ଅନ୍ତିମ ପର୍ଯ୍ୟାୟରେ ଏମ୍ସରେ ନିର୍ମାଣାଧୀନ ବର୍ଣ୍ଣ ସେଣ୍ଟର୍‌

ଉଚ୍ଚମାନର ଚିକିତ୍ସା, ଫିଜିଓଥେରାପି ସହିତ କାଉନସେଲିଂ
ପୂର୍ବ ଭାରତରେ ନାହିଁ ଏଭଳି ସୁବିଧା, ୧୦ କୋଟିର ଅର୍ଥ ସଙ୍କଟ

ଭୁବନେଶ୍ବର : ଏମ୍ସରେ ନିର୍ମାଣାଧୀନ ବର୍ଣ୍ଣ(ଜଳାପୋଡ଼ା) ସେଣ୍ଟର୍‌ର କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଅନ୍ୟ ଡାକ୍ତରଖାନା ଭଳି ଏଠାରେ ବର୍ଣ୍ଣ ୟୁନିଟ୍‌ ଡାକ୍ତରଖାନାର ଅଂଶବିଶେଷ ହୋଇ ରହିବ ନାହିଁ; ବରଂ ସ୍ବତନ୍ତ୍ର କୋଠାରେ ହେବ। ରୋଗୀ ବିନା ଖର୍ଚ୍ଚ କିମ୍ବା ନାମମାତ୍ର ଖର୍ଚ୍ଚରେ ଉଚ୍ଚମାନର ଚିକିତ୍ସା, ଫିଜିଓଥେରାପି, କାଉନସେଲିଂର ସୁବିଧା ପାଇପାରିବେ। ଏପରିକି ଏଠାରେ ଚର୍ମ ବ୍ୟାଙ୍କର ଯେଉଁ ବ୍ୟବସ୍ଥା କରାଯିବା ନେଇ ଲକ୍ଷ୍ୟ ରହିଛି, ପୂର୍ବ ଭାରତର କୌଣସି ଡାକ୍ତରଖାନାରେ ଏହି ସୁବିଧା ନାହିଁ। ଏଥିପାଇଁ ଏନଟିପିସି ପକ୍ଷରୁ ଦିଆଯାଇଥିବା ଟଙ୍କା ସରିଯାଇଥିବାରୁ ଚର୍ମ ବ୍ୟାଙ୍କ ଭଳି ଆଉ କିଛି ଯୋଜନା କାର୍ଯ୍ୟକାରୀ ପାଇଁ ୧୦ କୋଟି ଟଙ୍କାର ଆବଶ୍ୟକତା ରହିଛି। ଏଥିପାଇଁ ଏନ୍‌ଟିପିସିକୁ ଭରସା କରିଛି ଏମ୍ସ। ତେ‌ବେ ଡାକ୍ତରଖାନା ପକ୍ଷରୁ କୁହାଯାଇଛି, ନିର୍ମାଣାଧୀନ ବର୍ଣ୍ଣ ସେଣ୍ଟରରେ ଟଙ୍କା ବାଧକ ହେବାକୁ ଦିଆଯିବ ନାହିଁ, ଯୋଜନା ଅନୁଯାୟୀ ସବୁ ସୁବିଧା ରହିବ।

ଡାକ୍ତରଙ୍କ କହିବା ଅନୁସାରେ, ଟ୍ରମା ପରେ ବର୍ଣ୍ଣ ବିଭାଗକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ବର୍ତ୍ତମାନ ସ୍ଥିତି ଏଭଳି ଯେ ୩୦ କିମ୍ବା ୫୦ ପ୍ରତିଶତରୁ ଅଧିକ କୌଣସି ବ୍ୟକ୍ତି ପୋଡ଼ି ଯାଇଥିଲେ ତାଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡ଼ୁଛି। ଆଜି ପର୍ଯ୍ୟନ୍ତ ଏମ୍ସରେ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍‌ ନଥିବାରୁ ଅନ୍ୟ ଡାକ୍ତରଖାନାକୁ ରେଫର୍‌ କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ୨୦୧୮ ମସିହାରେ ଏଠାରେ ସ୍ବତନ୍ତ୍ର ବର୍ଣ୍ଣ ସେଣ୍ଟର୍‌ ପ୍ରତିଷ୍ଠା ପାଇଁ ଏନ୍‌ଟିପିସି ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏଥିପାଇଁ ଏନ୍‌ଟିପିସି ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ଦିଆଯାଇଥିବା ୧୪.୮୭କୋଟି ଟଙ୍କାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଲକ୍‌ଡାଉନ୍‌ ଯୋଗୁଁ ନିର୍ମାଣ ବିଳମ୍ବିତ ହେବା ସହିତ ଖର୍ଚ ମଧ୍ୟ ବୃଦ୍ଧି ପାଇଛି। ଏଥିଯୋଗୁଁ ଏମ୍ସ ପକ୍ଷରୁ ଆବଶ୍ୟକ ପାଣ୍ଠିର ବ୍ୟବସ୍ଥା କରାଯାଉଛି।

ତିନି ତାଲା ବିଶିଷ୍ଟ ଏହି ବର୍ଣ୍ଣ ସେଣ୍ଟର୍‌ରେ ୩୬ ଶଯ୍ୟା ବିଶିଷ୍ଟ ୱାର୍ଡ, ୬ ଶଯ୍ୟା ବିଶିଷ୍ଟ ଆଇସିୟୁ, ୬ଟି ସ୍ବତନ୍ତ୍ର କ୍ୟାବିନ୍‌ ରହିବାର ଯୋଜନା ଅଛି। ବର୍ତ୍ତମାନ ଟଙ୍କା ଅଭାବରୁ ଗୋଟିଏ ଓଟି ନିର୍ମାଣ କରାଯାଇଛି। ପରବର୍ତ୍ତୀ ସମୟରେ ଆଉ ଗୋଟିଏ ଓଟି କରାଯିବ। ତୃତୀୟ ମହଲାରେ ଫିଜିଓଥେରାପି ୟୁନିଟ, ଚର୍ମ ବ୍ୟାଙ୍କ, ଟେଲିକନଫରେନ୍‌ନ୍ସିଂ କରାଯିବ। ଏଥିସହିତ ଏଠାରେ କାଉନସିଲିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ବିଭାଗୀୟ ଡାକ୍ତରଙ୍କ ଅନୁସାରେ, ଅଗ୍ନିକାଣ୍ଡର ଶିକାର ରୋଗୀ ମାନସିକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ କାଉନସେଲିଂ ଏବଂ ପୁନର୍ବାସ କେନ୍ଦ୍ର ତାଙ୍କ ପାଇଁ ସହାୟକ ହେବ।

ଏମ୍ସରେ ପ୍ରଥମେ ହେବ ଚର୍ମ ବ୍ୟାଙ୍କ
ଏମ୍ସରେ ଖୁବଶୀଘ୍ର ଚର୍ମ ବ୍ୟାଙ୍କ ପ୍ରତିଷ୍ଠା ହେବ। ବର୍ତ୍ତମାନ ମାତ୍ର ମୁମ୍ବାଇ, ବେଙ୍ଗାଲୋର, ପୁଣେ, କୋଏମ୍ବାଟୁର ସମେତ ଦେଶର ସୀମିତ ସଂଖ୍ୟକ ସ୍ଥାନରେ ଚର୍ମ ବ୍ୟାଙ୍କ ରହିଛି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ୬ଘଣ୍ଟା ମଧ୍ୟରେ ଡାକ୍ତରୀ ଦଳ ଚର୍ମ ସଂଗୃହୀତ କରୁଛନ୍ତି। ଚର୍ମ ବ୍ୟାଙ୍କରେ ୫ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଇପାରିବ। ଅଗ୍ନିକାଣ୍ଡର ଶିକାର ରୋଗୀଙ୍କ ଚିକିତ୍ସାରେ ସଂରକ୍ଷିତ ଚର୍ମ ବ୍ୟବହାରରେ ଆସିପାରିବ। ଏହାପରେ ଗୁରୁତର ଭାବରେ ପୋଡ଼ି ଯାଇଥିବା ରୋଗୀଙ୍କୁ ମଧ୍ୟ ବଞ୍ଚାଯାଇ ପାରିବ।

ସମ୍ବନ୍ଧିତ ଖବର