ଭୁବନେଶ୍ୱର : ଗ୍ରିନ୍ ଇଣ୍ଡିଆ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ର ଦୁଇ ଗିରଫ ଅଭିଯୁକ୍ତ ଓ ଏହି ସଂସ୍ଥା ସହ ଆଉ ୩ଟି ଅଂଶୀଦାର ସଂସ୍ଥା ବିରୋଧରେ ସିବିଆଇ ଆଜି ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି। ଅଭିଯୁକ୍ତମାନେ ହେଲେ, କମ୍ପାନି ମୁଖ୍ୟ ପ୍ରଦୀପ କୁମାର ସିଂହ ଓ ଜିତେନ୍ଦ୍ର କୁମାର ମିଶ୍ର। ଅଂଶୀଦାର ସଂସ୍ଥାଗୁଡ଼ିକ ହେଉଛି ଗ୍ରିନ୍ ଇଣ୍ଡିଆ ଇନ୍ଫ୍ରା ପ୍ରୋଜେକ୍ଟସ୍ ଲିମିଟେଡ୍, ଗ୍ରିନ୍ ଇଣ୍ଡିଆ ରିଟେଲିଂ ପ୍ରାଇଭେଟ୍ ଲିମିଟେଡ୍, ଗ୍ରିନ୍ ଇଣ୍ଡିଆ ମଲ୍ଟି ଷ୍ଟେଟ୍ ମେମ୍ବରର୍ସ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲିମିଟେଡ୍।
ସୂଚନାଯୋଗ୍ୟ, ସଂସ୍ଥା ଗ୍ରିନ୍ ପାରାଡାଇଜ୍ ପ୍ରୋଜେକ୍ଟ ନାମରେ ଘର ଯୋଗାଇଦେବା ପାଇଁ ହଜାର ହଜାର ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରିଥିଲା। ସେହିଭଳି ପ୍ଲଟିଂ ଯୋଜନାରେ ଜମି ନେବା ପାଇଁ ମଧ୍ୟ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରିଥିଲେ। ହେଲେ କାହାରିକୁ ନା ଜମି ମିଳିଥିଲା ନା ଘର। ସଂସ୍ଥା ବିରୋଧରେ ଅଭିଯୋଗ ହେବାରୁ ୨୦୧୩ ମସିହାରେ ବ୍ରହ୍ମପୁର ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ସିବିଆଇ ୨୦୧୪ ମସିହାରେ ଏହି ସଂସ୍ଥା ସହ ଏଭଳି ୪୦ରୁ ଊର୍ଦ୍ଧ୍ବ ସଂସ୍ଥା ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ୨୦୧୦ରୁ ୨୦୧୩ ମସିହା ପର୍ଯ୍ୟନ୍ତ ୩ ବର୍ଷ ମଧ୍ୟରେ ସଂସ୍ଥା ୬୯କୋଟି ୪୩ ଲକ୍ଷ ୬୭ ହଜାର ୫୦୮ଟଙ୍କା ଠକି ନେଇଥିବା ସିବିଆଇ ଜାଣିବାକୁ ପାଇଥିଲା। ୨୦୧୪ ଡିସେମ୍ବରରେ ସିବିଆଇ ସଂସ୍ଥାର ପ୍ରଦୀପ ସିଂହ, ସୁନୀଲ ପଣ୍ଡା, ଜିତେନ୍ଦ୍ର ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।