‘ଚରିତ୍ର’ର ୱାର୍ଲ୍ଡ ଟେଲିଭିଜନ୍‌ ପ୍ରିମିୟର୍‌୨୫ରେ, ‌ଲୋକପ୍ରିୟ ଚ୍ୟାନେଲ୍‌ ମଞ୍ଜରୀରେ ଦେଖିପାରିବେ ଦର୍ଶକ

Advertisment
‘ଚରିତ୍ର’ର ୱାର୍ଲ୍ଡ ଟେଲିଭିଜନ୍‌ ପ୍ରିମିୟର୍‌୨୫ରେ, ‌ଲୋକପ୍ରିୟ ଚ୍ୟାନେଲ୍‌ ମଞ୍ଜରୀରେ ଦେଖିପାରିବେ ଦର୍ଶକ

ଭୁବନେଶ୍ୱର: କୋରାପୁଟ ସହରକୁ ବଦଳି ହୋଇ ଆସନ୍ତି ସରକାରୀ ଅଫିସର୍‌ ଅଭିଷେକ ପଟ୍ଟନାୟକ। ସାଥୀରେ ନବବିବାହିତା ପତ୍ନୀ ମଧୁ। ନୂଆ କ୍ବାର୍ଟର୍‌ରେ ନିଜର ଜିନିଷପତ୍ର ସଜାଉ ସଜାଉ ମଧୁଙ୍କ ହାତରେ ଏକ ଡାଏରି ପଡ଼େ। ସେଥିରେ ଲେଖାଥାଏ, ସେମାନଙ୍କ ପୂର୍ବରୁ ସେଇ କ୍ବାର୍ଟର୍‌ରେ ରହୁଥିବା ଅଫିସର୍‌ ସୁଧୀର ପାଣିଗ୍ରାହୀଙ୍କ ପତ୍ନୀ କଳ୍ପନାଙ୍କ ନିଃସଙ୍ଗତା, ସ୍ୱପ୍ନ ଓ ସମ୍ପର୍କର କାହାଣୀ। ଡାଏରିର ଜୀବନ୍ତ ପୃଷ୍ଠାଗୁଡ଼ିକ ମଧୁଙ୍କୁ କଳ୍ପନାଙ୍କ ସହ ଅତି ନିକଟତର କରି ବସେ। ହେଲେ କେଇ ପୃଷ୍ଠାର ଲେଖା ପରେ ଅବଶିଷ୍ଟ ପୃଷ୍ଠା ସେମିତି ଅଲେଖା ହୋଇରହିଥାଏ। କଳ୍ପନାର ଚରିତ୍ରକୁ ଏତେ ପାଖରୁ ପଢ଼ିଥିବା ମଧୁ ତା’ର ଅବର୍ତ୍ତମାନରେ ତା’ କାହାଣୀର ଅବଶିଷ୍ଟାଂଶ ଜାଣିବା ପାଇଁ ଉତ୍ସୁକ ହୋଇଉଠେ। ହେଲେ ତାକୁ କ’ଣ ମିଳେ ସବୁ ପ୍ରଶ୍ନର ଉତ୍ତର? ଏମିତି ରହସ୍ୟ ଓ ରୋମାଞ୍ଚର ବିଷୟକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଚରିତ୍ର’ ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍‌ ‘ମଞ୍ଜରୀ’ରେ ଆସନ୍ତା ୨୫ ତାରିଖ ସଂଧ୍ୟା ୬ଟାରେ ମୁକ୍ତିଲାଭ କରିବ।

ମଞ୍ଜରୀ ପକ୍ଷରୁ ପ୍ରସ୍ତୁତ ଏହି ସିନେମାରେ ମୁଖ୍ୟ ଭୂମିକାରେ ଅନନ୍ୟା ମିଶ୍ର, ଗାର୍ଗୀ ମହାନ୍ତି, ହର ରଥ, ପାର୍ଥ ସାରଥୀ ରାଏ ଏବଂ ଦୀପାନ୍ୱିତ ଦାସ ମହାପାତ୍ରଙ୍କ ଅଭିନୟ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଶିଶିର କୁମାର ସାହୁ ଏବଂ ପିନାକୀ ସିଂ ତୁଲାଇଥିବା ବେଳେ ସଙ୍ଗୀତଭାର ତୁଲାଇଛନ୍ତି କସ୍ତୁରୀ କୌଶିକ, ଇଶାନ୍ ଶର୍ମା ଓ ଜେରୀ ସିଲଭେଷ୍ଟର ଭିନ୍ସେଣ୍ଟ। ଏହାସହ ସିନେମାରେ ଲଭିତା ଲୋବୋ, ପୂଜା ଭେଙ୍କଟ, ଗୌରବ ଆନନ୍ଦ ଏବଂ କୁଲଦୀପ ପଟ୍ଟନାୟକଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସୁମଧୁର ଗୀତ ଶୁଣିବାକୁ ମିଳିବ। ଟ୍ରେଲର ଏବଂ ଗୀତକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ଚଳଚ୍ଚିତ୍ରକୁ ମଧ୍ୟ ଦର୍ଶକଙ୍କ ସେତିକି ଭଲପାଇବା ମିଳିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ‘ମଞ୍ଜରୀ’ ପ୍ରଥମ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ, ଯାହାକୁ ଓଡ଼ିଆ ଦର୍ଶକମାନେ ସମ୍ପୂର୍ଣ୍ଣ ଭାବେ ବିନାମୂଲ୍ୟରେ ଦେଖିପାରିବେ। ଓଡ଼ିଶାର ପ୍ରାୟ ସମସ୍ତ ମଲ୍ଟି-ସିଷ୍ଟମ ଅପରେଟର୍‌, ଲୋକାଲ କେବୁଲ ନେଟୱର୍କ, ଏୟାରଟେଲ (ଚାନେଲ ନମ୍ବର- ୬୦୦), ଟାଟା ସ୍କାଏ (ଚାନେଲ ନମ୍ବର- ୧୭୬୦), ଡିସ୍ ଟିଭି (ଚାନେଲ ନମ୍ବର-୧୩୦୯), ଡିଟୁଏଚ୍ (ଚାନେଲ ନମ୍ବର- ୮୩୦), ସନ୍ ଡାଇରେକ୍ଟ (ଚାନେଲ ନମ୍ବର- ୬୫୬), ଜିଟିପିଏଲ୍ (ଚାନେଲ ନମ୍ବର- ୭୦୫), ଇଏମ୍ ଡିଜିଟାଲ (ଚାନେଲ ନମ୍ବର-୧୧୪), ହାଥ୍ ୱେ(ଚାନେଲ ନମ୍ବର-୭୩୩) ଓ ସିଟି କେବୁଲ (ଚାନେଲ ନମ୍ବର- ୧୬)ରେ ‘ମଞ୍ଜରୀ’ ଉପଲବ୍ଧ ହେଉଛି। ଦର୍ଶକଙ୍କ ସହ ସବୁ ସମୟରେ ଯୋଡ଼ି ହୋଇ ରହିବା ପାଇଁ ‘ମଞ୍ଜରୀ’ ୟୁ-ଟ୍ୟୁବ୍‌, ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ୍ ଓ ଟ୍ବିଟର୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ମଧ୍ୟ ଉପଲବ୍ଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe