ଭୁବନେଶ୍ୱର : ମାସିକ ଋତୁସ୍ରାବ ଏକ ବ୍ୟାଧି ନୁହେଁ, ବରଂ ଏକ ସାଧାରଣ କଥା। ଆଦିବାସୀ ଅଞ୍ଚଳରେ ଜଣେ ଆଦିବାସୀ ଝିଅର ଏହି ସଚେତନମୂଳକ କଥା ଲୋକେ କେତେ ଗ୍ରହଣ କରିଥିବେ ତାହା ଆପଣ ହୃଦବୋଧ କରିପାରୁଥିବେ। ମାତ୍ର ଝିଅମାନଙ୍କୁ ଏ କ୍ଷେତ୍ରରେ ସଚେତନ କରି ମାସିକ ଋତୁସ୍ରାବ ଯୋଗୁଁ ଡ୍ରପ୍ ଆଉଟ୍ ଏବଂ ଅନୁପସ୍ଥିତିରେ ରୋକ୍ ଲଗାଇବାରେ ଉଦାହରଣ ସୃଷ୍ଟି କରିଥିବା ଆଦିବାସୀ ଝିଅ ଗୀତାଞ୍ଜଳି ମାର୍ଣ୍ଡିଙ୍କୁ ନେଇ ଓଡ଼ିଶା ଗର୍ବିତ। ଢେଙ୍କାନାଳର କପିଳାସ ବାଳିକା ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କର ଏହି କୃତିତ୍ୱର କାହାଣୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ସାମାଜିକ କର୍ମୀ ଶବାନା ଆଜ୍ମିଙ୍କ ଉପସ୍ଥିତିରେ ସେ ଆଇଟିସି ମୌର୍ଯ୍ୟ ପ୍ରେକ୍ଷାଳୟରେ ନିଜ କାହାଣୀ ବଖାଣିଥିଲେ।
‘ନିନେ ମୁମେଣ୍ଟ୍ସ ମେନ୍ଷ୍ଟଆଲ୍ କନ୍କ୍ଲେଭ୍’ରେ ୟୁଏନ୍ଏଫ୍ପିଏ ଏସିଆ ପେସିଫିକ୍ ଆଞ୍ଚଳିକ କାର୍ଯ୍ୟାଳୟର ଉପନିର୍ଦେଶକ ଡ.ଜେନିଫର ବଟ୍ଟଲରଙ୍କ ଉପସ୍ଥିତିରେ ମାସିକ ଋତୁସ୍ରାବ ଯୋଗୁଁ ସ୍କୁଲ୍ରେ କିପରି ଝିଅମାନଙ୍କର ଉପସ୍ଥାନ କମୁଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ୧୫ ବର୍ଷ ବୟସରେ ଚେଞ୍ଜ୍-ମେକର ଭାବେ ଉଦାହରଣ ସୃଷ୍ଟି କରିଥିବା ଗୀତାଞ୍ଜଳିଙ୍କୁ ଉକ୍ତ ସମ୍ମିଳନୀ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଚୟନ କରାଯାଇଥିଲା। ସାମାଜିକ ନିଷେଧାଦେଶ ସତ୍ତ୍ୱେ ମାସିକ ଋତୁସ୍ରାବ ପ୍ରତି ଥିବା ଭୁଲ ଧାରଣାକୁ ଅତିକ୍ରମ କରି ସେ ନିଜର ପାଠ ପଢ଼ା ଜାରି ରଖିବାର କାହାଣୀ କହିଥିଲେ। ସ୍କୁଲ୍ରେ ଦିଆଯାଉଥିବା ଜୀବନ ଦକ୍ଷତା ପାଠ୍ୟକ୍ରମ ଜରିଆରେ ଋତୁସ୍ରାବ ସମ୍ପର୍କରେ ସବିଶେଷ ଜାଣିବା ସହ ସ୍କୁଲ୍ରେ ସାନିଟାରି ପ୍ୟାଡ୍ର ବ୍ୟବସ୍ଥା ଝିଅମାନଙ୍କ ଜୀବନଧାରାରେ ପରିବର୍ତନ ଆଣିଛି ବୋଲି ଗୀତାଞ୍ଜଳି କହିଛନ୍ତି।