ବିଡିଏ ତାଗିଦ୍‌ ପରେ ବିମାନବନ୍ଦର ସମ୍ପ୍ରସାରଣ ଡିଜାଇନ୍‌ ବଦଳିଲା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକାଧିକ ତାରକା ହୋଟେଲ୍‌, ସପିଂ ମଲ୍‌ ନିର୍ମାଣ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଡିଜାଇନ୍‌ ପ୍ରସ୍ତୁତ କରିବା ସହ ଟେଣ୍ଡର ଆହ୍ଵାନ କରିଥିଲେ। ହେଲେ ଏହା ବିଡିଏ ସିଡିପିକୁ ଉଲ୍ଲଂଘନ କରୁଥିବାରୁ ନିର୍ମାଣ ଉପରେ ସାଧାରଣ ପ୍ରଶାସନ ବିଭାଗ ରୋକ୍‌ ଲଗାଇ ଦେଇଛି। ଏହାପରେ ବିମାନବନ୍ଦରରେ କ’ଣ, କେଉଁଠି ଓ କିପରି ନିର୍ମାଣ ହେବ, କେତେ ଜମି ଦରକାର, କ’ଣ କ’ଣ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ହେବ ସେନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଡିଜାଇନ୍‌ ବଦଳାଇ ନୂଆ ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ଅନୁମୋଦନ ପାଇଁ ବିଡିଏକୁ ପଠାଯାଇଛିି। ବିଡିଏ ଅନୁମୋଦନ ମିଳିଲେ ବିମାନବନ୍ଦରରେ ନୂଆ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ବିମାନବନ୍ଦରରେ ହେବାକୁ ଥିବା ହୋଟେଲ, ବାଣିଜ୍ୟିକ ଅଞ୍ଚଳ, ମନୋରଞ୍ଜନ ଅଞ୍ଚଳର ଡିଜାଇନ୍‌ ବଦଳିବା ନେଇ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ଆମେ ପୂର୍ବରୁ ବିମାନବନ୍ଦର ପାଇଁ ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନ୍‌ ଅନୁଯାୟୀ, ବିଭିନ୍ନ ପ୍ରକଳ୍ପର ଯୋଜନା କରି ଟେଣ୍ଡର ଆହ୍ଵାନ କରିଥିଲୁ। ହେଲେ ସାଧାରଣ ପ୍ରଶାସନ ବିଭାଗ କହିଥିଲା ଯେ, ବିଡିଏର ମାଷ୍ଟର ପ୍ଲାନ୍‌ ସିଡିପି-୨୦୧୦ରେ ବିମାନବନ୍ଦରରେ ଏହି ନିର୍ମାଣ କାର୍ଯ୍ୟ ନେଇ କୌଣସି ସୂଚନା ନାହିଁ। ଟେଣ୍ଡର ଆହ୍ଵାନ ପୂର୍ବରୁ ଏକ ଘରୋଇ ସଂସ୍ଥାକୁ ସର୍ଭେ କରି ଆର୍‌ଏଫ୍‌ପି ପ୍ରସ୍ତୁତ କରିବାକୁ ଦେଇଥିଲୁ। ଉକ୍ତ ସଂସ୍ଥା ବିଡିଏ କି ବିଏମ୍‌ସି ସହ ଆଲୋଚନ ନ କରି ଆରଏଫ୍‌ପି ପ୍ରସ୍ତୁତ କରିଥିବାରୁ ଏହି ସମସ୍ୟା ଉପୁଜିଲା।

ବିଡିଏର ନିର୍ମାଣ ଉପରେ ବାରଣ ପରେ ଆମେ ଡିଜାଇନ୍‌ ବଦଳାଇଛୁ। ନୂଆ ଡିଜାଇନ୍‌ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦନ ପାଇଥିବାବେଳେ ଏହାକୁ ବିଡିଏ ଅନୁମୋଦନ ପାଇଁ ପଠାଯାଇଛି। ନୂଆ ଯୋଜନାରେ କାର୍‌ ପାର୍କିଂ ଅଞ୍ଚଳ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରେ ଥିବା ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହେବ। ଏଠାରେ ୫୪ଏକର ଜମି ଥିବାବେଳେ ସମସ୍ତ ଅଞ୍ଚଳ ପାଇଁ ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ଯେଉଁ ୮ଏକର ଅଞ୍ଚଳ ନେଇ ବିଡିଏ କେଁ ପୂରାଇଥିଲା ତା’ର ଡିଜାଇନ୍‌ ପରିବର୍ତ୍ତନ ହୋଇଛି। ଏଠାରେ ପୂର୍ବରୁ ସମସ୍ତ ଅଞ୍ଚଳରେ ହୋଟେଲ ନିର୍ମାଣ ହେବାକୁ ଥିଲେ ହେଁ ନୂଆ ଡିଜାଇନ୍‌ରେ ହୋଟେଲ ସହ ୪ହଜାର ସିଟ୍‌ ବିଶିଷ୍ଟ କନଭେନସନ୍‌ ସେଣ୍ଟର ନିର୍ମାଣ ହେବ। ଯାହା ଭୁବନେଶ୍ୱରରେ ସବୁଠୁ ବଡ଼ ସରକାରୀ ସମ୍ମିଳନୀ କକ୍ଷ ହେବ।

ସେହିପରି ମୋଟ୍‌ ୫୪ଏକର ମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୩ରୁ ଅଧିକ ହୋଟେଲ ନିର୍ମାଣ ହେବ। ଏଥିପାଇଁ ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ଏଥିରେ ଏବେ ହୋଟେଲ ପାଇଁ ୩ଏକର, ୫ଏକର ଏବଂ ୫ଏକର ଲେଖାଏଁ ଜମି ସଂରକ୍ଷିତ ରହିଛି। ଏହାବାଦ୍‌ ସପିଂ ମଲ୍‌ ଏବଂ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ହେବ। ଏହି ସବୁ ହୋଟେଲ ତିନି ତାରକାରୁ ପଞ୍ଚ ତାରକା ବିଶିଷ୍ଟ ହେବ। ଏନେଇ ଅନ୍ତର୍ଜାତୀୟସ୍ତରର ବହୁ ହୋଟେଲ ସଂସ୍ଥା ମଧ୍ୟ ଆଗ୍ରହ ଦେଖାଇଛନ୍ତି। ସେହିପରି ଭବିଷ୍ୟତରେ ଯେପରି ବିଡିଏ ଏଥିରେ କେଁ ନ ପୂରାଇବ ସେଥିପାଇଁ ପୂରା ୫୪ଏକରର ଡିଜାଇନ୍‌ ବିଡିଏକୁ ଦିଆଯାଇଛି। ବିଡିଏରୁ କ୍ଲିଅରାନ୍ସ ମିଳିଲେ ଆମେ ଟେଣ୍ଡର ପ୍ରକି୍ରୟା ଆଗେଇବୁ। ଖୁବ୍‌ ଶୀଘ୍ର ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବୁ ବୋଲି ଶ୍ରୀ ହୋତା କହିଛନ୍ତି। ଏହାସହ ଶ୍ରୀ ହୋତା କହିଛନ୍ତି ଯେ, ବିମାନବନ୍ଦର ନିକଟରେ ହୋଟେଲର ଆବଶ୍ୟକତା ଅଛି। ଏହା ବିମାନବନ୍ଦରକୁ ଆସୁଥିବା ଏବଂ ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସହାୟକ ହେବ। ନୂଆଦିଲ୍ଲୀ ବିମାନବନ୍ଦର ନିକଟରେ ଏରୋସିଟି ହୋଇଥିବାବେଳେ ୭ରୁ ୮ଟି ହୋଟେଲ ଅଛି। ଭୁବନେଶ୍ୱର ସ୍ମାର୍ଟ ସିଟି ହୋଇଥିବାବେଳେ ଆମ ବିମାନବନ୍ଦରରେ ବି ସମସ୍ତ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ ହେବା ଦରକାର।

ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍‌କୁ ଭଲ ଭାବେ ତର୍ଜମା କରିବା ପରେ ଯାହା ନିଷ୍ପତ୍ତି ନିଆଯିବ। ରାଜ୍ୟ ସରକାର ବିମାନବନ୍ଦର ଏବଂ ଏହା ପରିପାର୍ଶ୍ୱ ଅଞ୍ଚଳରେ ଉନ୍ନତିକୁ ଗୁରୁତ୍ୱ ଦେଉଥିବାରୁ ସବୁ ଦିଗକୁ ନଜରରେ ରଖି ପଦକ୍ଷେପ ନିଆଯିବ।

ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିମାନବନ୍ଦର କର୍ତ୍ତୃପକ୍ଷ ସମ୍ପ୍ରସାରଣ ପାଇଁ ଯେଉଁ ସ୍ଥାନ ବାଛିଛନ୍ତି ବିଡିଏ ସିଡିପି-୨୦୧୦ ଅନୁଯାୟୀ ସେଠାରେ ତୃତୀୟ ଟର୍ମିନାଲ (ଟି-୩) ନିର୍ମାଣ ହେବ ବୋଲି ଯୋଜନା ଅଛି। ଏହା ପରିବହନ ଜୋନ୍‌ ଭାବେ ପରିଗଣିତ ହେବ। ଏଠାରେ ସିଟି ବସ୍‌ ପାର୍କିଂଠାରୁ ଆରମ୍ଭ କରି କାର୍‌ ପାର୍କିଂ ଏବଂ ଅନ୍ୟାନ୍ୟ ପରିବହନ ଜନିତ ବ୍ୟବସ୍ଥା ରହିବ। ହେଲେ ଏଠାରେ କୌଣସି ହୋଟେଲ, ସପିଂ ମଲ୍‌ ନିର୍ମାଣ ପାଇଁ ଯୋଜନା ନାହିଁ। ଏପରିକି ବିଡିଏର ଜୋନିଂ ନିୟମର ବିଡିଏ (ପ୍ଲାନିଂ ଆଣ୍ଡ୍‌ ବିଲଡିଂ) ନିୟମ ୨୦୦୮, (ସଂଶୋଧିତ ୨୦୧୩) ଅନୁଯାୟୀ ଏହି ସ୍ଥାନରେ ହୋଟେଲ କି ସପିଂ ମଲ୍‌ ହୋଇପାରିବନି। କିନ୍ତୁ ବିମାନବନ୍ଦର କର୍ତ୍ତୃପକ୍ଷ ସବୁ ନିୟମକୁ ଜଳାଞ୍ଜଳି ଦେଇ ଏଠାରେ ମନଇଚ୍ଛା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ବିଡିଏ/ବିଏମ୍‌ସିରୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଏଠାରେ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ ହୋଇପାରିବନି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବିମାନବନ୍ଦର କର୍ତ୍ତୃପକ୍ଷ ଗତ ସେପ୍ଟେମ୍ବର ୫ତାରିଖରେ ବିମାନବନ୍ଦର ପରିସରରେ ତିନି ତାରକା ହୋଟେଲ ନିର୍ମାଣ ପାଇଁ ଟେଣ୍ଡର ଆହ୍ଵାନ କରିଛନ୍ତି। ଏଠାରେ ୧୦୦ରୁମ୍‌ ବିଶିଷ୍ଟ ହୋଟେଲ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହାବାଦ୍‌ ୨୫୦ସିଟ୍‌ ବିଶିଷ୍ଟ ସମ୍ମିଳନୀ କକ୍ଷ, ସପିଂ ମଲ୍‌ ବି ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହି ପ୍ରକଳ୍ପ ୨୦୧୯ ମଧ୍ୟରେ ଶେଷ କରିବାକୁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର