲୀର ସମରେନ୍ଦ୍ର ରାଉତଙ୍କ କହିବାନୁଯାୟୀ ଲକ୍‌ଡାଉନ୍ ପାଇଁ ଘରୁ ବାହାରିବା ବନ୍ଦ ହୋଇଯାଇଛି। ତେଣୁ ରୋଷେଇ ଘରେ ନୂଆ ନୂଆ ଏକ୍ସପେରିମେଣ୍ଟ କରିବାରେ ସମୟ ଯାଉଛି। କିଛି ଦିନ ହେଲା ୟୁ-ଟ୍ୟୁବ୍‌ରୁ ସ୍ୟାଣ୍ଡୱିଚ୍ ଓ ଚାଇନିଜ୍ ଖାଇବା ଶିଖି ତାକୁ ବନାଇଛି। ପରିବାର ଲୋକେ ବି ଏହାକୁ ଖାଇ ଖୁବ୍ ଖୁସି। ପତ୍ନୀଙ୍କୁ ସହାୟତା ବି କରିପାରୁଛି।

ବଦଳିଛି ଡେଟିଂର ପରିଭାଷା
ଲକ୍‌ଡାଉନ୍ ବଦଳାଇ ଦେଇଛି ଡେଟିଂର ପରିଭାଷା। ଲଙ୍ଗ ଡ୍ରାଇଭ୍‌, ରେସ୍ତୋରାଁରେ ଖାଇବା, ଆଇସ୍କ୍ରିମ୍ ପାର୍ଲର, କଫି ସପ୍‌ରେ ବସି ଘଣ୍ଟା ଘଣ୍ଟା ବିତାଇବା ଏବେ ସ୍ୱପ୍ନ। ଯୁବପିଢି ନିଜ ପ୍ରିୟର ମଣିଷକୁ ଛୁଇଁବା ତ ଦୂରର କଥା ଟିକେ ମନ ଭରି ଦେଖିବା ବି କଷ୍ଟକର ହୋଇପଡିଛି। ଏବେ ମୋବାଇଲ୍ ହିଁ ଏକାମାତ୍ର ଭରସା। ଆମାଜନ୍ ପ୍ରାଇମ୍‌, ନେଟ୍‌ଫ୍ଲିକ୍ସ, ଭୁଟ୍ ଭଳି ଆପ୍ଲିକେସନ୍ ସହାୟତାରେ ଦୂରରେ ରହି ଏକାସଙ୍ଗେ ମୁଭି ଦେଖିପାରୁଛନ୍ତି। ଆଉ ବେଳେ ବେଳେ ନିଜର ବନ୍ଧୁମାନଙ୍କ ସହ ଖଟି କରିବା ପାଇଁ ହ୍ୟାଙ୍ଗଆଉଟ୍‌, ଜୁମ୍ ଭଳି ଆପ୍ଲିକେସନ୍ ଡାଉନ୍‌ଲୋଡ କରି କଥାବାର୍ତ୍ତା ହୋଇପାରୁଛନ୍ତି। ପରିବାର ସହ ସମୟ ବିତୁଥିବାରୁ ମୋବାଇଲ୍‌ରେ ଗପିବା ବି ସମ୍ଭବ ହେଉନି। ତେଣୁ ଆମେ ୪ ଜଣ ବନ୍ଧୁ ମିଶି ଆମାଜନ୍ ପ୍ରାଇମ୍ ରିଚାର୍ଜ କରିଛୁ।

ଇ-ପ୍ରତିଯୋଗିତା
ସୃଜନଶୀଳତାକୁ ଭଲ ପାଉଥିବା କିଛି ଯୁବପିଢ଼ି ଏବେ ୟୁଟ୍ୟବ୍‌ରେ ଟିକ୍ ଟକ୍ ନ କରି ପ୍ରକୃତି ଓ ପରିବେଶକୁ ନେଇ ଚିତ୍ର ଆଙ୍କୁଛନ୍ତି। ଆଉ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଉଥିବା ଇ-ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଏନେଇ ସୁଶ୍ରୀ ଶ୍ୱେତା କହନ୍ତି ଆମେ କେହି ଚିତ୍ରଶିଳ୍ପୀ ନୁହେଁ। ହେଲେ ଇଚ୍ଛା ହେଲେ ରଙ୍ଗତୂଳୀ ଧରି ବସୁ। ଲକ୍‌ଡାଉନ୍ ଆରମ୍ଭ ହେବାର ୪/୫ ଦିନ ପରେ ଅନ୍‌ଲାଇନ୍‌ରେ ଏକ ଚିତ୍ର ପ୍ରତିଯୋଗିତା ଆରମ୍ଭ ହୋଇଛି। ଗୋଟିଏ ବିଷୟ ଓ ଚିତ୍ରକୁ ନେଇ ଆମେ ସମସ୍ତେ ନିଜ ନିଜ ଘରେ ଚିତ୍ର କରୁଛୁ। ଆଉ ନିର୍ଦ୍ଦିଷ୍ଟ ସମୟରେ ସମସ୍ତେ ନିଜ ନିଜ ଚିତ୍ରକୁ ଫେସ୍‌ବୁକ୍‌ରେ ସେୟାର କରୁଛୁ।

ନଈକୂଳରେ ସନ୍ଧ୍ୟା
ଲକ୍‌ଡାଉନ୍ ମଣିଷର ଜୀବନଯାତ୍ରାକୁ ପ୍ରଭାବିତ କରିଛି ସତ ହେଲେ ଏହା ପରିବେଶ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଛି। ଗାଡ଼ି ମୋଟର ଯିବା ଆସିବା ବନ୍ଦ ରହିଥିବା ବେଳେ ଶିଳ୍ପ ସଂସ୍ଥାଗୁଡିକ ଚାଲୁନି। ଫଳରେ ରାଜଧାନୀର ବାୟୂ ପ୍ରଦୂଷଣ କମିଛି। ତାପମାତ୍ରା ବି ହ୍ରାସ ପାଇଛି। ତେଣୁ ରାଜଧାନୀ ଉପକଣ୍ଠରେ ଥିବା ବିଭିନ୍ନ ଗାଁ ଲୋକେ ଏବେ ନଈ କୂଳରେ ସମୟ ବିତାଉଛନ୍ତି। ସନ୍ଧ୍ୟା ହେବା କ୍ଷଣି ଦୟା ଓ କୁଆଖାଇ ନଦୀକୂଳରେ ବୁଲୁଛନ୍ତି। ସାଙ୍ଗମାନେ ଏକାଠି ହୋଇ ବସୁଛନ୍ତି ଏବଂ ଭୋଜିଭାତରେ ସମୟ କଟୁଛି।