ଭୁବନେଶ୍ୱର : ଧାର୍ମିକ ଅବଧାରଣା ଏବଂ ଅନ୍ଧବିଶ୍ୱାସ ଜନିତ କୁସଂସ୍କାର ସମାଜରେ ଗ୍ରହଣୀୟ ହୋଇଯାଇଛି। ପ୍ରତିବର୍ଷ ପ୍ରାୟ ୭୦ ଜଣଙ୍କୁ ଡାହାଣୀ ଦର୍ଶାଇ ହତ୍ୟା କରାଯାଉଛି। ୨୦୧୦ରୁ ଏପର୍ଯ୍ୟନ୍ତ ୫୨ଟି ନରବଳି ଦିଆଯାଇଥିବା ବେଳେ ଚଳିତ ବର୍ଷ ୬ଟି ନରବଳି ଦିଆଯାଇଛି। ବାପା ତା ଝିଅକୁ ବଳି ଦେବା ଭଳି କୁତ୍ସିତ ଘଟଣାମାନ ଘଟିଛି। ୨୧ଦିନର ପିଲାକୁ ଏଠି ୨୭ଟି ଚେଙ୍କ ଦେବାକୁ ବାପା ମା’ମାନେ ପଛାଉ ନାହାନ୍ତି। ଏତେପରେ ବି ଆଇନ୍‌ ଥାଇ କାର୍ଯ୍ୟକାରୀ ହେଉନାହିଁ। ସବୁଠୁ ବଳି ଯାଇଛି ଧାର୍ମିକ ଅବଧାରଣା ଓ ଜାତିପ୍ରଥା। ଜାତିପ୍ରଥା ହିଁ ସବୁଠୁ ଘୃଣ୍ୟ କୁସଂସ୍କାର। ଲୋହିଆ ଏକାଡେମିରେ ଅନୁଷ୍ଠିତ ‘ଚର୍ଚ୍ଚା’ର ୨୯ଶ ସଂଖ୍ୟା ଉନ୍ମୋଚନ ଅବସରରେ ଏପରି କହିଛନ୍ତି ଅତିଥିବୃନ୍ଦ।

Advertisment

ଏହି ଅବସରରେ ଅଖିଳ ଭାରତ ଅନ୍ଧଶ୍ରଦ୍ଧା ନିର୍ମୂଳନ ସମିତିର ସମ୍ପାଦକ ତଥା ମହାରାଷ୍ଟ୍ରର ଗଣେଶ ହାଲ୍‌କାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ସଂସାରରେ ଭୂତ ପ୍ରେତ ଭଳି କିଛି ବି ନାହିଁ। ଭୂତ ନାହିଁ ମାନେ ଆତ୍ମା ବୋଲି କିଛି ନାହିଁ। ଆତ୍ମା ନଥିବାରୁ ପରମାତ୍ମା ହିଁ ନାହାନ୍ତି। ଗ୍ରହ ନକ୍ଷତ୍ରକୁ ନେଇ ଆମର ଭାଗ୍ୟ ଭବିଷ୍ୟତ କଥା କୁହାଯାଉଥିବା ମଧ୍ୟ ସମ୍ପୂର୍ଣ୍ଣ ଭୁଲ ଧାରଣା। ବିଶେଷକରି ଜାତି ଧର୍ମ ବ୍ୟବସ୍ଥାକୁ ସମର୍ଥନ କରୁଥିବା ଲୋକେ ପ୍ରକୃତ ଦେଶଦ୍ରୋହୀ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି।

ପୂର୍ବତନ ପୁଲିସ୍‌ ପ୍ରଶାସକ ମନମୋହନ ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣରେ ବ୍ରହ୍ମଗିରିରେ ସବର୍ଣ୍ଣମାନେ ଅସବର୍ଣ୍ଣଙ୍କୁ ମନ୍ଦିରରେ ପ୍ରବେଶ କରାଇ ନଦେବା ଘଟଣାକୁ ଉପସ୍ଥାପନ କରିବା ସହ ଜଗନ୍ନାଥ ମନ୍ଦିରରେ ମୁସଲମାନମାନେ କାହିଁକି ପ୍ରବେଶ କରିପାରିବେନି ବୋଲି ପ୍ରଶ୍ନ କରିଥିଲେ। ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା ଆମ ଶିକ୍ଷା ବ୍ୟବସ୍ଥା ହିଁ କୁସଂସ୍କାର ବଞ୍ଚାଇ ରଖିଛି ବୋଲି କହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ମୁଖ୍ୟ ଡ.ପ୍ରତାପ କୁମାର ରଥ ଅଧ୍ୟକ୍ଷତା କରି କୁସଂସ୍କାରକ ନେଇ ବିଭ୍ରାନ୍ତ କରା ନଯିବା ସମ୍ପର୍କରେ ମତ ରଖିଥିଲେ। ତେଣୁ ତୃଣମୂଳସ୍ତରରେ ତଥା ପିଲାବେଳୁ ଘରେ ଏବଂ ସ୍କୁଲ୍‌ କଲେଜ୍‌ରେ ପିଲାମାନଙ୍କୁ କୁସଂସ୍କାର ବାବଦରେ ସଚେତନ କରାଯିବା ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ।

‘ଚର୍ଚ୍ଚା’ର ସମ୍ପାଦକ ଦେବେନ୍ଦ୍ର ସୁତାର ଅଭିଭାଷଣରେ ଜଗା ବଳିଆଙ୍କ ଆରୋଗ୍ୟ କାମନା କରି ଯେଉଁ ଦୀପଦାନ କାର୍ଯ୍ୟକ୍ରମ କରାଗଲା ତାହାର କୌଣସି ପ୍ରଭାବ କି ପ୍ରାସଙ୍ଗିକତା ନାହିଁ ବୋଲି କହିଥିଲେ। ଏହି ଅବସରରେ ‘ଚର୍ଚ୍ଚା’ର ନୂତନ ସଂଖ୍ୟା ଏବଂ ଡ.ବିଜୟାନନ୍ଦ କରଙ୍କ ପୁସ୍ତକ ‘ଧର୍ମ, ଦର୍ଶନ ଓ ସାହିତ୍ୟ’ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ବସନ୍ତ କୁମାର ମାଝୀ ଏବଂ ଡ.ଭରତ ବେହେରାଙ୍କୁ ଚର୍ଚ୍ଚା ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ରମେଶ ଅଲ୍ଲି ବେସାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଦୀପ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସୁଜାତା ସାହାଣୀ ମାନପତ୍ର ପାଠ କରିଥିଲେ।