ଭୁବନେଶ୍ବର: ରବିବାର ସକାଳ ପ୍ରାୟ ସାଢ଼େ ୬ଟା। ରାଜଧାନୀର ଜନପଥରେ ଦୃଶ୍ୟମାନ ଏକ ନିଆରା ଦୃଶ୍ୟ। ‌କୁନିକୁନି ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକେ ଶୃଙ୍ଖଳିତ ଭାବେ ଚାଲୁଥିଲେ। ପାଖାପାଖି ହଜାରେ ଲୋକ ଚାଲୁଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ-୧ ଛକରୁ ସେମାନେ ଚାଲିଚାଲି ରୁପାଲି ଛକ ପର୍ଯ୍ୟନ୍ତ ଯାଇଥିଲେ ଏବଂ ପୁଣି ଚାଲିଚାଲି ଫେରିଥିଲେ। ଦୀପାବଳି ପର୍ବର ଅବ୍ୟବହିତ ପୂର୍ବରୁ ଜନପଥରେ ଏଭଳି ଏକ ଦୃଶ୍ୟ ପଥଚାରୀଙ୍କୁ ନିଆରା ଅନୁଭବ ଦେଇଥିଲା। ଲୋକେ ପଚାରି ବୁଝିଥିଲେ ଏବଂ ଦେଖିଲେ ଯେ ଜନପଥରେ ପ୍ରତିଫଳିତ ହେଉଛି ସୁସ୍ଥ ସମାଜ ଗଠନର ପଣ। ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଚାଲିବା ଏକ ଭଲ ବ୍ୟାୟାମ ବୋଲି ବୁଝିବା ପରେ ପଥଚାରୀମାନେ ଅନୁପ୍ରାଣିତ ହୋଇଥିବା କହିଥିଲେ। 

Advertisment

ଅବସର ଥିଲା ‘ସମ୍ବାଦ’ ପକ୍ଷରୁ ଫ୍ରିଡମ୍‌ ଅଏଲ୍‌ ସହଯୋଗରେ ବିଶ୍ୱ ହୃଦୟ ଦିବସ ପାଳନ। ଏଥିପାଇଁ ଆୟୋଜିତ ୱାକାଥନ୍‌ରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା। ହୃଦୟ ପାଇଁ କେବଳ ଗୋଟିଏ ଦିନ ନୁହେଁ, ପ୍ରତ୍ୟେକ ଦିନର କିଛି ମୁହୂର୍ତ୍ତ ଉତ୍ସର୍ଗ ହେବା ଆବଶ୍ୟକ ବୋଲି ସେମାନେ କହିଥିଲେ। ସୁସ୍ଥ ସମାଜ ଗଠନ ପାଇଁ ସବୁଦିନ ଚାଲିବାକୁ ଆଜି ସଭିଏଁ ପଣ କରିଥିବା କହିଥିଲେ। ବଡ଼ କଥା ହେଉଛି, ସମସ୍ତଙ୍କ ନିକଟରେ ‘ସମ୍ବାଦ’ ପ୍ରତି ଭଲ ପାଇବା ଦେଖିବାକୁ ମିଳିଥିଲା। ଏଭଳି ଏକ ଜନସତେନତା ସୃଷ୍ଟି କରୁଥିବା ସମ୍ବାଦର କାର୍ଯ୍ୟକ୍ରମକୁ ଲୋକେ ପ୍ରଶଂସା କରିଥିଲେ। ରାତି ପାହିବା ବେଳକୁ ଶହଶହ ସଂଖ୍ୟାରେ ବରିଷ୍ଠ ନାଗରିକ, ଅଭିଭାବକ, ଛାତ୍ରଛାତ୍ରୀ, ଶିଶୁ, ମହିଳା ଓ ସେନା ଆଶାୟୀଙ୍କ କୋଳାହଳରେ କେଭି-୧ ସ୍କୁଲ ପଡ଼ିଆ କମ୍ପି ଉଠିଥିଲା। ମଞ୍ଚାସୀନ ଅତିଥିମାନେ ହୃଦୟ ରୂପକ ବେଲୁନ୍‌ ଉଡ଼ାଇ ୱାକାଥନ୍‌ର ଶୁଭାରମ୍ଭ କରିଥିଲେ। ଅଂଶଗ୍ରହଣକାରୀମାନେ ବିଦ୍ୟାଳୟ ପଡ଼ିଆରୁ ବାହାରି ରୁପାଲି ଛକ ଅଭିମୁଖେ ବାହାରିଥିଲେ ଏବଂ ରୁପାଲି ଛକରୁ ୟୁଟର୍ଣ୍ଣ ନେଇ ପୁନର୍ବାର ସ୍କୁଲ ଅଭିମୁଖେ ଚାଲିଚାଲି ଆସିଥିଲେ। କିଏ ଖୁସି ମଜାରେ ଚାଲୁଥାଏ ତ ପୁଣି କିଏ ଜୋର୍‌ରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଏହା ଭିତରେ ଜଣେ ଅନ୍ୟଜଣକୁ ଟପିଯିବାର ଚପଳତା ମଧ୍ୟ ଦେଖିବାକୁ ମିଳିଥିଲା।

୧୦୦୦ରୁ ଅଧିକ ଲୋକଙ୍କ ସମାଗମ
ଆଜି ସମ୍ବାଦ ୱାକାଥନ୍ କାର୍ଯ୍ୟକ୍ରମ ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। କେନ୍ଦ୍ରୀୟ ବିଦ୍ୟାଳୟ-୧ ପଡ଼ିଆ ସତେ ଯେମିତି ଏକ ମେଳାପଡ଼ିଆ ଭଳି ପ୍ରତୀୟମାନ ହେଉଥିଲା। ୬ଟା ୧୫ ବେଳକୁ ଗେଟ୍‌ ବନ୍ଦ କରି ଦିଆଯାଇଥିଲା। ଏହାପରେ ମଧ୍ୟ ଗେଟ୍‌ ବାହାରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଲୋକଙ୍କ ଆଗ୍ରହକୁ ଦେଖି ପରେ ଗେଟ୍‌ ଖୋଲି ଦିଆଯାଇଥିଲା ଏବଂ ଅପେକ୍ଷାରତ ସମସ୍ତଙ୍କୁ ପ୍ରବେଶ ଅନୁମତି ମିଳିଥିଲା।
ଆକର୍ଷିତ କଲା ଫ୍ରିଡମ୍ ସେଲ୍‌ଫି ପଏଣ୍ଟ
ଆଜିର ୱାକାଥନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲା ସେଲ୍‌ଫି ପଏଣ୍ଟ୍। ‘ଫ୍ରିଡମ୍ ଫର୍ ହେଲ୍‌ଦି ହାର୍ଟ ପଏଣ୍ଟ୍‌’ରେ ଫଟୋ ଓ ସେଲ୍‌ଫି ଉଠାଇବାକୁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ବିଶେଷକରି ମହିଳା ଓ ଛୋଟ ପିଲାମାନେ ସେଲ୍‌ଫି ପଏଣ୍ଟରେ ଭିଡ଼ ଲଗାଇ ଫଟୋ ଉଠାଇଥିଲେ।
ମହିଳା ଓ ବୟସ୍କଙ୍କ ସଂଖ୍ୟା ଅଧିକ
ଆଜିର ସମ୍ବାଦ ୱାକାଥନ୍‌ରେ ମହିଳା ଓ ବୟସ୍କ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ୮୦ ବର୍ଷରୁ ଅଧିକ ଲୋକମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ। ବଡ଼ କଥା ହେଉଛି ବହୁ ମହିଳା ଶାଢ଼ି ପିନ୍ଧି ୱାକାଥନ୍‌ରେ ଭାଗ ନେଇଥିଲେ, ଯାହା ଅନ୍ୟମାନଙ୍କ ପାଇଁ ଆକର୍ଷଣର ପ୍ରସଙ୍ଗ ଥିଲା। ଏହାଛଡ଼ା‌ ବିଭିନ୍ନ ଫିଟ୍ ନେସ୍ କ୍ଲବ, ଆର୍ମି ଟେନିଂ ନେଉଥିବା ଯୁବକ ଓ ଯୁବତୀମାନେ ମଧ୍ୟ ୱାକାଥନ୍‌ରେ ଭାଗ ନେଇଥିଲେ।

କଟକରୁ ଆସି ୱାକାଥନ୍‌ରେ ଭାଗନେଇଛି
କେବଳ ସମ୍ବାଦର ୱାକାଥନ୍‌ରେ ଭାଗ ନେବା ପାଇଁ ଭୋର୍‌ ୪ଟାରୁ କଟକରୁ ଭୁବନେଶ୍ବରକୁ ଆସିଛି। ଆଜି ମୋର ଯୋଗ କ୍ଲାସ୍ ବନ୍ଦ କରି ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଛି। ଏତେ ସଂଖ୍ୟାରେ ଲୋକ ଭାଗ ନେବା ଲାଗି ଆଗ୍ରହ କରିଥିବାରୁ ଲୋକଙ୍କ ମଧ୍ୟରେ ‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ବାର୍ତ୍ତା ପ୍ରତି ସଚେତନତା ବଢ଼ିଲାଣି। ଏହି ସଚେତନତା ବୃଦ୍ଧି କରିବାରେ ସମ୍ବାଦର ବଡ଼ ଭୂମିକା ରହିଛି। 
ରେନୁ ରାଜ, ଗୃହିଣୀ
ପ୍ରତିଦିନ ଲୋକ ଚାଲିବା ଆବଶ୍ୟକ
ମୁଁ ଭୁବନେଶ୍ବରର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ପଢ଼ୁଛି। ସମ୍ବାଦର ଏଭଳି ସ୍ବାସ୍ଥ୍ୟଭିତ୍ତିକ ୱାକାଥନ୍ କାର୍ଯ୍ୟକ୍ରମରେ ଭାଗ ନେଇ ଗର୍ବ ଅନୁଭବ କରୁଛି। ଏହି କାର୍ଯ୍ୟକ୍ରମ‌ରେ ବହୁ ଲୋକ ଭାଗ ନେଇଛନ୍ତି। ସମସ୍ତ ପ୍ରତିଦିନ ବ୍ୟାୟାମ କିମ୍ବା ଚାଲିବା‌ ଆବଶ୍ୟକ।
ୟା ୟା, ପଶ୍ଚିମ ଆଫ୍ରିକା
ୱାକାଥନ୍‌ରେ ଭାଗନେଇ ଖୁସି
ସମ୍ବାଦର ୱାକାଥନ୍ କାର୍ଯ୍ୟକ୍ରମକୁ ଆସି ବହୁତ ଖୁସି ଲାଗୁଛି। ସମସ୍ତେ ୱାକାଥନ୍‌ରେ ଭାଗ ନେବା ଆବଶ୍ୟକ। ଏଠାରୁ ଅଭ୍ୟାସ କରି ସବୁଦିନ ସକାଳୁ ଉଠି କିଛି ବାଟ ଚାଲନ୍ତୁ। ମୋ ଭଳି ବହୁ ସାନ ପିଲାମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି। 
ଅନ୍ବିତ୍ , ୬ ବର୍ଷ
ଶାଢ଼ି ପିନ୍ଧି ୱାକାଥନ୍‌ରେ ଭାଗ ନେଲି 
ଆଜିର ୱାକାଥନ୍‌ରେ ଶାଢ଼ି ପିନ୍ଧି ମୁଁ ଭାଗ ନେଇଛି। ଲୋକମାନେ କହନ୍ତି ଶାଢ଼ିପିନ୍ଧି ଅଧିକ ଜୋର୍‌ରେ ଚାଲିଲେ ‌ସେମାନେ ଝୁଣ୍ଟି ପଡ଼ନ୍ତି। କିନ୍ତୁ ବାସ୍ତବରେ ଅତି ସହଜରେ ଜଣେ ମହିଳା ଶାଢ଼ି ପିନ୍ଧି ମାରାଥନ୍‌ ଦଉଡ଼ି ପାରିବେ। ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମରେ ଭାଗ ନେଇ ବହୁତ ଭଲ ଲାଗୁଛି। ଏଭଳି କାର୍ଯ୍ୟକ୍ରମ ଆହୁରି କରାଗଲେ ସମାଜ ସ୍ବାସ୍ଥ୍ୟ ମନସ୍କ ହୋଇପାରିବେ। 
ଶୈଳବାଳା ମହାନ୍ତି